ତରୁଣ କୁମାର ମିଶ୍ର
ଡାମରା କାଉରେ ଡାମରା କାଉ ,
ଦେଖା ନମିଳଇ ତୋହର ଆଉ।
ଆଗରୁ ପ୍ରତି ସକାଳେ ତୁ ଆସି,
ଡାକି ଉଠାଉଣ ଥିଲୁ ତୁ ବସି ।
ତୋ ଡାକ ଶୁଣିକି ବିଛଣା ଛାଡ଼ି,
ଯାଉଥିଲେ ଲୋକେ କାମରେ ଜଡ଼ି।
କିଏ ଦେଉଥିଲା ଖୁଦ ଚାଉଳ,
କା ପିଢ଼ାରେ ତୁହି ରାବୁ ପ୍ରବଳ।
ଖୁଦ କଣିକାଏ ପାଇଲେ ତୁହି,
ବଡ଼ ଆନନ୍ଦରେ ଥିଲୁ ତୁ ଖାଇ ।
ଏବେ ଆଉ ତୋର ଦେଖା ତ ନାହିଁ,
ଗଛ ପରବତ ହଜିଗଲାଣି।
ସବୁଜ ଜଙ୍ଗଲ ହ୍ରାସ ପାଇକି,
କଂକ୍ରିଟ ଜଙ୍ଗଲ ବଢ଼ୁଛି ବେଶି।
ତୋ ଡାକ ଆଉ କେ ଶୁଣିବ କାହିଁ,
ବଡ଼ି ସକାଳରୁ ଉଠିବା ପାଇଁ ।
ମୋବାଇଲ ଏବେ ସଭିଙ୍କ ହାତେ ,
ସେ ଶୁଆଏ ନିଦେ ଉଠାଏ ବି ସେ ।
ଯେଣୁ ଖୋଜା ତୋର ପଡ଼ୁନି ଆଉ,
ଅଭିମାନେ ତୁହି ନ ଆସୁ ଥାଉ ।
ପିଲା ବେଳେ ଗୀତ ମୁଁ ଶୁଣି ଥିଲି,
ଦୂର ପରବତେ ବୋବାଉ ବୋଲି।
ଏବେ ତ ପର୍ବତ ନାହିଁ କେଉଁଠି ,
ଗଛ ସବୁ ଲୋକେ ନେଲେଣି ଲୁଟି।
ବହି ପଢ଼ି ଦିନେ ନାତିଆ ଟୋକା ,
କହିଲା ହେ ଜେଜେ ଡାମରା ଦେଖା ।
ଦେଖିବି କିପରି ବୋବାଇ ସିଏ ,
ସକାଳୁ ସଭିଙ୍କୁ ଉଠାଇ ଦିଏ ।
ତା’କଥା ଶୁଣି ମୋ ଆଖିରେ ଲୁହ,
କେଉଁଠୁ ପାଇବି ତୋତେ ମୁଁ କହ ।
କେତେ ଦେଖୁଥିଲି ଡାମରା କାଉ,
ଏବେ ଖୋଜିଲେ ତ ନମିଳେ ଆଉ।
ଛବି ହୋଇ ଶେଷେ ରହିବୁ ତୁହି,
ଆମ ପରିବେଶ ସେ ପାଇଁ ଦାୟୀ ।
ଘର ପାଶେ ଏବେ ଲଗାଇ ଗଛ ,
ପକ୍ଷୀଙ୍କ ପାଇଁ ଯୋଗାଇବା ବାସ ।
ଛାଇ ଫୁଲ ଫଳ ପାଇବା ଆମେ,
ପକ୍ଷୀଙ୍କ କାକଳି ଶୁଣିବା କାନେ ।
ଆଉ ରୁଷ ନାହିଁ ଡାମରା ତୁହି,
ଛାଡ଼ି ଯାଅ ନାହିଁ ପାଶ ଆମରି ।
ଖଣ୍ଡଗିରି, ଭୁବନେଶ୍ବର