Latest Odisha News

BREAKING NEWS

ଓଡ଼ୃିଶାରେ କିଏ ଗଢ଼ିବ ସରକାର? ମୋଦୀ ଦେଲେ ତାରିଖ, ପାଣ୍ଡିଆନ୍ ଦେଲେ ତାରିଖ ସହିତ ସମୟ

ଭୁବନେଶ୍ୱର: ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଅପେକ୍ଷା ଓଡ଼ିଶାରେ କିଏ ଗଢିବ ସରକାର ତେଜିଲା ଚର୍ଚ୍ଚା। ଜୁନ୍ ୪ ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ କିଏ ଗଢ଼ିବ ସରକାର। ଲୋକେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଏହି ଆସନରେ ବସାଇବେ ନା ମୋଦୀଙ୍କ ଚେହେରାକୁ ଭରସା କରି ବିଜେପିକୁ କ୍ଷମତାକୁ ଆଣିବେ? କନିଷିରେ ମୋଦୀଙ୍କ ଅଭିଭାଷଣ ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ବଡ଼କଥା ହେଉଛି କିଛି ଦିନ ପୂର୍ବରୁ ଉଭୟ ଦଳ ଏକାଠି ହୋଇ ନିର୍ବାଚନ ଲଢିବେ ବୋଲି କୁହାଯାଉଥିଲା।

ମୋଦୀଙ୍କ ଅଭିଭାଷଣର ଜବାବ ଦେଇ ବିଜେଡିର ଅନ୍ୟତମ ଶୀର୍ଷ ନେତା ଭି. କେ ପାଣ୍ଡିଆନ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏବଂ ଜୁନ ୯ ତାରିଖରେ ୧୧ଟା ୩୦ ରୁ ଅପରାହ୍ନ ୧ଟାଏ ୩୦ ମଧ୍ୟରେ ସେ ଷଷ୍ଠ ଥର ପାଇଁ ଶପଥ ଗ୍ରହଣ କରିବେ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।

କନିଷିରେ ମୋଦୀ କହିଛନ୍ତି, ଓଡ଼ିଶାରେ ଜୁନ ୪ ତାରିଖରେ ବିଜେଡି ସରକାର ହଟିବ। ୬ରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବ। ଜୁନ ୧୦ରେ ସରକାର ଗଢ଼ିବ। ତ୍ରିପୁରାରେ ବି ଦୀର୍ଘ ବର୍ଷ ଧରି ସିପିଆଇଏମ ଦଳ ୧୯୯୩ରୁ ୨୦୧୮ ଯାଏ କ୍ଷମତାରେ ଥିଲା। କିନ୍ତୁ ୨୦୧୮ରେ ବିଜେପିକୁ ଲୋକେ ଭୋଟ୍ ଦେଇ କ୍ଷମତାକୁ ଆଣିଲେ। ଏବଂ ଏବେ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆଣିଛନ୍ତି। ଏଭଳି କହି ରାଜ୍ୟବାସୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ମୋଦୀ।

ତେବେ ଭି.କେ ପାଣ୍ଡିଆନ୍ କହିଛନ୍ତି, ଯେତେ ବଡ ଲୋକ କହିଲେ ବି କିଛି ଫରକ୍ ପଡ଼ିବ ନାହିଁ। ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଅନେକ ରାଜ୍ୟର ଲୋକ ବିଶ୍ଵାସ କରି ତେଲ ପକାଇଲେ କିନ୍ତୁ ତେଲ ସରିଗଲା ଗାଡି ବନ୍ଦ ହେଇଗଲା।

ଏହାରି ଭିତରେ ଯଦି ମୋଦୀଙ୍କ କଥା ସତ ହୁଏ ତାହେଲେ ବିଜେପି ଏଠାରେ ସରକାର ଗଢିବାକୁ ମାସେ ସମୟ ରହିଲା। ଏପରି ସ୍ଥିତିରେ କିଏ ଦଳର ମୁଖ୍ୟମନ୍ତ୍ରୀ ଚେହେରା? ନା ତ ଅନେକ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ମନମୋହନ ସାମଲ ଏବଂ ପ୍ରତାପ ଷଡ଼ଙ୍ଗୀ। ଏହି ଚର୍ଚ୍ଚା କିନ୍ତୁ ନୂଆ ନୁହେଁ।

ଗତକାଲି ରାଜ୍ଯ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଥିଲା। ଯେଉଁଥିରେ ଓଡିଶାରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଯୋଜନା ଘୋଷଣା କରିଛି ଦଳ। ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ମଧ୍ୟ ଦମ୍ବୋକ୍ତି ଦେଖାଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ଜବାବରେ ଭି.କେ ପାଣ୍ଡିଆନ୍ କହିଥିଲେ, ସତସାହସ ଅଛି ଯଦି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ। ଅନ୍ୟପଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିସାରିଛନ୍ତି, ରାଜ୍ୟବାସୀ ବାଛିବେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, କିଛି ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ଅଧିକାଂଶ ସଫଳତା ହାତେଇଛି ବିଜେପି। କିନ୍ତୁ ଦଳ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହିଁ। ୟୁପି, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବି ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା। କେବଳ ଆସାମ ବିଧାନସଭା ନିର୍ବାଚନରେ ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦଳ ସାମ୍ନାକୁ ଆଣିଥିଲା।

Leave A Reply

Your email address will not be published.