Latest Odisha News

BREAKING NEWS

ଓଡ଼ିଶାରେ ଅମିତ ଶାହଙ୍କ ସ୍ବପ୍ନ ସାକାର ହେବ କି?

ରାଜ୍ୟରେ ୨୨ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି । 2000 ମସିହା ମାର୍ଚ 5 ତାରିଖରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ତାଙ୍କର ସରକାର ଚାଲିଛି  । ୨୦୦୯ ପର୍ଯ୍ୟନ୍ତ ବିଜେପି ନବୀନଙ୍କ ବିଜେଡି  ସହ ମେଂଟ କରି ସରକାରରେ ଥିଲା । ଆଉ ୨୦୦୯ରୁ ୨୦୨୪ ରେ ହେବାକୁ ଥିବା ସରକାରରେ , ସରକାର ଗଠନ ପାଇଁ ସ୍ବପ୍ନ ଦେଖୁଛି । ଗତକାଲି ମଧ୍ୟ ରାତ୍ରିରେ ଭୁବନେଶ୍ବରରେ ପହଁଚି ଶାହ କଣ ଦେଖିଲେ କେଜାଣି? ଆଜି ସୋମବାର ଅପରାହ୍ନରେ କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବ । ଅବଶ୍ୟ ରାଜନୈିତିକ ଦଳମାନଙ୍କୁ ସ୍ବପ୍ନ ଦେଖିବାକୁ ମନା ନାହିଁ । କିନ୍ତୁ ସ୍ବପ୍ନରେ ଟିକେ ବାସ୍ତବତା ରହିବା ବି ଦରକାର । ରାତି ଅଧରେ କିଛି କର୍ମୀଙ୍କ ନାରା ଶୁଣି ଯଦି ଶାହ ଏପରି କହିଥାନ୍ତି ତେବେ ତ ଏହା ମାନିବାକୁ ହେବ ଯେ ଶାହଙ୍କ ଓଡ଼ିଶା ହୋମ୍ ଓ୍ବାର୍କ ପୂର୍ବ ଭଳି ବି ସ୍ପଷ୍ଟ ନାହିଁ  । କାରଣ ୨୦୧୯ ପରେ ସେମିତି କିଛି ଫଳ ଓଡ଼ିଶାରେ ଫଳିନାହିଁ କି ସେମିତି କିଛି ଘଟଣା ଏଠି ଘଟିନାହିଁ ଯାହାକୁ ନେଇ ଶାହ ଏପରି ଦାବି କରିପାରିବେ ।

୨୦୧୯ରେ ଶାହଙ୍କର ୧୨୦ ମିଶନ ଫେଲ ହୋଇଛି ଏହା ସମସ୍ତେ ଜାଣନ୍ତି । ସୋମବାର ଦିନ ମୋଦି@୨୦ ପୁସ୍ତକର ଓଡ଼ିଶା ଚାପ୍ଟର ର ଭୁବନେଶ୍ୱରରେ ଲୋକାର୍ପଣ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହ  କହିଛନ୍ତି ରାଜ୍ୟରେ ଆମ ସରକାର ହେବାକୁ ଯାଉଛି  । ଆଉ ଏହା ବି କହିଛନ୍ତି ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ପାର୍ଟିର ସରକାର ଚାଲିଛି। ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଆମ ପାର୍ଟି ସରକାର ଶାସନ କରୁଛି। ଆଗକୁ ଓଡ଼ିଶାରେ ବି ବିଜେପି ସରକାର ହେବାକୁ ଯାଉଛି । ଏଠାରେ କୁହାଯାଇପାରେ ସକାଳେ ନବୀନଙ୍କ ହାତ ଧରି ଚାଲୁଥିବା ଶାହ ସଂଧ୍ୟାବେଳେ ହାତ ଛାଟି ନିଜ କର୍ମୀଙ୍କ ଆଗରେ ଆମ ସରକାର ଗଠନ ହେବାକୁ ଯାଉଛି କହିବା, ଶାହଙ୍କ ଭଳି ରାଜନେତାଙ୍କୁ ଶୋଭାପାଉନାହିଁ । କାରଣ ଏହି କଥାରେ ଅନେକ ଆଶଙ୍କା  ରହିଛି ।

