Latest Odisha News

BREAKING NEWS

କାହିଁକି ଆମଦାନୀ ନେତାଙ୍କୁ ଭରସା ?

ଭୁବନେଶ୍ୱର: ଦଳଡିଆଁ ନେତାଙ୍କୁ ଟିକେଟ୍ । କାହିଁକି ଆମଦାନୀ ନେତାଙ୍କୁ ବିଜେଡିର ଭରସା ? ବିଜୟ ପାଇଁ ରଣନୀତି, ନା ପ୍ରସ୍ତୁତି ଅଭାବରୁ ତରବରିଆ ନିଷ୍ପତ୍ତି ? ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍‌, ବିଗାଡିଲା କି ଆଶାୟୀଙ୍କ ଖେଳ? କାହିଁକି ନିଜ ଦଳ ନେତାଙ୍କ ଅପେକ୍ଷା ଆମଦାନୀ ନେତା ପସନ୍ଦ ? ଅନ୍ୟ ଦଳର ଭୋଟବ୍ୟାଙ୍କ ହାତେଇବାକୁ ପ୍ଲାନ୍ କି ? ଆସନ୍ତା ଲୋକସଭା ନିର୍ବାଚନରେ ଦଳର ପୁରୁଣା ନେତାଙ୍କଠାରୁ ଆମଦାନୀ ନେତାଙ୍କ ଉପରେ ଅଧିକ ଭରସା ଦେଖାଇଛି । ମୋଟ୍ ୨୧ରୁ ୮ଟି ସିଟରେ ଦଳଡିଆଁଙ୍କୁ ଟିକେଟ୍ ଦେଇଛି । ତେବେ କାହିଁକି ଏପରି ଏକ୍ସପେରିମେଣ୍ଟ କରିଛି ବିଜେଡି ?

ଲୋକସଭା ପ୍ରାର୍ଥୀ, ନେତା ଅଭାବ !
ରାଜ୍ୟରେ ମୁଖ୍ୟତଃ ବିଧାନସଭାକୁ ଫୋକସ୍ କରିଥିବା ବିଜେଡି, ବୋଧହୁଏ ଲୋକସଭା ଲଢେଇ ପାଇଁ ପ୍ରାର୍ଥୀ ପ୍ରସ୍ତୁତ କରିନଥିଲା । ବିଜୟ ପାଇଁ ଦକ୍ଷ ନେତା ଅଭାବରୁ ଅନ୍ୟ ଦଳରୁ ଆମଦାନୀ କରିଥିବା ନେତାଙ୍କୁ ଭରସା କରିଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି ହୁଅନ୍ତୁ କି ଭୁବନେଶ୍ୱରରୁ ମନ୍ମଥ ରାଉତରାୟ ଅଧିକାଂଶ ଜାଗାରେ ଦଳଡିଆଁ ନେତାଙ୍କୁ ଟିକେଟ୍ ଦେଇଛି ବିଜେଡି । ଅନ୍ୟ କିଛି ସ୍ଥାନରେ ତ ନବାଗତଙ୍କ ଉପରେ ଭରସା କରିଛି ।

ମେଣ୍ଟ ଆଶାରେ ଲୋକସଭା ରଣନୀତି ଢିଲା !
ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ମେଣ୍ଟ ହୋଇଥିଲେ ଅଧିକ ଲୋକସଭା ଆସନ ବିଜେପି ପାଖକୁ ଯାଇଥାନ୍ତା । ବିଜେଡି ଫୋକସରେ ରହିଥିଲା ବିଧାନସଭା । ମେଣ୍ଟକୁ ନେଇ ଆଶାବାଦୀ ରହିଥିବା ବିଜେଡି, ଲୋକସଭା ଗଣିତ ଠିକ୍ ଭାବେ କଷି ନଥିବା ଚର୍ଚ୍ଚା ହେଉଛି । ମେଣ୍ଟ ଚର୍ଚ୍ଚା ବିଫଳ ହେବା ପରେ ହିଁ ଦଳବଦଳ ବଢିଥିଲା । ଟିକେଟ୍ ପ୍ରତିଶ୍ରୁତି ପାଇ ଦଳକୁ ଆସିଥିବା ନେତାଙ୍କୁ ଭରସା କରି ପ୍ରାର୍ଥୀ କରିଛି ଦଳ ।

