ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ଅଧିନାୟକ ଶ୍ରେୟାଶ ଆୟାର ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ଏକ ବଡ ପରିବତୟନ କରିଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସେ ତାଙ୍କ ଦ୍ୱିତୀୟ ଜନ୍ମ ତାରିଖ ଭାବେ ୨୫-୧୨-୨୦୨୫ ଲେଖିଛନ୍ତି । ଏହାର କାରଣ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ଶ୍ରେୟାଶଙ୍କ ପ୍ରକୃତ ଜନ୍ମ ତାରିଖ ୬ ଡିସେମ୍ବର ୧୯୯୪ । ଦ୍ୱିତୀୟ ଜନ୍ମ ତାରିଖକୁ କେତେଜଣ ମୁଦ୍ରଣ ଜନିତ ତ୍ରୁଟି ବୋଲି ଭାବିଥିଲେ । ବହୁତ ଅନୁଧ୍ୟାନ କରିବା ପରେ ଏହାର ରହସ୍ୟ ଉଜାଗର ହୋଇଥିଲା । ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଏପରିକି ଏହି ଆଘାତ ପରେ ତାଙ୍କ କ୍ୟାରିୟର ନେଇ ମଧ୍ୟ ସଂଶୟ ସୃଷ୍ଟି ହୋଇଥିଲା ।
ଡାକ୍ତରଙ୍କ ଉଦ୍ୟମ ଏବଂ ଲମ୍ବା ରିହ୍ୟାବ ପରେ ସେ ସୁସ୍ଥ ହୋଇଥିଲେ । ବିଜୟ ହଜାରେ ଟ୍ରଫିରେ ସେ ମୁମ୍ବାଇ ପକ୍ଷରୁ ଖେଳି ୮୨ ଓ ୪୫ ରନର ଇନିଂସ ଖେଳିଥିଲେ । ସେ ଏହା ମାଧ୍ୟମରେ ନିଜକୁ ଫିଟ ଘୋଷିତ କରିଥିଲେ । ପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିଥିଲେ । କ୍ୟାରିୟର ଦୃଷ୍ଟିକୋଣରୁ ଏହା ତାଙ୍କର ଦ୍ୱିତୀୟ ଜନ୍ମ ଥିଲା । ସେଥିପାଇଁ ସେ ଏହାକୁ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଥିଲେ । ଅବଶ୍ୟ ଶ୍ରେୟାଶ ଏ ପର୍ଯ୍ୟନ୍ତ ଏହା ଉପରେ କିଛି ସ୍ପଷ୍ଟ କରି ନାହାନ୍ତି । ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଭାରତର ନେତୃତ୍ୱ ନେବେ ।
