Latest Odisha News

ମୁଁ ଆଇପିଏସ ଛାଡ଼ି ବିଜେପିରେ ଯୋଗ ଦେବାକୁ କାହିଁକି ନିଷ୍ପତି ନେଲି

(ଭାରତ ର ଆଇ ଏ ଏସ -ଆଇପିଏସ ଗୋଷ୍ଠୀ ସେମାନଙ୍କ କାର୍ଯ୍ୟକଳାପ ଉପରେ ବ୍ୟାପକ ରାଜନୈତିକ ହସ୍ତକ୍ଷେପର ରାଗ ଆଳାପ କରି ଆସୁଛନ୍ତି କିନ୍ତୁ ଏକଥାକୁ ଅସ୍ବୀକାର କରିଆସୁଛନ୍ତି ଯେ ସେମାନଙ୍କ ପାଖରେ ଚାରିଟି ଗୁଣର ଅଭାବ ରହିଛି - ଜ୍ଞାନ, ବିଶ୍ୱାସ, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱ ।)

ବସନ୍ତ ରଥ 

କାରଣ ଏକ ନିର୍ଦ୍ଧିଷ୍ଟ ବର୍ଷରେ ଯେତେବେଳେ ଶ୍ରୀନଗରରେ ଶହ ଶହ ଲୋକଙ୍କର ଜୀବନ ଯାଉଥିଲା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଭଳି ପ୍ରାଣହାନୀକୁ ରୋକିବାକୁ କୌଣସି ପ୍ରଚେଷ୍ଟା ତ କରି ନଥିଲେ, ବରଂ ଦୁବାଇରୁ ଆମଦାନୀ ରେନବୋ ବ୍ରାଣ୍ଡର କ୍ଷୀର ତାଙ୍କୁ ସେଦିନ କାହିଁକି ମିଳିନି ବୋଲି ନିଜର ବିରକ୍ତି ପ୍ରକାଶ କରୁଥିଲେ ।

ବର୍ଷ ବର୍ଷ ଧରି କାଶ୍ମୀରର ମା’ ମାନେ ସେମାନଙ୍କର ଛୋଟ ଛୋଟ ଶିଶୁଙ୍କୁ ଭେଜାଲ କ୍ଷୀର ଦେବାକୁ ବାଧ୍ୟ ହେଉଛନ୍ତି ଏବଂ ରାନ୍ଧିବାରେ ସ୍ୱାସ୍ଥ୍ୟ ଅନୁପଯୋଗୀ ମସଲା ବ୍ୟବହାର କରିବା ଛଡା ସେମାନଙ୍କ ପାଖରେ ଅନ୍ୟ ଉପାୟ ନାହିଁ, ହେଲେ କ୍ଷୀର ଓ ମସଲା ଶିଳ୍ପ ମାଲିକାନାର ରାଜନୈତିକ ସମ୍ପର୍କ ମାତ୍ରାଧିକ ଥିବାରୁ ମେରୁଦଣ୍ଡବିହୀନ, ନିରୁତ୍ସାହିତ ଆଇଏଏସ ଆଇପିଏସଙ୍କ ଦ୍ୱାରା ପରିଚାଳିତ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ନା ସେମାନଙ୍କର ଭୟ ଅଛି ନା ଖାତିର ।

ଅଭଦ୍ରାମୀ କରୁଥିବା ଡ୍ରାଇଭର ଓ ମନ୍ଥର ଗତିରେ ଚାଲୁଥିବା ଅତ୍ୟନ୍ତ ଭିଡ ବସ ଓ ମାଟାଡୋରରେ ଯାତ୍ରା କରିବା ଛଡା ସେଠାକାର ଛାତ୍ରୀମାନଙ୍କ ପାଖରେ ଅନ୍ୟ କିଛି ଚାରା ହିଁ ନାହିଁ । ତା’ ଉପରେ ପ୍ରତ୍ୟେକ ଦିନର ଯିବା ଆସିବା ଭିତରେ ଉତ୍ପୀଡ଼ନ, ଅପମାନ ଓ ଆର୍ଥିକ ଲୁଟର ଶିକାର ହେବାରୁ ବି ସେମାନେ ନିଜକୁ ଏଡାଇ ପାରନ୍ତି ନାହିଁ । ଏହି ବସଗୁଡିକର ମାଲିକମାନେ ନିଜକୁ ରାଜନେତା ବୋଲି ଦର୍ଶାଉଥିବା ଲୋକମାନଙ୍କୁ ପ୍ରଚୁର ଲାଞ୍ଚ ଦିଅନ୍ତି । ମୁଁ ଏକଦା ଜାମ୍ମୁ ଓ କାଶ୍ମୀର ର ଟ୍ରାଫିକ ମୁଖ୍ୟ ଥିଲି, ସେଥିପାଇଁ ମୁଁ ଏସବୁ ଜାଣିଛି ।

