ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ ୨୦୨୪ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ ।
ଉଭୟ ବର୍ଷ ପାଇଁ ୩୨ଟି ଲେଖାଏଁ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କୃତ ହେବାକୁ ଯାଉଥିବା କଳାକାର ୭ ଜଣ ଜୁରିଙ୍କ ଦ୍ଵାରା ମନୋନୟନ ହୋଇଛନ୍ତି ।
ଜୁନ୍ ୨୬ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ।
ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଭାମାନଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ୨୦୨୩ ପାଇଁ ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ଶ୍ରୀମତୀ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
୨୦୨୩ ପାଇଁ ହରିହର ମହାପାତ୍ର ଏବଂ ୨୦୨୪ ପାଇଁ ବାବୁସାନଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତା, ୨୦୨୩ ପାଇଁ ମିଳିତ ଭାବେ ନୈନା ଦାଶ ତିୱାରୀ ଓ ସୁପ୍ରିୟା ନାୟକ ଏବଂ ୨୦୨୪ ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ୨୦୨୩ ପାଇଁ ପିନାକୀ ସିଂ ଓ ଶିଶିର କୁମାର ସାହୁ ଏବଂ ୨୦୨୪ ପାଇଁ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ।
୨୦୨୩ ପାଇଁ ୩୧ଟି ବର୍ଗ ଏବଂ ୨୦୨୪ ପାଇଁ ୩୧ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।