ଅବଶ୍ୟ ଶାହଙ୍କ ସ୍କ୍ରିପ୍ଟ ଯିଏ ଲେଖିଛନ୍ତି ସେ ବି ଏମିତି ୨୦୧୯ରେ ଛାତି ଫୁଲାଇ କହୁଥିଲେ ଏଥର ଆମେ ସରକାର ଗଠନ କରିବୁ । ଆଉ ତାଙ୍କ ସହ ତାଳ ଦେଇ ଶାହ କହିଥିଲେ ୧୨୦ ଆସନ ଦଖଲ କରିବୁ । କିନ୍ତୁ କିଛି ହେଲା କି?  କଣ ହେଲା, ତାହା ଆପଣମାନେ ଭଲ ଭାବେ ଜାଣନ୍ତି । ଦଳ କେତେ ଆସନରେ ଜିତିଲା?  ଆଉ ତାପରେ କିପରି ବିଜେଡି ସହିତ ସାଲିସ କଲା ତାହା ବି ଓଡ଼ିଶାବାସୀ ଭଲଭାବେ ଜାଣନ୍ତି ।

ଆଉ ଗୋଟିଏ କଥା ହେଲା ୨୦୧୯ ପରେ ଯେତେ ଉପ ନିର୍ବାଚନ ହୋଇଛି ସେଥିରେ ମଧ୍ୟ ବିଜେପି ଅମାନତ ହରାଇଲା ଭଳି ପ୍ରମାଣ ଛାଡିଯାଇଛି। ପଂଚାୟତ ନିର୍ବାଚନ କଥା ନକହିଲେ ଭଲ । ଆଉ ପୈାର ନିର୍ବାଚନରେ ଦଳ ପୂର୍ବ ଅପେକ୍ଷା ଆହୁରି ତଳକୁ ଯାଇଛି । ଏହାର ମାନେ ହେଉଛି ଦଳର କାର୍ଯ୍ୟକର୍ତ୍ତା ନେତୃତ୍ବ ପ୍ରତି ପୁରା ବିମୁଖ ହୋଇଛନ୍ତି । ସତ କହିବାକୁ ଗଲେ ବିଜେପି ଭିତରେ କିଏ ନେତା? ତାହା କାର୍ଯ୍ୟକର୍ତ୍ତାମାନେ ଜାଣିପାରୁନାହାଁନ୍ତି ।

ଗତକାଲି ରାତିରେ ଯେପରି ଶାହଙ୍କୁ ରାତି ଅଧିଆ ସମ୍ବର୍ଦ୍ଧନା ଦିଆଗଲା ଏଥିରୁ ସ୍ପଷ୍ଟ ଯେ ଖାଲି କେନ୍ଦ୍ରୀୟ ନେତୃତ୍ବକୁ ଖୁସି କରି ରାଜ୍ୟ ନେତୃତ୍ବ ବାହାବା ନେବାକୁ ଚାହୁଁଛନ୍ତି ।  ଶାହ ଭଲଭାବେ ଜାଣିଛନ୍ତି ଓଡ଼ିଶାରେ ତାଙ୍କ ମନ୍ତ୍ର, ବଳ, କ୍ଷମତା, ଅର୍ଥ କିଛି କାମ କରୁ ନାହିଁ । କାରଣ ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କ ଭଳି ମଧ୍ୟ ଲୋକପ୍ରିୟ । ଏହା ବି ଅନେକ ଥର ପ୍ରମାଣିତ ହୋଇଛି । କଂଗ୍ରେସ ମୁକ୍ତ ଅଭିଯାନରେ ମୋଦି ସଫଳ ହୋଇଛନ୍ତି ସତ୍ୟ । କିନ୍ତୁ ନବୀନ ମୁକ୍ତ ଓଡ଼ିଶା ଅଭିଯାନ କେବେ ସଫଳ ହୋଇନାହିଁ କି ହେବ ବି ନାହିଁ ଏହା ବି ସତ୍ୟ । ଏହାକୁ ବି ରାଜ୍ୟ ବିଜେପି ନେତୃତ୍ବ ମାନି କାର୍ଯ୍ୟ କରୁଥିବା ଅନେକ ଥର ଦେଖାଯାଇଛି । ଆପଣମାନେ ଦେଖିଥିବେ ୨୦୧୯ ଠାରୁ କିପରି ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ଇଲୁ ଇଲୁ ଖେଳ ଚାଲିଛି। ଯାହା ଫଳରେ ୨୦୧୯ ପରଠାରୁ ରାଜ୍ୟ ବିଜେପି ଲଢ଼ିବା ପରିବର୍ତ୍ତେ ନବୀନଙ୍କ ସହ ସାଲିସ କରିବାରେ ଲାଗିଛି । ଯାହାର ଲାଭ ଆଗାମୀ ଦିନରେ କଂଗ୍ରେସ ନେବାକୁ ଯାଉଛି । ପୁଣି କଂଗ୍ରେସ ଦୁଇ ନମ୍ବରକୁ ଯିବାପାଇଁ କସରତ କରୁଛି । ବ୍ରଜରାଜନଗରରେ ମଧ୍ୟ ତାହା କରି ଦେଖାଇଛି ।

