Latest Odisha News

BREAKING NEWS

ସୁରଙ୍କ ଗଡରେ ମହାସମର

ଭୁବନେଶ୍ବର : ସୁରଙ୍କ ଗଡରେ ନୂଆ ସମୀକରଣ। କାହା ହାତକୁ ଯିବ ଜଟଣୀ ବିଧାନସଭା? ଅଭିଜ୍ଞଙ୍କୁ ଭରସା ନା ନୂଆ ମୁହଁକୁ ସୁଯୋଗ ? ବିଜେଡିରୁ ବିଭୂତି ବଳବନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବିଶ୍ବରଞ୍ଜନ ବଡଜେନା ଓ କଂଗ୍ରେସରୁ ସନ୍ତୋଷ ଜେନାଙ୍କୁ ଟିକେଟ ମିଳିଛି। ଭେଟେରାନ ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହେବା ସହ ଗୋଳିଆ ହୋଇଛି ଜଟଣୀ ରାଜନୀତି । ତାଙ୍କ ସମର୍ଥକ ବିଜେଡିରେ ମିଶିଥିବା ବେଳେ ବହୁ ପୁରୁଣା ନେତା କଂଗ୍ରେସରୁ ଟିକେଟ୍ ଆଶାରେ ରହି ନିରାଶ ହୋଇଛନ୍ତି। ଏପରିକି ସୁରଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଟିକେଟ୍ ଆଶାରେ ଥିଲେ, ତେବେ ଦଳ ନୂଆ ପ୍ରାର୍ଥୀ ସନ୍ତୋଷ ଜେନାଙ୍କୁ ଟିକେଟ୍ ଦେଇ ବଡ ସରପ୍ରାଇଜ ଦେଇଛି । ତେବେ ଆଶାୟୀ ପ୍ରାର୍ଥୀ ସନ୍ତୋଷଙ୍କୁ ସମର୍ଥନ କରିବେ ନା ଦଳ ବଦଳାଇବେ ତାକୁ ନେଇ ଦ୍ବନ୍ଦ୍ବ ରହିଛି। ସୁରଙ୍କ ପୁତୁରା ତଥା ଅନ୍ୟତମ ଆଶାୟୀ ସଂଗ୍ରାମ ରାଉତରାୟ ଖୋଲାଖୋଲି ଅସନ୍ତୋଷ ଝାଡିଛନ୍ତି।

ବିଭୂତି ବଳବନ୍ତରାୟଙ୍କୁ ପୁଣି ରିପିଟ୍ କରିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ବିଭୂତି । ହେଲେ ବିଭୂତିଙ୍କ ପାଇଁ ବି ରହିଛି ମନ୍ମଥ ଦ୍ବନ୍ଦ୍ବ। ମନ୍ମଥ ଓ ବିଭୂତି ଜଟଣୀରେ ଏକାଠି ପ୍ରଚାର ତ କରୁଛନ୍ତି। ହେଲେ ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ କହି ବିଭୂତିଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି ସୁରଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟ। ତେଣୁ ଜଟଣୀରେ ସୁରଙ୍କ ସମର୍ଥକ କାହା ଆଡକୁ ଢଳିବେ, ତାକୁ ନେଇ ବି କନଫ୍ୟୁଜନ ରହିଛି। ସେପଟେ ବିଜେପି ପୁଣି ବିଶ୍ବରଞ୍ଜନ ବଡଜେନାଙ୍କୁ ଟିକେଟ୍ ଦେଇଛି। ମୋଦିଙ୍କ ଗ୍ୟାରେଣ୍ଟି ଓ କେନ୍ଦ୍ରର ଲୋକାଭିମୁଖୀ ଯୋଜନା ଆଧାରରେ ନିର୍ବାଚନ ଲଢୁଛନ୍ତି ବିଶ୍ବରଞ୍ଜନ।

ଗତଥର ସୁର ରାଉତରାୟ ୬୮ହଜାର ୮୪୧ ଭୋଟ୍ ପାଇ ଜଟଣୀରୁ ଜିତିଥିବା ବେଳେ ବିଭୂତି ବଳବନ୍ତରାୟଙ୍କୁ ୬୧ହଜାର ୩୧୯ ଭୋଟ୍ ମିଳିଥିଲା। ତୃତୀୟ ସ୍ଥାନରେ ରହିଥିବା ବିଶ୍ବରଞ୍ଜନ ବଡଜେନାଙ୍କୁ ମିଳିଥିଲା ମାତ୍ର ୨୬ହଜାର ୨୫୬ ଭୋଟ୍ । ଜଟଣୀରୁ ୬ଥର ବିଧାୟକ ନିର୍ବାଚିତ ହୋଇଥିବା ସୁର ରାଉତରାୟ ଏଥର ନିର୍ବାଚନ ଲଢୁନାହାନ୍ତି । ହେଲେ ସୁରଙ୍କ ପରିବାରର ପଲିଟିକାଲ ଡ୍ରାମା ଜଟଣୀରେ ଦ୍ବନ୍ଦ୍ବ ବଢାଇଛି। କଂଗ୍ରେସ କର୍ମୀ ଓ ସମର୍ଥକ ବି ଜାଣି ପାରୁନାହାନ୍ତି କାହା ସାଙ୍ଗରେ ଠିଆହେବେ? ସୁରଙ୍କୁ କଂଗ୍ରେସରୁ ୬ବର୍ଷ ପାଇଁ ବହିଷ୍କାର କରାଯିବା ପରେ ସେ ସାନପୁଅ ମନ୍ମଥ ପାଇଁ ଖୋଲାଖୋଲି ଭୋଟ୍ ମାଗୁଛନ୍ତି । ତେଣୁ ପ୍ରଶ୍ନ ଉଠୁଛି, କୁଆଡେ ଯିବ ସୁରଙ୍କ ପକେଟ୍ ଭୋଟ୍ ? ବିଜେଡି ନା କଂଗ୍ରେସ କିଏ ପାଇବ ଲାଭ ? ନା ମନ୍ମଥ ଦ୍ବନ୍ଦ୍ବର ଫାଇଦା ନେବ ବିଜେପି ?

Leave A Reply

Your email address will not be published.