କାରଣ ଡଜନେରୁ ଅଧିକ ନେତା କରଦାତାଙ୍କର ହଜାର ହଜାର କୋଟି ଟଙ୍କା ଅର୍ଥକୁ ବାଟମାରଣା କରି ବେଙ୍ଗାଳୁରୁ ଓ ବୁର୍ଜ ଖଲିଫା ରେ ଥିବା ନିଜ ବ୍ୟବସାୟରେ ଅନୈତିକ ଉପାୟରେ ଲଗାଇଛନ୍ତି |ସେମାନଙ୍କ କାରଣରୁ ଦେଶର ଦୁର୍ନୀତିର ତାଲିକାରେ ଜାମ୍ମୁ ଓ କାଶ୍ମୀରର ସ୍ଥାନ ସର୍ବୋଚ୍ଚ| ଗୁଲମାର୍ଗ ଓ ଗଣ୍ଡେରବାଲରେ ଥିବା ଜମିଗୁଡିକ ସେମାନେ ବଳପୂର୍ବକ ଦଖଲ କରିଛନ୍ତି| ବାଗତ ପାରାୟପରା, ଭଟିଣ୍ଡି ଓ ନଗରୋଟା ର ସର୍ବସାଧାରଣ ଜମିକୁ ଜବରଦଖଲ କରି ନିଜ ବଂଶଧରଙ୍କ ପାଇଁ ଅଲିଶାନ ଘର ନିର୍ମାଣ କରିଛନ୍ତି| ଖାଲି ସେତିକି ନୁହେଁ, ଏଇ ଅପରାଧୀମାନେ ୱାକଫ ବୋର୍ଡ଼ ଲୁଟିଛନ୍ତି, ନିଜ ଶ୍ଵଶୁର ଘର ଜରିଆରେ ସେ ଅର୍ଥକୁ ଜାମ୍ମୁ ଓ କାଶ୍ମୀର ଓ ବାହାରେ ଥିବା ବିଭିନ୍ନ ଘରୋଇ ମେଡିକାଲ ଓ ଇଞ୍ଜିନିଅରିଙ୍ଗ କଲେଜରେ ନିବେଶ କରିଛନ୍ତି |

କାରଣ ଗୁପକରର ଥିଏଟର କଳାକାରମାନେ ନିରୀହ ଜନତାଙ୍କୁ ବୋକା ବନେଇବା ପାଇଁ ତାଙ୍କ ଅସ୍ମିତା ସହ ପୁଞ୍ଜିବାଦ ଓ ରାଜନୀତିର ଖେଳ ଖେଳନ୍ତି । କେବଳ ମୂଲ୍ୟବାନ ଭୋଟ ନୁହେଁ କଷ୍ଟୋପାର୍ଜିତ ଧନ ବି ଲୁଟନ୍ତି । କ୍ଷମତାରେ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧ୍ୟକ୍ଷତା କରନ୍ତି । ଏପରିକି ଶୀତଦିନରେ ଶ୍ରୀନଗରର ଶିଶୁ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଶହ ଶହ ଶିଶୁଙ୍କ ରକ୍ତର ଦାଗ ସେମାନଙ୍କ ହାତରେ ଲାଗିଥାଏ। ଆଉ ଯେତେବେଳେ ଏଇ ରାଜନେତାଙ୍କ ହାତରୁ କ୍ଷମତା ଚାଲିଯାଏ, ଅମ୍ଳଜାନ ଓ ରକ୍ତ ପାଇଁ କରାଯାଇଥିବା ଅନୁରୋଧକୁ ଟ୍ୱିଟରରେ ଏମାନେ ଅନ୍ୟମାନଙ୍କ ସହ ବାଣ୍ଟନ୍ତି ।

