Latest Odisha News

BREAKING NEWS

ସୁନ୍ଦରଗଡରେ ଜୁଏଲ୍ ନା ଦିଲ୍ଲୀପ ?

ଭୁବନେଶ୍ବର: ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଲଢେଇ । ସୁନ୍ଦରଗଡ ମହାସମରରେ ଏଥର ପୁଣି ଜୁଏଲ-ଦିଲ୍ଲୀପ ମୁକାବିଲା । ପୂର୍ବରୁ ୨୦୧୪ରେ ଉଭୟଙ୍କ ଟକ୍କରରେ ବାଜି ମାରିଥିଲେ ଜୁଏଲ୍ ଓରାମ । ଏଥର ସୁନ୍ଦରଗଡ ଗ୍ରାଉଣ୍ଡରେ କିଏ ମାରିବେ ଗୋଲ୍‌? ବିଜେପିରୁ ହେଭିୱେଟ୍ ଜୁଏଲ ଓରାମ ଓ ବିଜେଡିରୁ ଦିଲ୍ଲୀପ ତିର୍କୀଙ୍କ ମଧ୍ୟରେ ଟକ୍କର ହେବ । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜନାର୍ଦ୍ଦନ ଦେହୁରୀ ।

ଜୁଏଲ୍ ମାରିବେ ବାଜି!

ପୁଣି ସୁନ୍ଦରଗଡରେ ବାଜି ମାରିବେ କି ଜୁଏଲ୍ ଓରାମ ? ଏଥର ବି ପଶ୍ଚିମ ଓଡିଶାର ନିଜ ସିଟ୍ ରଖିବାକୁ ଜାନ୍ ଲଗାଇଛି ବିଜେପି । କେନ୍ଦ୍ର ବିଜେପିର ହେଭିୱେଟ୍ ନେତା ସୁନ୍ଦରଗଡରେ ସମରସଜ୍ଜା କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହୁଅନ୍ତୁ କି ଅମିତ ଶାହା । ନବୀନ ଓ ରାଜ୍ୟ ସରକାରଙ୍କ ଉପରେ ଆଟାକ୍ କରୁଛନ୍ତି । ରତ୍ନଭଣ୍ଡାର ହେଉ କି ଆୟୁଷ୍ମାନ ଯୋଜନା, ସବୁ ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି । ସୁନ୍ଦରଗଡରେ ଜୁଏଲଙ୍କ ସପକ୍ଷରେ ଭୋଟ୍ ଆଣିପାରେ ମୋଦି ଲହର । ବିଜେଡି ବି ପ୍ରଚାର ମଇଦାନରେ ଜୋର୍ ଲଗାଇଛି । ନବୀନ ନିଜେ ରାଉରକେଲାରେ ମାଗଣା ବିଜୁଳି ଘୋଷଣା ସହ ଭୋଟ୍ ହାତେଇବାକୁ ପ୍ରଚାର କରିଛନ୍ତି ।

ଦିଲ୍ଲୀପ ରାୟ ଫ୍ୟାକ୍ଟର

୧୦ବର୍ଷ ପରେ ରାଉରକେଲା ନିର୍ବାଚନ ମଇଦାନକୁ ଫେରିଛନ୍ତି ରାଜନୀତିର ପୋଖତ ଖେଳାଳି ଦିଲ୍ଲୀପ ରାୟ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ କେନ୍ଦ୍ର ଉପରେ ଅଭିମାନ କରି ୨୦୧୮ରେ ବିଜେପିରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ । ଲୋକଙ୍କ ସମସ୍ୟା ଉଠାଇ ଦଳ ଓ ପଦ ଛାଡିଥିବା ଦିଲ୍ଲୀପଙ୍କ ପାଇଁ ରାଉରକେଲାବାସୀଙ୍କର ସମର୍ଥନ ରହିଛି । ରାଉରକେଲା ମଇଦାନରେ ଦିଲ୍ଲୀପ ରହିଥିଲେ ବି ସୁନ୍ଦରଗଡ ଲଢେଇରେ ସେ ବଡ ଫ୍ୟାକ୍ଟର ହୋଇପାରନ୍ତି । ଦିଲ୍ଲୀପଙ୍କୁ ଟକ୍କର ଦେବାକୁ ବିଜେପିର ବିଦ୍ରୋହୀ ନିହାର ରାୟଙ୍କ ପଛରେ ଠିଆ ହୋଇଛି ବିଜେଡି । ତେବେ ଦିଲ୍ଲୀପଙ୍କ ପ୍ରଭାବ ପୂରା ସୁନ୍ଦରଗଡ ଉପରେ ପଡିପାରେ ।

କାହାର ଗ୍ରାଉଣ୍ଡ କାହାର ଗୋଲ୍ ?

