Latest Odisha News

BREAKING NEWS

‘ସୁନ୍ଦରୀ’ ଏବେ କଡ୍ଡା ନଜରରେ ରହିବ

ଭୁବନେଶ୍ୱର: ହିଂସ୍ର ହୋଇ ଉଠିଥିଲା ‘ସୁନ୍ଦରୀ । ତେବେ ଛତିଶଗଡ଼ର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀର ଏପରି ଆଚରଣରେ ସାତକୋଶିଆ ତଥା ଆଠଗଡ଼ ବନଖଣ୍ଡକୁ ଲାଗି ରହିଥିବା ଗ୍ରାମରେ ଆତଙ୍କ ଖେଳିଯାଇଥିଲା । ଏବେ କିନ୍ତୁ ସୁନ୍ଦରୀର ଆଚରଣ ଓ ଗତିବିଧିର ତୀକ୍ଷ୍ଣ ନଜର ରଖିବେ ବନବିଭାଗ ତଥା ଡ଼େରାଡୁନରୁ ଆସିଥିବା ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ।

ଏହି ବିଶେଷଜ୍ଞ ଦଳରେ ରହିଛନ୍ତି ‘ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ’ (ଡ଼ବ୍ଲ୍ୟୁଆଇଆଇ)ର କିଛି ବରିଷ୍ଠ ଅଧିକାରୀ ତଥା ଡ଼େରାଡୁନସ୍ଥିତ ‘ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ’ ଓ ‘ଏନଟିସିଏ’ର କିଛି ଅଧିକାରୀ । ଏହି ଦଳ ରବିବାର ଦିନ ଆସି ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛନ୍ତି ।

ଏହି ବିଶେଷଜ୍ଞ ଦଳ ପ୍ରଥମେ ଅନୁଧ୍ୟାନ କରିବ କାହିଁକି ସୁନ୍ଦରୀ ଏମିତି ହିଂସ୍ର ହୋଇ ଉଠିଛି । ପୁରୁଷ ବନ୍ଧୁଟିଏର ଅନୁପସ୍ଥିତି ଯୋଗୁଁ ସୁନ୍ଦରୀ ଏପରି ଆଚରଣ କରୁନାହିଁ ତ? । ଛତିଶଗଡ଼ର ବାନ୍ଧବଗଡ଼ରେ ଥିଲା ବେଳେ ତାର ସମସ୍ତ ଗତିବିଧି ଓ ଆଚରଣର ତାଲିକା ହସ୍ତଗତ କରିଛନ୍ତି ଏହି ଦଳ ।

ତେବେ ଶନିବାର ଦିନ ସାତକୋଶିଆ ଠାରୁ ୧୦୦ କିଲୋମିଟର ଦୂର ଆଠଗଡ଼ ବନଖଣ୍ଡରେ ପ୍ରବେଶ କରିଛି ସୁନ୍ଦରୀ ।

ଏହାକୁ ଭିତ୍ତି କରି ଏହି ଦଳ ନିର୍ଣ୍ଣୟ କରିବ ଯେ, ସୁନ୍ଦରୀକୁ ଏହି ସାତକୋଶିଆ ଅଭୟାରଣ୍ୟରେ ରଖାଯିବ କି ତାକୁ ରାଜ୍ୟର ଅନ୍ୟ କେଉଁ ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ ।

ଏହି ବିଶେଷଜ୍ଞ ଦଳ ସାତକୋଶିଆରେ ପହଞ୍ଚିବା ପରେ ପ୍ରଥମେ ହାତୀବାରି ଗ୍ରାମକୁ ଯାଇଥିଲା, ଗତ ୧୨ ତାରିଖରେ ଏହି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ଏହାଛଡ଼ା ଏହି ଦଳ ଟିକରପଡ଼ା ଜଙ୍ଗଲ ଏବଂ ହାତୀବାରି ଜଙ୍ଗଲ ପରିଦର୍ଶନ କରିଥିଲେ ।

ଏହି ଦଳ ମଧ୍ୟ ଟିକରପଡ଼ା ଫରେଷ୍ଟ ରେଞ୍ଜ ଅଫିସକୁ ଗସ୍ତ କରିଥିଲେ, ଯେଉଁ ଅଫିସଟିକୁ ଗ୍ରାମବାସୀମାନେ ପୋଡ଼ିଦେଇଥିଲେ ।

Leave A Reply

Your email address will not be published.