Latest Odisha News

ବାଜିବ ଶଙ୍ଖ ନା ଫୁଟିବ ପଦ୍ମ !

ଭୁବନେଶ୍ବର: ୨୫ବର୍ଷ ହେଲା ବିଜେଡି ଦଖଲରେ ରହିଥିବା ଆସିକା ଲୋକସଭାରେ ଏଥର ଆରପାରର ଲଢେଇ। ବିଜେଡି ଯୁବ ଚେହେରା  ରଞ୍ଜିତା ସାହୁଙ୍କୁ ମଇଦାନକୁ ଓହ୍ଲାଇଛି ତ ଅନିତା ଶୁଭଦର୍ଶିନୀଙ୍କୁ ରିପିଟ୍ କରିଛି ବିଜେପି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା । ତେବେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ । ଆସିକାରୁ ସାଂସଦ ହୋଇଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ବିଜୁବାବୁଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପନିର୍ବାଚନ ଜିତି ସାଂସଦ ହେବା ସହ ରାଜନୀତିର ଖଡି ଛୁଇଁଥିଲେ। ତେଣୁ ଆସିକାରେ ବିଜେଡି ଲଢିବ ସମ୍ମାନର ଲଢେଇ । ସେପଟେ ବିଜେଡି ଗଡରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡିଛି ବିଜେପି ।

ନବୀନଙ୍କ ହୋମଗ୍ରାଉଣ୍ଡରେ ମାରାଥନ୍ ପ୍ରଚାର

ବିଜେଡି ଗଠନ ପରଠୁ ଆସିକା କବଜା କରିଆସୁଛି ବିଜେଡି । ହେଲେ ଏଥର ବିଜେପି ଗେରୁଆ ବାନା ଉଡାଇବାକୁ ଉଦ୍ୟମ କରୁଛି। ନବୀନଙ୍କ ହୋମଗ୍ରାଉଣ୍ଡରେ ତାଙ୍କୁ ସିଧା ଆଟାକ୍ କରିଛନ୍ତି ବିଜେପିର ହେଭିଓ୍ବେଟ୍ । ବ୍ରହ୍ମପୁର ସଭାରେ ମୋଦି ବିଜେଡିର ଏକ୍ସପାରୀ ତାରିଖ ଘୋଷଣା ସହ ଅନିତାଙ୍କ ପାଇଁ ଭୋଟ୍ ମାଗିଥିଲେ। ବୁଧବାର ସୋରଡାରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଅମିତ ଶାହା। ଅନିତାଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଛନ୍ତି । ବାବୁ ଶାସନ ହେଉ କି ରତ୍ନଭଣ୍ଡାର ଚାବି,  ଆୟୁଷ୍ମାନ ଭାରତ ହେଉ କି ନବୀନଙ୍କ ବ୍ୟାଗ ମୋଦିଙ୍କ ଚାଉଳ, ସବୁ ପ୍ରସଙ୍ଗରେ ବିଜେପି ଟାର୍ଗେଟରେ ରହିଛନ୍ତି ନବୀନ ।

ଗଡ଼ ରକ୍ଷା ପାଇଁ ବିଜେଡି କାଉଣ୍ଟର

ଆସିକା ଗଡ ରକ୍ଷା ପାଇଁ ପୂରା ଦମ୍ ଲଗାଇଛି ବିଜେଡି । ନବୀନ ନିଜେ ଆସିକା ସମାବେଶରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବିରୋଧୀ ମିଛ କହିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ କହିଛନ୍ତି । ନବୀନଙ୍କ ରାଜନୈତିକ ଯାତ୍ରା ଆସିକାରୁ ଆରମ୍ଭ ହୋଇଥିଲା, ବିକାଶ ଧାରା ଏବେବି ଜାରି ରହିଥିବା ବିଜେଡି କହିଛି । ବିଏସକେଓ୍ବାଇରୁ ମହିଳା ସଶକ୍ତିକରଣ, ନବୀନଙ୍କ ବିକାଶମୂଳକ ଯୋଜନା ନେଇ ଯୋଡି ଶଙ୍ଖରେ ମୋହର ମାରିବାକୁ କହିଛନ୍ତି ନବୀନ ।

ବିଦ୍ରୋହୀ ବିଗାଡିବେ ଖେଳ !