ମୋଦି ଭଲ ଭାବେ ଜାଣିଛନ୍ତି ରାଜ୍ୟ ବିଜେପି ନବୀନ ପଟ୍ଟନାୟକଙ୍କୁ ସାମନା କରିପାରିବ ନାହିଁ। ତେଣୁ ସେ ଅନ୍ୟ ଆଞ୍ଚଳିକ ନେତାଙ୍କ ପ୍ରତି ଯେପରି କଠୋର ମନୋଭାବ ଗ୍ରହଣ କରୁଛନ୍ତି ନବୀନଙ୍କ ପାଖରେ ସେପରି କଠୋର ହେବା ଦେଖାଯାଇନାହିଁ । ଯଦିଓ ବିଭିନ୍ନ ବିବାଦରେ ବିଜେଡି ଫସିଛି । କିନ୍ତୁ ଯେଉଁମାନେ ବିବାଦୀୟ ନେତା ତାଙ୍କ ପକ୍ଷ ଛେଦନ କରି ପୁଣି ନବୀନ ଏବେ ଶହେ ଶହେରେ ଶାସନ କରୁଛନ୍ତି । ତେଣୁ ଯେତେବେଳେ ପୂର୍ବ ଭାରତରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତି କରି ଶାହ ସଫଳ ହେବା କଥା କହୁଛନ୍ତି । ସେଥିରେ ଓଡ଼ିଶାରେ ସେ ଫେଲ ହୋଇଥିବା କଥା ମନେ ପକାଉନାହାଁନ୍ତି ।
ବିଜେପିର ଆଧିପତ୍ୟ ଥିବା ଉତ୍ତର ଭାରତ ଓ ପଶ୍ଚିମ ଭାରତ ପରେ ପୂର୍ବ ଭାରତ କଥା କହିବା ବେଳେ ସୋମବାର ଯାହା ଶାହ କହିଲେ ଏଥିରେ ତିଳେ ମାତ୍ର ସତ୍ୟତା ନାହିଁ । ଯେହେତୁ ଓଡ଼ିଶାରେ ଜାତି କିମ୍ବା ଧର୍ମ ଆଧାରରେ ନିର୍ବାଚନ ହୁଏ ନାହିଁ ଏଠାରେ ବିଜେପିର ଜାତି ଫର୍ମୁଲା  କାମ କରି ନାହିଁ କି କରିବ ନାହିଁ ।  ପଶ୍ଚିମବଂଗ ଏବଂ କେରଳ ପରି ଏଠାରେ ବିଜେପି ଲଢ଼େଇ କରୁନାହିଁ ଏହା ହେଉଛି ସବୁଠାରୁ ବଡ ସତ୍ୟ ।

