ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମହିଳା ପାଇଲଟ୍ ସ୍କ୍ବାଡ୍ରନ୍ ଲିଡର ସାନ୍ୟା ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ସାନ୍ୟାଙ୍କ ନାମ ଆଇଏଏଫର ରେକର୍ଡ ବହିରେ ଲିପିବଦ୍ଧ ହୋଇଛି। ଭାରତୀୟ ବାୟୁସେନା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍କ୍ୱାଡ୍ରନ ଲିଡର ସାନ୍ୟା ପ୍ରତିଷ୍ଠିତ ‘କ୍ୟାଟେଗୋରୀ-ଏ’ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI- Qualified Flying Instructor) ଯୋଗ୍ୟତା ହାସଲ କରିବାରେ ଦେଶର ପ୍ରଥମ ମହିଳା ସେନା ଅଧିକାରୀ ହେବାର ଗୌରବ ଅର୍ଜନ କରିଛନ୍ତି।
ଭାରତୀୟ ବାୟୁସେନା ସୋମବାର ଏହି ଐତିହାସିକ ସଫଳତା ଘୋଷଣା କରିଛି। ସାନ୍ୟାଙ୍କ ଐତିହାସିକ ସଫଳତା ବିଷୟରେ ଆଇଏଏଫ ଟ୍ୱିଟ୍ କରି କହିଛି, “ଏହା ଭାରତୀୟ ବାୟୁସେନା ପାଇଁ ଏକ ଗର୍ବର ମୁହୂର୍ତ୍ତ। ସାନ୍ୟାଙ୍କ ସଫଳତା ତାଙ୍କ କଠିନ ପରିଶ୍ରମର ଫଳାଫଳ।” ବାୟୁସେନା ଏହାକୁ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛି ଏବଂ ଏହା ଭବିଷ୍ୟତରେ ପାଇଲଟ୍ ହେବାକୁ ଆକାଂକ୍ଷା କରୁଥିବା ଦେଶର ସମସ୍ତ ଯୁବକଙ୍କୁ ପ୍ରେରଣା ଦେବ। ଏହି ସଫଳତା ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ସ୍କ୍ୱାଡ୍ରନ ଲିଡର ସାନ୍ୟାଙ୍କୁ ସମ୍ମାନିତ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ବାୟୁସେନା ଏହି ସମ୍ମାନନୀୟ ମୁହୂର୍ତ୍ତର କିଛି ଫଟୋ ସେୟାର କରି ସାନ୍ୟାଙ୍କୁ ଅଭିନନ୍ଦନ ଜଣାଇଛି ।
ସ୍କ୍ବାଡ୍ରନ୍ ଲିଡର ସାନ୍ୟା କିଏ?
ସ୍କ୍ବାଡ୍ରନ୍ ଲିଡର ସାନ୍ୟା ଭାରତୀୟ ବାୟୁସେନାର ଜଣେ ଉଚ୍ଚ ଦକ୍ଷ ପାଇଲଟ୍। ସେ ଏବେ ଦେଶର ବାୟୁସେନା ପାଇଲଟମାନଙ୍କର ସର୍ବୋତ୍ତମ ପ୍ରଶିକ୍ଷକ ଏବଂ ବର୍ତ୍ତମାନ ଅନ୍ୟ ସାମରିକ ପାଇଲଟମାନଙ୍କୁ ବିମାନ ଉଡ଼ାଣ ଶିଖାଉଛନ୍ତି। ଜୁନ୍ ୨୦୧୫ରେ କମିଶନ ହୋଇଥିବା ସ୍କ୍ୱାଡ୍ରନ୍ ଲିଡର ସାନ୍ୟା, ଫ୍ଲାଇଂ ବ୍ରାଞ୍ଚରେ ପାଇଲଟ୍ ପାଇଁ ୪୨ତମ ସର୍ଟ ସର୍ଭିସ୍ କମିଶନ୍ କୋର୍ସ (ମହିଳା)ର ସଦସ୍ୟ।