କାରଣ କିଛି ବଡ ନେତା ଜାମ୍ମୁ କାଶ୍ମୀରର ମତଦାନ ପୂର୍ବରୁ ସମବେଦନାର ରାଜନୀତି କରନ୍ତି ଏବଂ ନିର୍ବାଚନ ସରିଲେ ପାକିସ୍ତାନକୁ ଧନ୍ୟବାଦ ଦିଅନ୍ତି । ସୋପର, ସୋପିଆଁରେ ସର୍ବସାଧାରଣ ଭାଷଣରେ ସେମାନେ ଜନତାଙ୍କୁ ମତଦାନ କେନ୍ଦ୍ରରୁ ଦୂରରେ ରହିବାକୁ ପରାମର୍ଶ ଦେବେ, କାଶ୍ମୀରୀ ଅସାଧାରଣତା ନାଁ ରେ ମାରିବାକୁ ଓ ମରିବାକୁ ଆହ୍ୱାନ ଦେବେ ଏବଂ ଲୋକଙ୍କ ଦୃଷ୍ଟି ଆଢୁଆଳରେ ହାଇଦରପୋରା ଓ ମୈସୁମାରେ ଅଲିସାନ କୋଠା କରିବାକୁ ପାକିସ୍ତାନୀ ଅର୍ଥକୁ ଉପଯୋଗ କରିବେ। ଗୋଟେପଟେ ସର୍ବସାଧାରଣ ସମ୍ପତ୍ତି ତଥା ପୋଲିସ ଗାଡ଼ିରେ ନିଆଁ ଲଗେଇବାକୁ ଏମାନେ ଲୋକଙ୍କୁ ଉସକେଇବେ, ଅନ୍ୟପଟେ ବେଆଇନ ଭାବେ ଏଇ ନେତାମାନେ ନିଜ ପିଲାଙ୍କ ପାଇଁ ସରକାରୀ ଚାକିରୀ ହାସଲ କରିବେ । ଏମାନଙ୍କର ଦେହ ଖରାପ ହେଲେ ବଡ଼ ବଡ଼ ବିଶେଷଜ୍ଞ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ , କିନ୍ତୁ କେରନ କୁଲଗାମରେ ଥିବା ସେମାନଙ୍କ ଅନୁଗାମୀଙ୍କୁ ନିଜ ପାଇଁ ଆମ୍ବୁଲାନ୍ସଟେ ବି ମିଳିବନି । ମାନବାଧିକାରର ସମର୍ଥକ ଭାବେ ଡିଣ୍ଡିମ ପିଟୁଥିବା ନେତାଙ୍କର ଏତେ ଆନ୍ତରିକତା କେବଳ ପାଶ୍ଚାତ୍ୟ ଗଣମାଧ୍ୟମର ବ୍ୟବହାର ପାଇଁ ।

କାରଣ ଏଭଳି ଲୋକ (‘ବନ୍ଧାକୋବି’)ଜାମ୍ମୁ କାଶ୍ମୀରର ରାଜନୈତିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ| କାରଣ ଗୋଟେ ଅସୁଖୀ ବିବାହ ଅପେକ୍ଷା ସ୍ୱଚ୍ଛ ଛାଡ଼ପତ୍ର ଜୀବନ ପାଇଁ ନିଶ୍ଚୟ ସ୍ୱାସ୍ଥ୍ୟକର|