କବିସୂର୍ଯ୍ୟନଗର ହେଉ କି ଖଲ୍ଲିକୋଟ । ଆସିକା ବିଜେଡିରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ରହିଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ବିରୋଧ କରୁଥିଲେ । ତାଙ୍କ ଝିଅ ରଞ୍ଜିତାଙ୍କୁ ସାଂସଦ ପ୍ରାର୍ଥୀ କରି ହର ସାହୁଙ୍କୁ ବିଜେଡି ମ୍ୟାନେଜ କରିଥିବା କୁହାଯାଉଛି। ଖଲ୍ଲିକୋଟରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପୁଣି ପ୍ରାର୍ଥୀ କରିବା ନିଷ୍ପତ୍ତିକୁ ବିରୋଧ କରି ଦଳ ଛାଡିଛନ୍ତି ଅନେକ ନେତା ଓ କର୍ମୀ । ସେହିପରି ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ମଧ୍ୟ ବିରୋଧ କରାଯାଇଛି। ତେଣୁ ଆସିକାରେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ବିଦ୍ରୋହୀ।

ବିଜେଡି Vs ବିଜେପି

ବିଜେଡି ନେତା ହରପ୍ରସାଦ ସାହୁଙ୍କ ଝିଅ ରଞ୍ଜିତା ସାହୁଙ୍କୁ ଆସିକାରୁ ପ୍ରାର୍ଥୀ କରିଛି ବିଜେଡି । ହର ସାହୁଙ୍କର ଆସିକା ଅଞ୍ଚଳରେ ଭଲ ସଂଗଠନ ରହିଛି । ସେପଟେ ପୁଣି ଥରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ଋାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ। ଗତଥର ଦ୍ୱିତୀୟ ସ୍ଥାନରେ ଥିବା ଅନିତା ୩ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ। ପ୍ରମିଳା ବିଷୋୟୀଙ୍କୁ ଭଲ ଫାଇଟ୍ ଦେବା ସହ ବିଜେପିର ଭୋଟ୍ ପର୍ସେଣ୍ଟେଜ୍ ୨୬ପ୍ରତିଶତରୁ ଅଧିକ ବଢାଇଥିଲେ। ତେଣୁ ଏଥର ଟକ୍କର ରଞ୍ଜିତା ଓ ଅନିତାଙ୍କ ମଧ୍ୟରେ ହେବ ବୋଲି କୁହାଯାଉଛି। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ନଦେଇ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ସମର୍ଥନ ଦେଇଥିଲା । ଏଥର ଯୁବ ଚେହେରା ଦେବକାନ୍ତ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ତେବେ କେବଳ ସାନଖେମୁଣ୍ଡିକୁ ଛାଡିଦେଲେ ବାକି ୬ଟି ବିଧାନସଭା କ୍ଷେତ୍ରରେ କଂଗ୍ରେସର ସେଭଳି ସପୋର୍ଟ ବେସ୍ ନାହିଁ ।

ଆସିକାରେ ପରିବର୍ତ୍ତନ ହାଓ୍ବା !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି। ତେଣୁ ଆସିକା ଲଢେଇରେ ନିଜେ ନବୀନ ହିଁ ବଡ ଫ୍ୟାକ୍ଟର । ତେବେ ଏଥର ରାଜ୍ୟରେ ଶାସନ ବିରୋଧୀ ହାଓ୍ବା ରହିଛି । ନବୀନଙ୍କ ଗଡରେ ହିଁ ପରିବର୍ତ୍ତନର ଶୁଭାରମ୍ଭ କରିବାକୁ ଜାନ୍ ଲଗାଇଛି ବିଜେପି । ଶାହାଙ୍କ ନିର୍ବାଚନୀ ସଭାର ଫାଇଦା ବିଜେପି ପ୍ରାର୍ଥୀଙ୍କୁ ମିଳିପାରେ । ଦିନେ ବିଜେଡିର ଖାସ୍ ରହିଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ରହିବା ବି ଦଳକୁ ଲାଭ ଦେଇପାରେ । ଗତଥର ବଢିଥିବା ଭୋଟ୍ ପର୍ସେଣ୍ଟେଜକୁ ନେଇ ବିଜୟ ଅଙ୍କ କଷୁଛି ବିଜେପି । ସେପଟେ ନବୀନ ମ୍ୟାଜିକ ସାଙ୍ଗକୁ ବିଜେଡି ସଂଗଠନ ଆଧାରରେ ରଣନୀତି କରୁଛନ୍ତି ରଞ୍ଜିତା।

ଆସିକା ନିର୍ବାଚନ ମଣ୍ଡଳୀର ସମସ୍ତ ୭ଟି ବିଧାନସଭା ଆସନ ଗଞ୍ଜାମ ଜିଲ୍ଲାର । ଆସିକା ଲୋକସଭା କ୍ଷେତ୍ର ଅଧିନରେ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ସିଟ୍ ରହିଛି । ଗତଥର କେବଳ ସାନଖେମୁଣ୍ଡି ଛାଡି ବାକି ସବୁ ଆସନରେ ଶଙ୍ଖନାଦ ହୋଇଥିଲା।

Comments are closed.