Latest Odisha News

ଶୀତ ଦିନେ କେତେ ଜରୁରୀ ସନସ୍କ୍ରିନ୍?

ଭୁବନେଶ୍ବର: ସନସ୍କ୍ରିନ୍ ଆମ ଶରୀରକୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମୀ ଠାରୁ ରକ୍ଷା କରେ । କିନ୍ତୁ କିଛି ଲୋକ ରହିଥାନ୍ତି ଯେଉଁମାନେ କେବଳ ଖରାଦିନେ ସନସ୍କ୍ରିନ୍ ବ୍ୟବହାର କରିଥାନ୍ତି । ଆଉ ଶୀତ ଦିନ ଆସିଲେ ଏହା ଉପରେ ଏତେ ଗୁରୁତ୍ବ ଦିଅନ୍ତି ନାହିଁ । ଯଦି ଆପଣ ବି ସେମାନଙ୍କୁ ମଧ୍ୟରୁ ଜଣେ, ତାହେଲେ ଜାଣନ୍ତୁ ଆପଣ ଆପଣଙ୍କ ଚର୍ମର କ୍ଷତି କରୁଛନ୍ତି । ଶୀତ ଦିନେ ବି ତ୍ବଚା ଟାନ୍ ପଡେ ।

ଯଦି ଆପଣ ଭାବୁଛନ୍ତି ଶୀତ ଦିନେ ସନସ୍କ୍ରିନ୍ ଲଗାଇବା ଆବଶ୍ୟକ ନୁହେଁ, ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ । ଏଟା ସତ ଯେ, ଶୀତ ଦିନ ସୂର୍ଯ୍ୟକିରଣ, ଖରାଦିନ ଭଳି ଟାଣ ହୋଇନଥାଏ । ହେଲେ ଏଥିରେ ମଧ୍ୟ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ ଆମ ତ୍ବାଚାକୁ କ୍ଷତି ପହଞ୍ଚାଇଥାଏ । ଏହି ସମୟରେ ୟୁବିବି କିରଣ ଅପେକ୍ଷା ୟୁବିଏ କିରଣ ଅଧିକ ବାହାରେ । ଅଧିକାଂଶ ଲୋକ ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ବସନ୍ତି। ଯାଦ୍ୱାରା ତ୍ୱଚା ଟ୍ୟାନ୍‌ ପଡ଼ିଯାଏ । ତ୍ୱଚାରେ ସନବର୍ଣ୍ଣ, ଦାଗ, କୁଞ୍ଚନ ଓ ବୟସ ପୂର୍ବରୁ ବୟସ ଛାପ ପଡ଼ିଯାଏ। ଏହି କିରଣରୁ ରକ୍ଷା ପାଇବା ଲାଗି ସନସ୍କ୍ରିନ ଲୋସନର ଖୁବ ଆବଶ୍ୟକତା ରହିଛି।

ତେବେ ଖରାଦିନ ଅପେକ୍ଷା ଶୀତଦିନେ ଆମ ତ୍ବଚା ଅଧିକ ଆଦ୍ରତା ଆବଶ୍ୟକ କରେ । ଆଉ ଶୀତ ଦିନର କୋହଲା ପାଗ ଯୋଗୁଁ ଏହା ତ୍ବଚାରେ ଜ୍ବଳନ ମଧ୍ୟ ଅନୁଭବ ହେବାକୁ ଦିଏନାହିଁ । ତେଣୁ ଏହି ସମୟରେ ଖରାଦିନ ଅପେକ୍ଷା ତ୍ବଚା ଅଧିକ ସମ୍ବେଦନଶୀଳ ହୋଇଥିବା ବେଳେ କ୍ଷୟ ହେବାର ଅଧିକ ଆଶଙ୍କା ରହିଥାଏ । ଶୀତଦିନେ ବାହାରୁଥିବା ୟୁବିଏ କିରଣ ଚର୍ମକର୍କଟର ମୁଖ୍ୟ କାରଣ । କାରଣ ଏହି ସମୟରେ ଓଜନ ସ୍ତର ଖୁବ ପତଳା ହୋଇଯାଏ । ଯାହାଦ୍ବାରା ଏହା ମଧ୍ୟ ଦେଇ ଆସୁଥିବା ସୂର୍ଯ୍ୟଙ୍କ ଅଲଟ୍ରାଭାଓଲେଟ ରେ ଆମକୁ ଅଧିକ କ୍ଷତି ପହଞ୍ଚାଏ । ଆହୁରି ମଧ୍ୟ ଗରମ ଦିନରେ ଶରୀରରୁ ବିଷାକ୍ତ ତତ୍ତ୍ୱ ଝାଳ ରୂପେ ବୋହି ଯାଇଥାଏ। କିନ୍ତୁ ଶୀତ ଦିନେ ତାହା ହୁଏନାହିଁ ।

ତେଣୁ ଖରାଦିନ ଭଳି ଶୀତ ଦିନେ ମଧ୍ୟ ସନସ୍କ୍ରିନ୍ ବ୍ୟବହାର କରିବା ନିହାତି ଆବଶ୍ୟକ । ଶୀତଦିନେ ହେଉ ବା ଖରାଦିନେ ପ୍ରତି ୨ଘଣ୍ଟାରେ ଥରେ ସନସ୍କ୍ରିନ ଲଗାନ୍ତୁ। ଏସପିଏଫ୍ ୭ରୁ ଆରମ୍ଭ କରି ଏସପିଏଫ୍ ୧୦୦ ପର୍ଯ୍ୟନ୍ତ ସନସ୍କ୍ରିନ ଲୋସନ ମିଳୁଛି। ହେଲେ ଅତ୍ୟଧିକ ଏସପିଏଫ୍ ଯୁକ୍ତ ଲୋସନ ମଧ୍ୟ ଆମ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ । ତେଣୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତର ପାଣିପାଗକୁ ଦେଖି ଏଠାରେ ଏସପିଏଫ୍ ୨୦-୩୦ ମଧ୍ୟରେ ଥିବା ସନସ୍କ୍ରିନ ଲୋସନ ବ୍ୟବହାର କରିବା ଉଚିତ୍ ।

Comments are closed.