ଏଠାରେ କୁହାଯାଇପାରେ ଯେ ପୂର୍ବ ଭାରତରେ ତୃଣମୂଳ କଂଗ୍ରେସ ଓ ବିଜେଡି ଦୁଇ ଦଳ ଅଟଳ ବିହାରି ବାଜପେୟୀଙ୍କ ଆଶୀର୍ବାଦରେ ସରକାର ଗଠନ କରିଥିଲା । ହେଲେ ୨୦୦୯ରେ ଏନଡିଏରୁ ବାହାରି ଆସି ଏକଲା ଚଲୋ ନୀତିରେ ନବୀନ ଯେପରି ବିପୁଳ ଜନ ସମର୍ଥନ ହାସଲ କରିଛନ୍ତି । ସେପଟେ ମମତା ବାନାର୍ଜୀ ମଧ୍ୟ ସଫଳତା ପାଇଛନ୍ତି ତାହାକୁ ମଧ୍ୟ ଆଲୋଚନା କରାଯାଇପାରେ । ଲଗାତାର ଦୁଇଟି ନିର୍ବାଚନରେ ଯେଉଁଭଳି ନବୀନ ଆଉ ମମତା ଜନମତ ପାଇ ସରକାର ଗଢିଛନ୍ତି ତାହା ଦେଖିଲେ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏହା ଜମାରୁ ଦେଖାଯାଉନାହିଁ ।
ଅବଶ୍ୟ କିଛି ସମୟ ବ୍ୟବଧାନରେ ରାଜ୍ୟରେ ବିଜେପିର ଭୋଟ ଭାଗ ବଢିଛି । ହେଲେ ବିଜେଡିର ବିକଳ୍ପ ଭାବେ ବିଜେପି ଯେ ଆଜି ପର୍ଯ୍ୟନ୍ତ ନିଜକୁ ଠିଆ କରିପାରିଛି ଏକଥା ବିଜେପି ନେତା କହିପାରିବେ ନାହିଁ । ୨୦୨୪ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଓଡ଼ିଶାରେ ନିର୍ବାଚନ ହେବ । ମାତ୍ର ସରକାର ରାଜ୍ୟରେ ବିଜେପି କରିବ କି? ଏହାର ଉତ୍ତର ପାଠକମାନେ ଭାବନ୍ତୁ ଏବଂ ବିଚାର କରନ୍ତୁ କଣ ମନକୁ ଆସୁଛି । ନିଶ୍ଚୟ ନା ହେବ । ବିଜେପି କଡ଼ା ଟକ୍କର ପାଇଁ ଭାଷଣରେ କହିପାରେ । ମନ ବୁଝାଇବାକୁ ଦଳ ଉଦ୍ୟମ କରିପାରେ । ସତ ହେଉଛି ଓଡିଶାରେ ବିଜେପିର ବିଜୟ ଏଠାରେ ଏତେ ସହଜ ନୁହେଁ । ଏହା ବି ସମସ୍ତେ ଜାଣନ୍ତି । ଏପରିକି ବିଜେପି ନେତା ମଧ୍ୟ ଏହା ହିଁ ବିଶ୍ବାସ କରନ୍ତି । ସିଧାସଳଖ ଭାବେ କହିବାକୁ ଗଲେ ବିଜେପି କେନ୍ଦ୍ରୀୟ ନେତାଙ୍କ ଗଣିତ ଓ ରଣନୀତିକୁ ରାଜ୍ୟ ବିଜେପି ଓଡ଼ିଶାରେ ଲାଗୁ କରିପାରୁନାହିଁ । ଏବଂ ପ୍ରତି ନିର୍ବାଚନ ପରେ ସମାଲୋଚନାର ଶିକାର ହେଉଛି ବିଜେପି ।
ଅବଶ୍ୟ ସାମ୍ବାଦିକଙ୍କ ପ୍ରଶ୍ନକୁ ରାଜ୍ୟ ବିଜେପି ନେତାମାନେ ବର୍ଷ ବର୍ଷ ଧରି ପ୍ରତ୍ୟାଖ୍ୟାନ କରୁଥିଲେ ମଧ୍ୟ ଭିତରେ ଭିତରେ ସତ ବୋଲି ମାନୁଛନ୍ତି । ବିଜେଡିର ରଣନୀତିକୁ ଭୁଲ ପ୍ରମାଣିତ କରାଯିବ କହୁଥିବା କିଛି ବିଜେପି ନେତା ରାତିରେ ସ୍ବପ୍ନ ଦେଖି ସକାଳେ ଶୋଇଯିବା ଶାହ ଜାଣୁଛନ୍ତି କିନ୍ତୁ କର୍ମୀଙ୍କ ଆଗରେ ମିଛ ପ୍ରତିଶ୍ରୁତି ଦେଇ କିଛି ଶକ୍ତି ସଂଚାର କରିବାକୁ ଚେଷ୍ଟା କରୁଛନ୍ତି । ନିଜ କାର୍ଯ୍ୟକର୍ତ୍ତାଙ୍କୁ ଦେଖି ଶାହ କିଛି ସମୟ ପାଇଁ ଉତ୍ତେଜିତ ହୋଇ ଏପରି କହିଯାଉଛନ୍ତି । କାରଣ ଭୋଟରଙ୍କ ମନ ପରିବର୍ତ୍ତନ ବାବଦରେ ବୋଧହୁଏ ତାଙ୍କ ପାଖରେ କିଛି ତଥ୍ୟ ନାହିଁ । ପଂଚାୟତ ନିର୍ବାଚନରେ ଦଳ ଶୋଚନୀୟ ପରାଜିତ ହେଲା । ପୈାର ନିର୍ବାଚନରେ ଦଳ ସମାଲୋଚିତ ହେଲା ଏ ଖବର ଶାହଙ୍କ ପାଖରେ କେହି ପହଁଚାଉନାହାଁନ୍ତି ।
ତେବେ ବଡ କଥା ହେଉଛି ଅନେକ ରାଜ୍ୟରେ ଅମିତ ଶାହଙ୍କ ଗଣିତରେ ଶହେରୁ ଶହେ ଫଳ ଆସୁଥିବା ବେଳେ ଓଡ଼ିଶାରେ କାହିଁ ଦଳ ପାସ ମାର୍କ ୩୦ ବି ଛୁଇଁ ପାରୁନାହିଁ । ପୂର୍ବରୁ ଅମିତ ଶାହା ମଧ୍ୟ ଆସି ଓଡିଶା ଗସ୍ତବେଳେ ବିଜେଡି ସଭାପତିଙ୍କୁ ଯେଛା ତେଛା କରି ସମାଲୋଚନା କରିଛନ୍ତି । ତାର ପ୍ରଭାବ କିଛି ପଡିଛି କି?