ଛଅ ଜଣ ମହିଳା ଏହି କୋର୍ସର ଅଂଶ ଥିଲେ। ଜୁନ୍ ୨୦୨୧ରେ ସାନ୍ୟାଙ୍କୁ ସ୍କ୍ବାଡ୍ରନ୍ ଲିଡର ପଦବୀକୁ ଉନ୍ନୀତ କରାଯାଇଥିଲା। ସାନ୍ୟା ଏକ ବର୍ଗ A QFI ରେଟିଂ ପାଇଛନ୍ତି, ଯାହା ଜଣେ ବାୟୁସେନାର ଫ୍ଲାଇଂ ପ୍ରଶିକ୍ଷକଙ୍କ ପାଇଁ ଉପଲବ୍ଧ ସର୍ବୋଚ୍ଚ ପଦବୀ। ଏହି ଅନନ୍ୟ ରେଟିଂ ସହିତ, ସେ କେବଳ ନୂତନ ପାଇଲଟମାନଙ୍କୁ ତାଲିମ ଦେବେ ନାହିଁ ବରଂ ଅନ୍ୟ ବାୟୁସେନାର ଫ୍ଲାଇଂ ପ୍ରଶିକ୍ଷକଙ୍କ ଦକ୍ଷତା ମଧ୍ୟ ମୂଲ୍ୟାଙ୍କନ କରିପାରିବେ।
୨୨ ସପ୍ତାହର ଏକ ପାଠ୍ୟକ୍ରମ, ୨୦୦ ଘଣ୍ଟାରୁ ଅଧିକ ତାଲିମ
ଏପରି ଜଣେ ପ୍ରଶିକ୍ଷକ ହେବା ପାଇଁ, ଚେନ୍ନାଇର ତାମ୍ବରମ୍ ବାୟୁସେନା ଷ୍ଟେସନରେ ଏକ ଫ୍ଲାଇଂ ପ୍ରଶିକ୍ଷକ ସ୍କୁଲ୍ ଅଛି। ଏହି ପାଠ୍ୟକ୍ରମରେ ୨୨ ସପ୍ତାହର ପାଠ୍ୟକ୍ରମ ସମାପ୍ତ କରିବାକୁ ପଡେ। ଏହି ପାଠ୍ୟକ୍ରମରେ ୨୦୦ ଘଣ୍ଟାରୁ ଅଧିକ ଅଧ୍ୟୟନ ଏବଂ ଅନେକ ଘଣ୍ଟା ତାଲିମ ଅନ୍ତର୍ଭୁକ୍ତ। ପାଠ୍ୟକ୍ରମ ସମାପ୍ତ ହେବା ପରେ, ଏହି ପ୍ରଶିକ୍ଷକମାନଙ୍କ କ୍ଷମତା ଅନୁସାରେ ୪ଟି ଗ୍ରେଡ୍ ସ୍ଥିର କରାଯାଏ ଏବଂ ସେମାନେ ସେହି ଅନୁସାରେ ରେଟିଂ ପାଆନ୍ତି।
କ’ଣ ଏହି ‘କ୍ୟାଟ୍-ଏ’ (Cat-A) ଗ୍ରେଡ୍ ?
ସାଧାରଣ ଭାଷାରେ ବୁଝିବାକୁ ଗଲେ, ସାମରିକ ପାଇଲଟମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଗ୍ରେଡ୍ ମଧ୍ୟରେ ‘କ୍ୟାଟ୍-ଏ’ ହେଉଛି ସର୍ବୋଚ୍ଚ ସ୍ତର ବା ଟପ୍ ରାଙ୍କ୍ । ଉନ୍ନତ ଉଡ଼ାଣ କୌଶଳ, ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ଏବଂ ସର୍ବୋତ୍ତମ ପ୍ରଶିକ୍ଷଣ ଦେବାର ଅସାଧାରଣ ଦକ୍ଷତା ଥିବା ପାଇଲଟଙ୍କୁ ହିଁ ଏହି ସମ୍ମାନ ମିଳିଥାଏ । ଏହି ଯୋଗ୍ୟତା ପାଇବା ପରେ ଜଣେ ଇନଷ୍ଟ୍ରକ୍ଟର କେବଳ ନୂଆ ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି ନାହିଁ, ବରଂ ସେନାବାହିନୀରେ ଥିବା ଜୁନିୟର ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟରମାନଙ୍କୁ ମଧ୍ୟ ତାଲିମ ଦେବା ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି । ବାୟୁସେନା ଅଧିକାରୀଙ୍କ ଅନୁଯାୟୀ, ଜଣେ QFI ନିଜ କ୍ୟାରିୟରରେ ହାସଲ କରିପାରୁଥିବା ଏହା ସବୁଠାରୁ ବଡ଼ ରେଟିଂ ।