କାରଣ ମୁଁ ଜାମ୍ମୁ, କାଶ୍ମୀର ଓ ଲଦାଖ ବାହାରେ, ଜୀବନ ବିଷୟରେ ହିଁ ଜାଣିନି| ମୁଁ ଜାଣିନି କାରଣ ମୁଁ ଦେଖିନି| ଏ ସ୍ଥାନ ମୋତେ ମୋର ପ୍ରୋଫେଟ ଅବ୍ରହାମ ଦେଇଛି| ପ୍ରୋଫେଟ ଧୋକ୍କା ଦିଅନ୍ତି ନାହିଁ, ହାତ ଧରନ୍ତି| ମୋ ପ୍ରୋଫେଟ ଶ୍ରୀନଗରର ହ୍ରଦ କୂଳରେ ମୋ ହାତ ଧରିଥିଲେ|

ଜାନୁଆରୀ ୨୦୧୯ରେ ଇଣ୍ଡିଆ ଟୁଡ଼େ ସମାରୋହରେ ମୁଁ କହିଥିଲି, “ଯେଉଁମାନେ କାଶ୍ମୀର ପୋଲିସ ଉପରେ ପଥର ଫିଙ୍ଗୁଛନ୍ତି ସେମାନେ ମୋର ଆତ୍ମୀୟ, ତାଙ୍କ ପରିବାରରେ ଅନ୍ତିମ ସଂସ୍କାର, ମୋ ପରିବାରରେ ଅନ୍ତିମ ସଂସ୍କାର ଓ ତାଙ୍କ ପରିବାରରେ ବିବାହ ମୋ ପରିବାରରେ ବିବାହ, ମୁଁ ସେମାନଙ୍କୁ ଅସ୍ବୀକାର କରିପାରିବି ନାହିଁ ।” ଏହା ପରେ ଶ୍ରୀନଗର ପୋଲିସ ମୋ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା ଏବଂ ଅଭିଯୋଗ ଥିଲା ଯେ ମୁଁ ଦେଶ ବିରୋଧୀ। କୋଭିଡ ୧୯ ସମୟରୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅନୁସନ୍ଧାନକାରୀ ଅଧିକାରୀ କିନ୍ତୁ ଏପର୍ଯ୍ୟନ୍ତ ମୋ ସହିତ ଯୋଗାଯୋଗ କରିବାରେ ସକ୍ଷମ ହୋଇ ନାହାଁନ୍ତି ।

ମହାମାରୀ ଆମ ଘର, ଡାକ୍ତରଖାନା, ସ୍କୁଲ, ଖେଳପଡିଆ, ସାଧାରଣ ପରିବହନ ଇତ୍ୟାଦିକୁ ଲୁଟି ନେଲା ।ସହର, ଗାଁ, ବସ୍ତି ସବୁ ମୃତ୍ୟୁ, ରୋଗ ଓ ଦାରିଦ୍ର୍ୟତାରେ ଧ୍ବଂସ ପାଇଗଲା । ଏସବୁ ହେଉଥିବାର ଦେଖିବା ଆଉ କିଛି ନକରିବା ପ୍ରଚଣ୍ଡ ଭୀରୁତା/କାପୁରୁଷତା ହୋଇଥାନ୍ତା । ବ୍ୟକ୍ତିଗତ ସ୍ତରରେ ଏହା ମୋ ପ୍ରାଥମିକତାକୁ ଆହୁରି ଉପରକୁ ନେଲା, ମୋ ମନରେ ଥିବା ସବୁ ଦ୍ଵନ୍ଦକୁ ଦୂର କଲା ଓ ଜୀବନର ଲକ୍ଷ୍ୟକୁ ପୁନଃ-ବ୍ୟବସ୍ଥିତ କଲା । ୨୦୦୦ ମସିହାରେ ଯେବେ ମୁଁ ପୋଲିସ ଏକାଡମୀରେ ପ୍ରବେଶ କଲି, ନିଜଠୁ ମୋର ବହୁତ ଅଧିକ ଆଶା ଥିଲା । ମୁଁ ଦୁଇଜଣ ମହାନ ବ୍ୟକ୍ତିଙ୍କୁ ଭେଟିଥିଲି – ରେଣୁକା ଶାସ୍ତ୍ରୀ ଏବଂ ଆଦିତ୍ୟ ମିଶ୍ର, ଉଭୟ ଉତ୍ତରପ୍ରଦେଶ କ୍ୟାଡ଼ରର ଆଇପିଏସ -ଯିଏକି ନେତୃତ୍ୱର ନୀତି ଏତେ ଅତ୍ମୀୟତାର ସହ ଶିଖେଇଥିଲେ, ଯାହାର ସମତୁଲ ହାଭାର୍ଡ ବିଶ୍ୱବିଦ୍ୟାଳୟର କୌଣସି ଡ଼ିଗ୍ରୀ ହେବନାହିଁ । ଜଣେ ପୋଲିସ ଭାବରେ ମୁଁ, ଅମଲାତନ୍ତ୍ରରେ ରାଜନୈତିକ ନେତା ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ତିଆରି ହୋଇ ଥିବା ଭ୍ରଷ୍ଟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା କରିଛି ; ଏଥିପାଇଁ କୌଣସି ପଶ୍ଚାତାପ ନାହିଁ ।