୨୦୨୪ରେ ରେ କିଏ ଜିତିବ? କେତେ ଆସନ ଜିତିବ?  ତାକୁ ନେଇ ବିତର୍କ ଏବେଠୁ ଆରମ୍ଭ ହୋଇଛି । ଗତ ଥର ଶାହ ରାଜ୍ୟରେ ବିଜେପି ୧୨୦ ଆସନ ଜିତି ସରକାର ଗଠନ କରିବ ବୋଲି କହିଥିଲେ । କଂଗ୍ରେସ କହିଥିଲା ଆମେ ଜିତିବୁ ୮୫ ଆସନ । ଫଳ କଣ ହେଲା ତାହା ସମସ୍ତେ ଜାଣନ୍ତି । ଏଥର କଂଗ୍ରେସ କହୁଛି ୯ରୁ ୯୦ ଜିତିବ । ଆଜି ଯଦି ନିର୍ବାଚନ ହୁଏ ତେବେ ବିଜେପି ରାଜ୍ୟରେ କେତେ ଜିତିବ ତାହା ଶାହ ବି କହିପାରିବେ ନାହିଁ । କେଉଁ ଆଧାରରେ ଦଳ ରାଜ୍ୟରେ ସରକାର ଗଠନ କରିବ ତାହା ମଧ୍ୟ ଶାହ ସ୍ପଷ୍ଟ କରିନାହାଁନ୍ତି ।

ପଂଚାୟତ ନିର୍ବାଚନ, ଉପ-ନିର୍ବାଚନରେ ଦଳ ଏପରି ହାରିଛି ଯେ ତାହା ଆଲୋଚନା କରିବାକୁ ଦଳର ସାହସ ନାହିଁ । ଏଭଳି ସ୍ଥିତିରେ ଦଳ କେମିତି ଜିତିବ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ ।

ବିଜେଡି-ବିଜେପି ସଂପର୍କ ଉପରେ ଏବେ ନଜର ପକାଇବା । ୨୦୦୯ ପୂର୍ବରୁ ବିଜେପି-ବିଜେଡି ମେଂଟ ଭାଙ୍ଗିଥିଲା । ଆଉ ୨୦୧୯ ପରେ ସଂପର୍କ ପୁଣି ଯୋଡି ହେବା ଭଳି ଲାଗୁଛି । ଦୁଇ ଦୁଇ ଥର ରାଜ୍ୟରେ ମେଂଟ ସରକାର ଥିଲା । ବିଜେପି ସହ ମେଂଟ କରି ବିଜେଡି ଆସିଥିଲା କ୍ଷମତାକୁ । ତେବେ ପାଠକମାନେ ଆପଣ ଚିନ୍ତା କରନ୍ତୁ ରାଜ୍ୟରେ ଏବେ ବିଜେପିର ଶତ୍ରୁ ବିଜେଡି ଲାଗୁଛି କି? ନବୀନ, ମୋଦିଙ୍କ ଅନେକ ନିଷ୍ପତ୍ତିକୁ ସମର୍ଥନ ଦେଉଛନ୍ତି । ପ୍ରଥମ ପ୍ରେମକୁ ନଭୁଲିଲା ପରି ରାଜ୍ୟରେ ବିଜେପିର ପ୍ରଥମ ପ୍ରେମ ହିଁ ବିଜେଡି ରହିଛି । ଆଉ ସବୁ ଅସୁବିଧା, ସମସ୍ୟା ବେଳେ ପଖାଳ ସାଗଭଜା, ବଡିଚୁରା ବି ପରଷୁଛି ବିଜେଡି ।

