ନୂଆଦିଲ୍ଲୀ : ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାକୁ ନେଇ ଭାରତୀୟ ରେଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କାହିଁକି ଟ୍ରେନର ବଗି ଏବଂ ସିଟ୍ କ୍ଷମତାଠାରୁ ଅଧିକ ଟିକେଟ୍ ବିକ୍ରି କରା ଯାଇଥିଲା ? କାହିଁକି ଟିକେଟ୍ ବିକ୍ରିର କୌଣସି ସୀମା ନଥିଲା ? କାହିଁକି ରେଳବାଇ ଆଇନର ଧାରା ୧୪୭ ଅନୁସରଣ କରାଯାଇ ନଥିଲା ? ଭାରତୀୟ ରେଳ ଏବଂ କେନ୍ଦ୍ର ସରକାରଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ । ତୁରନ୍ତ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ନୋଟିସ୍ ଜାରି କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. କେ. ଉପାଧ୍ୟାୟ ଏବଂ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ।
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଗତ ସପ୍ତାହରେ ହୋଇଥିବା ଦଳାଚକଟା ପାଇଁ କିଏ ଦାୟୀ, କାହିଁକି ଏମିତି ହେଲା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଗତ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି ହଇକୋର୍ଟ ବିରକ୍ତି ପ୍ରକାଶ କରିବା ସହ କେନ୍ଦ୍ର ସରକାର ଓ ଭାରତୀୟ ରେଳକୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନା ଥାଉକି, ନୂଆଦିଲ୍ଲୀ ରେଳଷ୍ଟେସନରେ ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ନଂ ବଦଳିବା ପରେ ଯାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଷ୍ଟେସନରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘଟଣାଦିନ ଟ୍ରେନଟି ପ୍ଲାଟଫର୍ମ ୧୪ରେ ପହଞ୍ଚିବାର ଥିଲା । କିନ୍ତୁ ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ହିଁ ପ୍ଲାଟଫର୍ମ ନଂରେ ପରିବର୍ତ୍ତନ କରିଦିଆଗଲା । ଯାହା ଫଳରେ ଯାତ୍ରୀମାନେ ଟ୍ରେନ୍ ଆସିବା ପ୍ଲାଟଫର୍ମକୁ ଯିବା ପାଇଁ ଦୌଡିବା ଆରମ୍ଭ କରିଦେଲେ । ଏହା ଦ୍ବାରା ବସିଥିବା ଏବଂ ଶୋଇଥିବା ଯାତ୍ରୀଙ୍କ ଉପରେ ମଧ୍ୟ କିଛି ଯାତ୍ରୀ ଚଢିଯାଇଥିଲେ । ଫଳରେ ଅନେକ ଲୋକ ମୃତାହତ ହୋଇଥିଲେ ।
Comments are closed.