ଭାରତର ଆଇଏଏସ, ଆଇପିଏସ ଗୋଷ୍ଠୀ ସେମାନଙ୍କ କାର୍ଯ୍ୟକଳାପ ଉପରେ ବ୍ୟାପକ ରାଜନୈତିକ ହସ୍ତକ୍ଷେପର ରାଗ ଆଳାପ କରି ଆସୁଛନ୍ତି କିନ୍ତୁ ଏକଥାକୁ ଅସ୍ବୀକାର କରିଆସୁଛନ୍ତି ଯେ ସେମାନଙ୍କ ପାଖରେ ଚାରିଟି ଗୁଣର ଅଭାବ ରହିଛି – ଜ୍ଞାନ, ବିଶ୍ୱାସ, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱ ।ସେମାନେ ନିଜର ଉପନିବେଶ – ଯୁଗୀୟ ଅଧିକାର ଛାଡିବାକୁ ଡରୁଛନ୍ତି। ଏନ.ପି.ଏ (ଜାତୀୟ ପୋଲିସ ଏକାଡେମୀ )ରେ ପ୍ରଶିକ୍ଷଣ ନେଉଥିବା ବେଳେ, ମୁଁ ଅନୁଭବ କଲି ଯେ, ରାଷ୍ଟ୍ର ନିର୍ମାଣରେ କେ. ସୁଜାତା ରାଓ, ଜୁଲିଓ ଫ୍ରାନସିସ ରେବେରୋ, ଜେମସ ମାଇକେଲ ଲିଙ୍ଗଡୋଙ୍କ ସମେତ ଅନ୍ୟ କିଛିଙ୍କ ଅବଦାନ ସତ୍ତ୍ୱେ, ଭାରତର ସର୍ବୋଚ୍ଚ ଅମଲାତନ୍ତ୍ର ହିଁ ଆମ ଶାସନ ଢାଞ୍ଚାର ରାଜନୈତିକ ଅର୍ଥବ୍ୟବସ୍ଥାରେ ବାସ୍ତବିକ ଏନ.ପି.ଏ(ଅଣପ୍ରଦର୍ଶନକାରୀ ସଂସ୍ଥା )।

ମୁଁ ଆଇପିଏସ ଛାଡି ବିଜେପିରେ ସାମିଲ ହେବାକୁ ସ୍ଥିର କଲି ; କାରଣ ମୋର ଦୃଢ ବିଶ୍ୱାସ ରହିଛି, ଆମ ଜୀବନକାଳ ଭିତରେ ହିଁ ସମ୍ମାନର ସହ ରାଜନୀତିକୁ ବାସ୍ତବିକତାରେ ପରିଣତ କରିପାରିବା ସମ୍ଭବ ହେବ, ଯଦି ଆମେ ରାଜନୀତିର ଉପଭୋକ୍ତା, ଉତ୍ପାଦକ ଏବଂ ନାଗରିକ ଭାବରେ ରାଜନୀତିକୁ ମର୍ଯ୍ୟାଦାର ସହ -ନିର୍ମାଣ କରିପାରିବା।