ରାଷ୍ଟ୍ରପତି ନିର୍ବାଚନ ଠାରୁ,ଅଶ୍ବିନ ବୖଷ୍ଣବଙ୍କ ନିର୍ବାଚନ, ଉପରାଷ୍ଟ୍ରପତି ନିର୍ବାଚନ, ଧାରା ୩୭୦, ରାମମନ୍ଦିର,ବିମୁଦ୍ରାକରଣ ଜିଏସଟି ଯାଏଁ ମୋଦିଙ୍କୁ ସମର୍ଥନର ହାତ ବଢାଇଛନ୍ତି ନବୀନ । ଅତୀତର ମଧୁର ସଂପର୍କ ଆଉ ବର୍ତ୍ତମାନର କିଛିଟା କ୍ଷମତା ପାଇଁ ତିକ୍ତତା ଭିତରେ ପ୍ରଭାବ ବିସ୍ତାର କରିଛି ସଂଖ୍ୟା ଗଣିତ । ବିଜେପି କେବଳ ମିଛ ମିଶନ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛି । ଦଳ ଭିତରେ ଡଜନେ ଗୋଷ୍ଠୀ କାମ କରୁଛି । କିଏ ନେତୃତ୍ବ ନେଉଛି କିଛି ଜଣାପଡୁନି ଏହା ହିଁ ଗାଁ ଗଣ୍ଡାଠୁ ଆରମ୍ଭ କରି ସହର ବଜାର ଚର୍ଚା ହେଉଛି । ତେଣୁ ଏହା ହିଁ କୁହାଯାଇପାରେ ଓଡିଶାରେ ବିଜେପି ସାମ୍ନାରେ ନବୀନ ଚାଲେଂଜ ହୋଇ ରହିଛନ୍ତି ଆଉ ରହିବେ ମଧ୍ୟ ।

ତେବେ ବିଜେପି ଚାଣକ୍ୟଙ୍କ ଗଣିତ ଫର୍ମୁଲା  ଏଠି କାମ କରିବ କି? ଓଡ଼ିଶାରେ ନବୀନଙ୍କ ପଖାଳ ପ୍ରିୟ ଓଡ଼ିଆଙ୍କୁ ଶାହଙ୍କ ଭାଷଣ କେତେ ପସନ୍ଦ ଆସିବ,ତାହା ସମୟ କହିବ । କାରଣ ପୁରୀରେ ଯେପରି ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ନବୀନ କରୁଛନ୍ତି ଏହା ସତ୍ୟ ଯେ ୨୦୨୪ ନିର୍ବାଚନ ନବୀନ ଜୟ ଜଗନ୍ନାଥଙ୍କ ନାରାରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ଜଳ ଜଳ ଦିଶୁଚି । ସେପଟେ ମୋଦି ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ କରି ସାରା ଦେଶରେ ରାମଙ୍କ ନାରାରେ ଦେଶରେ ନିର୍ବାଚନ ଲଢ଼ିବେ ଏହା ବି ଜଳ ଜଳ ଦିଶୁଚି ।

2024 ନିର୍ବାଚନ ବେଳେ ଜୟ ଜଗନ୍ନାଥ ଏବଂ ଦେଶରେ ଜୟ ଶ୍ରୀରାମ ନାରା ତ ଚାଲିବ । କାରଣ ଏହା ହେଉଛି ଲୋକଙ୍କ ଆସ୍ଥା ସହ ଜଡିତ ବିଷୟ । ତେବେ ରାଜ୍ୟ ରାଜନୀତିରେ ଦୁଇ ଦଳର ଏଭଳି ମଧୁର ସଂପର୍କ ଭିତରେ ପୁଣି କୁକୁଡ଼ା ଲଢ଼େଇ କରିବାକୁ ପଡିଆ ଅଛି କି? ଏସବୁ ଭିତରେ ପୁଣି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ… ରାଜ୍ୟରେ ଶାହଙ୍କ ସରକାର ଗଠନ ସ୍ବପ୍ନ ସତ ହେବ କି ?

Leave A Reply

Your email address will not be published.