Latest Odisha News

BREAKING NEWS

ପାଟକୁରା ଲଢେଇରେ `ବିଜୟ’ ଟୁଇଷ୍ଟ

ଭୁବନେଶ୍ବର: ଫୋକସରେ ରହିଛି କେନ୍ଦ୍ରାପଡାର ପାଟକୁରା ବିଧାନସଭା ଲଢେଇ । ଚବିଶ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ଟୁଇଷ୍ଟ। ବିଜେଡି ବିପକ୍ଷରେ ଥିବା ବିଜୟ ଏଥର ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ବିଜୟ ଓ ବିଜେଡି ମଧ୍ୟରେ ସେତୁ ସାଜିଛନ୍ତି ପୁଅ ଅରବିନ୍ଦ ମହାପାତ୍ର । ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେବା ସହ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି । ବିଜୁବାବୁଙ୍କ ଏକାନ୍ତ ଅନୁଗତ ବିଜୟ ମହାପାତ୍ର ଟିକେଟ୍ ପ୍ରତ୍ୟାହାର ଷଡଯନ୍ତ୍ରକୁ ନେଇ ୨୦୦୦ରେ ବିଜେଡି ସହ ସଂପର୍କ ଛିନ୍ନ କରିଥିଲେ । ୨୦୦୯ ଓ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ହାରିଥିଲେ । ତେବେ ୨୦୧୯ ପରଠୁ ରାଜନୀତିରେ ସେତେଟା ସକ୍ରିୟ ନଥିଲେ ବିଜୟ । ଏଥର ପୁଅ ବିଜେଡିରୁ ପ୍ରାର୍ଥୀ ହେବା ପରେ ପ୍ରଚାର ମଇଦାନରେ ଆକ୍ଟିଭ୍ ରହିଛନ୍ତି ବିଜୟ । ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ନିଜେ ବିଜେପିରେ ଥାଇ ବି ପୁଅ ପାଇଁ ଭୋଟ୍ ମାଗୁଛନ୍ତି। କେନ୍ଦ୍ରାପଡାରେ ବିଜୟଙ୍କର ନିଜସ୍ବ ସଂଗଠନ ରହିଛି । ତେବେ ପୁଅ ବିଜେଡି ଓ ବିଜୟ ବିଜେପିରେ ଥିବା ବେଳେ ସମର୍ଥକ କେଉଁ ଆଡକୁ ଢଳିବେ ତାକୁ ନେଇ ଦ୍ବନ୍ଦ୍ବ ରହିଛି ।

ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ତେଜେଶ୍ବର ପରିଡା । ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ବର ଦୀର୍ଘ ଦିନର ଅସନ୍ତୋଷ ପାଇଁ ବିଜେଡି ଛାଡିଥିଲେ । ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିବା ତେଜେଶ୍ବର ପାଟକୁରାରୁ ଲଢିବାକୁ ଲବି କରୁଥିଲେ ବି ତାଙ୍କୁ ବିଜେଡି ନିରାଶ କରିଥିଲା। ୨୦୧୪ ଓ ୨୦୧୯ରେ ଟିକେଟ ନମିଳିବାରୁ ସେ ବିଜେଡି ଛାଡିଥିଲେ । ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ପାଟକୁରାରୁ ପ୍ରାର୍ଥୀ କରିଛି। ତେଣୁ ବିଜୟ ଅରବିନ୍ଦଙ୍କ ସାରଥି ସାଜିଥିଲେ ବି ସହଜ ହେବନି ପାଟକୁରା ଲଢେଇ। ଦୀର୍ଘ ଦିନ ହେଲା ସଂଗଠନ ସଜାଡିଥିବା ତେଜେଶ୍ବର ତାଙ୍କୁ କଡା ଟକ୍କର ଦେଇପାରନ୍ତି ।

କଂଗ୍ରେସ ରତିକାନ୍ତ କାନୁନଗୋଙ୍କୁ ପ୍ରାର୍ଥୀ କରିଛି। ଗତଥର କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଅମାନତ ହରାଇଥିଲେ । ୨୦୧୯ର ଶୋଚନୀୟ ପରାଜୟ ପରେ ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ରତିକାନ୍ତ । ୨୦୧୯ରେ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ ପାଟକୁରାରୁ ଜିତିଥିଲେ । ଗତ ୪ଟି ନିର୍ବାଚନରେ ଲଗାତର ପାଟକୁରା ଦଖଲ କରିଆସୁଛି ବିଜେଡି।

Comments are closed.