୩୩% ମହିଳା ପ୍ରାର୍ଥୀ, ବିଗାଡିଲା କି ଖେଳ ?
୩ ମହିଳା ସାଂସଦ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ ଓ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳଙ୍କୁ ପୁଣି ରିପିଟ୍ କରିଛି ବିଜେଡି । କୋରାପୁଟର କୌଶଲ୍ୟା ହିକ୍କାଙ୍କୁ ପୁଣି ପ୍ରାର୍ଥୀ କରିଛି ତ ଆସିକାରେ ରଞ୍ଜିତା ସାହୁଙ୍କୁ ନୂଆ ଚେହେରା ଭାବେ ପ୍ରାର୍ଥୀ କରିଛି । ତେବେ ବିଜେପି ଛାଡି ବିଜେଡିକୁ ଆସିଥିବା ସୁଶାନ୍ତ ମିଶ୍ରଙ୍କ ପତ୍ନୀ ପରିଣୀତା ମିଶ୍ରଙ୍କୁ ବରଗଡ ଓ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱର ଟିକେଟ୍ ଦେଇଛି ଦଳ । ତେବେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ଚକ୍କରରେ ଅନେକ ଆଶାୟୀଙ୍କୁ ନିରାଶ କରିଛି ଦଳ । ଅନେକ ଜାଗାରେ ଦଳ ବଡ ରିସ୍କ ନେଇଥିବା ବି ଚର୍ଚ୍ଚା ହୋଇଛି ।

ସ୍ପ୍ଲିଟ୍ ଭୋଟ୍ ପାଇଁ ବଡ ଗୋଟି !
ଆମଦାନୀ ନେତାଙ୍କୁ ଟିକେଟ୍ ଦେଇ ଅନ୍ୟ ଦଳର ଭୋଟବ୍ୟାଙ୍କ ଉପରେ ନଜର ରଖିଛି ବିଜେଡି । ଭୁବନେଶ୍ୱରରେ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରି ସୁରଙ୍କ ଭୋଟ ହାତେଇବାକୁ ରଣନୀତି ହେଉ କି କେନ୍ଦ୍ରାପଡାରେ ଅଂଶୁମାନ ମହାନ୍ତି ପୂର୍ବ କଂଗ୍ରେସ ସଂଗଠନର ଫାଇଦା ପାଇବାକୁ ଆଶ।। ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ବାଲେଶ୍ୱରରେ ଲେଖାଶ୍ରୀ ସାମନ୍ତ ସିଂହାର, ବରଗଡରେ ପରିଣୀତା ମିଶ୍ର, କେନ୍ଦୁଝରରେ ଧନୁର୍ଜୟ ସିଦ୍ଧୁଙ୍କୁ ଟିକେଟ୍ ଦେଇ ବିଜେପିର ସ୍ପ୍ଲିଟ୍ ଭୋଟ ହାତେଇବାକୁ ରଣନୀତି କରିଛି ବିଜେଡି । ସେହିପରି ସୁରେନ୍ଦ୍ର ସିଂ ଭୋଇ, ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରି କଂଗ୍ରେସର କୋର୍ ଭୋଟ ନିଜ ଖାତାକୁ ନେବାକୁ ପ୍ଲାନ୍ କରିଛି ।

ମୋଦି ଫ୍ୟାକ୍ଟରକୁ ମୁକାବିଲା ପ୍ଲାନ୍ !
ବିଜେପି ବିରୋଧରେ ପୂର୍ବ ବିଜେପି ନେତାଙ୍କୁ ପ୍ରାର୍ଥୀ କରି ଚବିଶ ରଣଭୂମିରେ ବଡ ଗୋଟି ଚଳାଇଛି ବିଜେଡି । ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ବିପକ୍ଷରେ ଭୃଗୁ ବକ୍ସିପାତ୍ର ହୁଅନ୍ତୁ କି ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀଙ୍କ ବିପକ୍ଷରେ ଲେଖାଶ୍ରୀ ସାମନ୍ତସିଂହାର, ମୋଦି ଲହରର ମୁକାବିଲା ପାଇଁ ଦଳ ଏଭଳି ରଣନୀତି କରିଥିବା କୁହାଯାଉଛି । ସେହିପରି ପୁରୁଣା ନେତାଙ୍କ ଜାଗାରେ ଆମଦାନୀ ନେତାଙ୍କୁ ଟିକେଟ୍ ଦେଇ ଶାସନ ବିରୋଧୀ ହାୱାର କାଉଣ୍ଟର କରିବାକୁ ପ୍ଲାନ୍ କରିଛି । ତେବେ ମଇଦାନରେ ଦଳଡିଆଁ ନେତାଙ୍କୁ ଟିକେଟ୍ ମିଳିବା ପରେ ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

https://youtu.be/C2YUOLHmo3E?si=g9ZE6qQJ54Fe9ofb

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.