ନିର୍ବାଚନର ଅନେକ ପୂର୍ବରୁ ସୁନ୍ଦରଗଡ ପାଇଁ ସମରସଜ୍ଜା କରିଛି ବିଜେଡି । ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ହେଉ କି ହକି ବିଶ୍ୱକପ ଆୟୋଜନ । ହକିକୁ ନେଇ ସୁନ୍ଦରଗଡବାସୀଙ୍କ ହୃଦୟ ଜିତିବାକୁ ଉଦ୍ୟମ କରିଛି ବିଜେଡି । ସେଥିପାଇଁ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ବି ପ୍ରାର୍ଥୀ କରିଛି । ତେବେ ବିଜେଡିର ଦିଲ୍ଲୀପଙ୍କ ଜବାବ ବିଜେପିର ପ୍ରବୋଧ । ବିଜେଡିର ହକି ଗୋଟି ପରେ ବ୍ୟାକଫୁଟରେ ଥିବା ଜୁଏଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରବୋଧ । କଂଗ୍ରେସର ତଳସରା ପ୍ରତାରଣା ପରେ ପ୍ରବୋଧ ବିଜେପି କ୍ୟାମ୍ପରେ ବେଶ୍ ଆକ୍ଟିଭ । ଜୁଏଲଙ୍କୁ ଏହାର ଲାଭ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

କୁଆଡେ ଯିବ ଆଦିବାସୀ, ଖ୍ରୀଷ୍ଟିଆନ୍ ଭୋଟ୍ ?

ଉଭୟ ବିଜେଡି ଓ ବିଜେପି ମଇଦାନରେ ଆଦିବାସୀ ଚେହେରାଙ୍କୁ ଓହ୍ଲାଇଛନ୍ତି । ଜୁଏଲ୍ ଆଦିବାସୀ ସାଙ୍ଗକୁ ହିନ୍ଦୁତ୍ୱ କାର୍ଡ ଖେଳୁଛନ୍ତି । ତେବେ ଖ୍ରୀଷ୍ଟିଆନ ଭୋଟ୍ ବିଜେଡିକୁ ଯାଇପାରେ । ଆଦିବାସୀ ଭୋଟ୍ ବାଣ୍ଟି ହୋଇ ଯାଇପାରେ । ତେବେ ୫୧ ପ୍ରତିଶତ ଆଦିବାସୀ ଭୋଟ୍ ହିଁ ନିର୍ଣ୍ଣାୟକ ହେବ । ଆଦିବାସୀ ବହୁଳ ସୁନ୍ଦରଗଡର ଖଣି, ଭିତିଭୂମି, ବିକାଶ, ଜୀବନ ଜୀବିକା ବଡ ପ୍ରସଙ୍ଗ । ବିଜେଡି ବିକାଶକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇଛି ତ ବିଜେପି ଦେଉଛି ମୋଦିଙ୍କ ଗ୍ୟାରେଂଟି ।

ବଦଳିଯିବ କି ଅଙ୍କ !

ସୁନ୍ଦରଗଡରେ ଆଜି ଯାଏଁ କେବେ ଜିତି ପାରିନି ବିଜେଡି । ୭ଥର ବାଜି ମାରିଛି କଂଗ୍ରେସ ତ ୫ଥର ବିଜେପିରୁ ଜିତିଛନ୍ତି ଜୁଏଲ ଓରାମ । ବିମାନବନ୍ଦର ହେଉ କି ବେଦବ୍ୟାସ ମନ୍ଦିର ଉନ୍ନତିକରଣ, ବିକାଶକୁ ଅସ୍ତ୍ର କରି ସୁନ୍ଦରଗଡ ଜନତାଙ୍କ ମନ ଜିତିବାକୁ ଅନେକ ଆଗରୁ ପ୍ରୟାସ କରିଛି ବିଜେଡି । ହେଲେ ଏବେ ଶାସନ ବିରୋଧୀ ହାୱା ଜୋରଦାର ରହିଥିବା ବେଳେ ଏଥିରୁ ଫାଇଦା ନେବାକୁ ଉଦ୍ୟମ କରୁଛି ବିଜେପି । କଂଗ୍ରେସ ପ୍ରଚାର ମଇଦାନରେ ରହିଥିଲେ ବି ଟକ୍କର ବିଜେଡି ଓ ବିଜେପି ମଧ୍ୟରେ ହେବ ।

Leave A Reply

Your email address will not be published.