ଆବ୍ରହାମ ଲିଙ୍କନଙ୍କଠୁ ବାବା ସାହେବ ଆମ୍ବେଦକର, ଗୋଲଡା ମିରଙ୍କଠୁ ନେଇ ଜେସିଣ୍ଡା ଆର୍ଡେନଙ୍କ ପର୍ଯ୍ୟନ୍ତ ରାଜନୀତିକୁ ଏକ ମହତ ବୃତ୍ତି ଭାବେ ଗଣଯାଉଥିଲା। ଅର୍ଣ୍ଣବ ଗୋସ୍ୱାମୀ ଓ ସୁଧୀର ଚୌଧୁରୀଙ୍କ ଭଳି ଟିଭି ଷ୍ଟୁଡିଓ ଆଙ୍କରମାନେ ସାଧାରଣ ଆଲୋଚନାର ସ୍ତରକୁ ନଷ୍ଟ କରିବାରେ ସେତିକି ଦାୟୀ, ଯେତିକି ଦାୟୀ ଲେନିନ – ଷ୍ଟାଲିନଙ୍କୁ ପ୍ରଶଂସା କରୁଥିବା ଓ ଏକ ନିର୍ଦ୍ଧିଷ୍ଟ ଏଜେଣ୍ଡାକୁ ଆଗକୁ ବଢ଼ାଉଥିବା ବାମ -ଉଦାରବାଦୀ ଗଣମାଧ୍ୟମର ଗୋଷ୍ଠୀ, ଯିଏ ଭାବନ୍ତି ସେମାନଙ୍କର ତ୍ରାଣକର୍ତ୍ତା – ରାଜକୁମାର ରାହୁଲ ଗାନ୍ଧି ବୁଦ୍ଧିମାନ ଏବଂ ଭାରତୀୟ ଯୁବଗୋଷ୍ଠୀଙ୍କ ନେତୃତ୍ୱ ଆନ୍ତରିକତାର ସହ ନେବା ସହିତ ସେ ନିଜ ଦମରେ ନିର୍ବାଚନ ଜିତେଇ ପାରିବେ । ଗଣମାଧ୍ୟମ ଆଗରେ ସୋନୀ ସୋରିଙ୍କ ସମ୍ପର୍କରେ ସେ ଯାହା କହିଲେ, ତାର ଭିଡ଼ିଓ ଦେଖିବା କଥା ଏବଂ ସତର୍କ ରହିବା କଥା ସେମାନେ କଣ ଚାହୁଁଛନ୍ତି । ନିଜ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ବିଲ୍ କୁ ଚିରିଦେବା ଭଳି ଦୁଃସାହସ ଓ ବୁଦ୍ଧିମତା ରାହୁଲ ଗାନ୍ଧିଙ୍କ ପାଖରେ ଥିଲା।

ଭାରତରେ ସ୍କୋଡା ଚଳାଉଥିବା ଓ ସ୍କଚ ପିଉଥିବା ବାମବାଦୀ ବୁଦ୍ଧିଜୀବୀମାନେ ଏଭଳି ଅପରିହାର୍ଯ୍ୟ ପ୍ରଶ୍ନକୁ ଏଡାଇ ଯାଇପାରିବେ ନାହିଁ ।

ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀମାନଙ୍କ ଉପରେ ଜନ ସୁରକ୍ଷା ଆଇନ ୨୦୧୯ ଅନୁସାରେ ମାମଲା ରୁଜୁ କରାଯାଉଥିଲା, ଜାମ୍ମୁ ଓ କାଶ୍ମୀରର କେତେ ଜଣ ଲୋକଙ୍କ ଆଖିରୁ ଲୁହ ଗଡ଼ିଥିଲା? ଏହି ରାଜନେତାଙ୍କ ସମୟରେ ଜାରି ହୋଇଥିବା ପିଏସଏ ୱାରେଣ୍ଟର କେତେ ପ୍ରତିଶତକୁ କୋର୍ଟ ଖାରଜ (ରଦ୍ଦ) କରିଥିଲେ? ୨୦୧୯ ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପର୍ଯ୍ୟନ୍ତ – ଜାମ୍ମୁ ଓ କାଶ୍ମୀରରେ ସୁବିଧା ସୁଯୋଗରୁ ବଞ୍ଚିତ ଜନତାଙ୍କର ତିନି ପୀଢ଼ି କିଭଳି ଲାଭାନ୍ୱିତ ହୋଇଥିଲେ? ଗୃହମନ୍ତ୍ରୀ ଭାବେ ପି. ଚିଦାମ୍ବରମଙ୍କ କାର୍ଯ୍ୟକାଳ ସମୟରେ କେତେ ଲୋକଙ୍କୁ ହତ୍ୟା କରାଯାଇଥିଲା? ସେ ହତ୍ୟାକାଣ୍ଡ ବନ୍ଦ କରିବାରେ ତାଙ୍କୁ କିଏ ରୋକିଥିଲେ କି? ଏବେ ୨୦୨୩ରେ ସେ କାହିଁକି ନୈତିକତାର ପାଠ ପଢେଇବାର ଚେଷ୍ଟା କରୁଛନ୍ତି, ଯେତେବେଳେ ସେ ଜାଣିଛନ୍ତି କି, ଏଭଳି କିଛି ଯାହାର ସାମାନ୍ୟତମ ସମାନତା ଅନୁଚ୍ଛେଦ ୩୭୦ ସହ ଥିବ, ଭାରତର ଭୋଟର ସେଭଳି କିଛି କରିବାକୁ ତାଙ୍କ ଦଳକୁ ସୁଯୋଗ ଦେବେନାହିଁ ।

ମୁଁ ଆଇପିଏସ ଛାଡିଲି ଓ ବିଜେପି ରେ ଯୋଗ ଦେବାକୁ ନିଷ୍ପତ୍ତି ନେଲି କାରଣ ମୋର ଉଦ୍ଦେଶ୍ୟ ହେଉଛି ଗୁପକର, ମୈସୁମା ଓ ରାଜୌରି କଦଲର ବିବାଦୀୟ ଉଦ୍ୟୋଗପତିଙ୍କ ଦ୍ୱାରା ଚାଲୁଥିବା ଏକଚାଟିଆ ରାଜନୀତିକୁ ବନ୍ଦ କରିବା ଏବଂ ଗଣତାନ୍ତ୍ରିକ କ୍ଷେତ୍ରକୁ ଯୁବଗୋଷ୍ଠୀଙ୍କ ପାଇଁ ଉପଲବ୍ଧ କରାଇବାରେ ସାହାଯ୍ୟ କରିବା ।

କାରଣ ଜାମ୍ମୁ କାଶ୍ମୀର ଓ ଲଦାଖରେ ମୁଁ ମୋର ସମସ୍ତ ଶକ୍ତି ଓ ସଚ୍ଚୋଟତାକୁ କେନ୍ଦ୍ରିତ କରିବାକୁ ଚାହୁଁଛି ଯାହା ଅବଦୁଲ ସତ୍ତାର ଏଧି ପାକିସ୍ତାନରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କରିଥିଲେ । ନିଜର ୨୩ ବର୍ଷର ଆଇପିଏସ କାର୍ଯ୍ୟକାଳ ଭିତରେ ଥରେ ବି ଜାମ୍ମୁ ଓ କାଶ୍ମୀର ଛାଡି ଦିଲ୍ଲୀକୁ ଡେପୁଟେସନରେ ଯାଇନାହିଁ |ଏ ପବିତ୍ର ସ୍ଥାନ ମୋ କର୍ମଭୂମି ।

କାରଣ ନଭେମ୍ବରର ଏକ ସନ୍ଧ୍ୟାରେ ମୋ ପ୍ରୋଫେଟ ଅବ୍ରହାମଙ୍କୁ ଶ୍ରୀନଗରର ହ୍ରଦ କୂଳରେ ହିଁ ମୁଁ ଭେଟିଥିଲି ।

(ଲେଖକ ୨୦୦୦ ବ୍ୟାଚର ଆଇପିଏସ ଅଧିକାରୀ। ସେ ଜାମ୍ମୁ ଓ କାଶ୍ମୀରରେ କାମ କରନ୍ତି । ଉପସ୍ଥାପିତ ମତ ସମ୍ପୂର୍ଣ ଭାବରେ ତାଙ୍କର ବ୍ୟକ୍ତିଗତ ମତ ।)

Comments are closed.