ବାୟୁସେନାର ଅପରେସନାଲ ପ୍ରସ୍ତୁତିରେ ପ୍ରମୁଖ ଭୂମିକା:
କ୍ୟାଟ୍-ଏ QFI ମାନେ କେବଳ ପ୍ରଶିକ୍ଷକ ନୁହନ୍ତି, ବରଂ ସେମାନଙ୍କୁ ଭାରତୀୟ ବାୟୁସେନାର ଫ୍ଲାଇଟ୍ ଷ୍ଟାଣ୍ଡାର୍ଡ, ଷ୍ଟାଣ୍ଡାର୍ଡାଇଜେସନ ଏବଂ ଫ୍ଲାଇଟ୍ ସେଫ୍ଟିର ରକ୍ଷକ ବୋଲି କୁହାଯାଏ । ବାୟୁସେନାର ଯୁଦ୍ଧ ଏବଂ ଅପରେସନାଲ ପ୍ରସ୍ତୁତିକୁ ସଦାସର୍ବଦା ସଜାଗ ରଖିବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସୁରକ୍ଷା ଦୃଷ୍ଟିକୋଣରୁ ବାୟୁସେନା ଦ୍ୱାରା କେବଳ ପ୍ରଥମ ନାମରେ ପ୍ରକାଶ କରାଯାଇଥିବା ସ୍କ୍ୱାଡ୍ରନ ଲିଡର ସାନ୍ୟା ଜଣେ ଅତି ଦକ୍ଷ ‘ଟ୍ରାନ୍ସପୋର୍ଟ ପାଇଲଟ୍’ । ଏବେ କ୍ୟାଟ୍-ଏ ଗ୍ରେଡ୍ ପାଇବା ପରେ ସେ ସେନାର ନୂତନ ପାଇଲଟ୍, ନିୟମିତ ପାଇଲଟ୍ ଏବଂ ଅନ୍ୟାନ୍ୟ ଟ୍ରେନର୍ମାନଙ୍କୁ ମଧ୍ୟ ମାର୍ଗଦର୍ଶନ କରିବେ ।
ପ୍ରାୟ ସାତ ମାସ ପୂର୍ବରୁ ସ୍କ୍ୱାଡ୍ରନ ଲିଡର ଶିବାଙ୍ଗୀ ସିଂହ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଫାଇଟର (ଯୁଦ୍ଧବିମାନ) ପାଇଲଟ୍ ଭାବେ QFI ବ୍ୟାଜ୍ ପାଇଥିଲେ । ଶିବାଙ୍ଗୀ ତାମିଲନାଡ଼ୁର ତାମ୍ବରମସ୍ଥିତ ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟର୍ସ ସ୍କୁଲରେ ୬ ମାସର କଠିନ ତାଲିମ ଶେଷ କରି ଏହି ସଫଳତା ପାଇଥିଲେ । ଯଦିଓ ଶିବାଙ୍ଗୀଙ୍କ ପୂର୍ବରୁ କିଛି ମହିଳା ଟ୍ରାନ୍ସପୋର୍ଟ ଏବଂ ହେଲିକପ୍ଟର ପାଇଲଟଙ୍କୁ QFI ବ୍ୟାଜ୍ ମିଳିସାରିଥିଲା, କିନ୍ତୁ ସାନ୍ୟା ସେମାନଙ୍କ ମଧ୍ୟରୁ ଆଗକୁ ଯାଇ ସର୍ବୋଚ୍ଚ ‘କ୍ୟାଟ୍-ଏ’ ମାନ୍ୟତା ପାଇବାରେ ସମଗ୍ର ଦେଶରେ ପ୍ରଥମ ମହିଳା ସେନା ଅଧିକାରୀ ବନି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସାନ୍ୟାଙ୍କର ଏହି କୀର୍ତ୍ତିମାନ ଭାରତୀୟ ସେନାରେ ମହିଳା ଶକ୍ତିର ବଢ଼ୁଥିବା ଦକ୍ଷତା ଓ ପ୍ରଭାବକୁ ପୁଣି ଥରେ ପ୍ରମାଣିତ କରିଛି ।