Latest Odisha News

BREAKING NEWS

ବିଜେପିକୁ ଘାରିଲା ଗାଦି ବଞ୍ଚାଇବା ଚିନ୍ତା! ମୋଦି କଲେଣି ମାରାଥାନ ପ୍ରଚାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ରାଜ୍ୟ ସହ ଲୋକସଭା ନିର୍ବାଚନ ଥିବାରୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ଉଦ୍ୟମକୁ ଜୋରଦାର କରିଛି।

ସେଥିପାଇଁ ସାଙ୍ଗଠନିକ ପରିବର୍ତ୍ତନଠୁ ଆରମ୍ଭ କରି ପ୍ରଚାରକୁ ମଧ୍ୟ ଜୋରଦାର କରାଯାଇଛି। ଏହି କ୍ରମରେ ଗୃହମନ୍ତ୍ରୀ ଅମିତ ଶାହା, ଦଳର ଜାତୀୟ ସଭାପତି ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ କିଛି ଦିନ ଧରି ଦେଶବ୍ୟାପୀ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେଉଥିବା ବେଳେ ଏବେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ନିଜର ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି।

ଦୁଇ ଦିନରେ ମୋଦି ଚାରୋଟି ରାଜ୍ୟ ଗସ୍ତ କରିବା ସହ ବହୁ କୋଟିର ପ୍ରକଳ୍ପ ସମ୍ପୃକ୍ତ ରାଜ୍ୟବାସୀଙ୍କୁ ଭେଟିଦେବେ। ଏଥିସହିତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ମୋଦି ଛତିଶଗଡ଼ରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ତାଙ୍କୁ ସ୍ବାଗତ କରିଛନ୍ତି। ସେଠାରେ କଂଗ୍ରେସ ସରକାର ଥିବାବେଳେ ଆଗାମୀ ନିର୍ବାଚନରେ ଦଳ କ୍ଷମତାକୁ ଆସିବାକୁ ସବୁ ପ୍ରକାର ଯୋଜନା କରି କାର୍ଯ୍ୟ କରୁଛି।

ଛତିଶଗଡ଼ରେ ମୋଦିଙ୍କ ଉପସ୍ଥିତିକୁ ଦମଦାର କରିବା ପାଇଁ ପାଞ୍ଚ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଛତିଶଗଡ଼ରେ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି। ଏଥିସହିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି।

ଦଳ ପକ୍ଷରୁ ଛତିଶଗଡ଼ର ଏହି ସଭାକୁ ବିଜୟ ସଂକଳ୍ପ ଜନସଭା ନାଁ ଦିଆଯାଇଥିଲା। ତେଣୁ ଏହି କାର୍ଯ୍ୟକ୍ରମ ସହ ବିଜେପି ଛତିଶଗଡ଼ରେ ନିର୍ବାଚନ ବିଗୁଲ ବଜାଇଛି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼, ଉତ୍ତରପ୍ରଦେଶର ଗୋରଖପୁର, ବାରଣାସୀରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଆଠ ତାରିଖ ଅର୍ଥାତ ଆସନ୍ତାକାଲି ତେଲେଙ୍ଗାନାର ବାରଙ୍ଗଲ ଓ ରାଜସ୍ଥାନର ବିକାନେର ଗସ୍ତ କରିବେ।

ଚାରୋଟି ରାଜ୍ୟରେ ମୋଦି ପ୍ରାୟ ୫୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକଙ୍କୁ ଭେଟି ଦେବେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ମୋଦିଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ରାଜନୀତି ତୀଵ୍ର ହେଉଛି।

ତେଲେଙ୍ଗାନାରେ ବିଜେପି ନିଜର ରାଜ୍ୟ ସଭାପତି ପରିବର୍ତ୍ତନ କରିଛି। ବନ୍ଦୀ ସଞ୍ଜୟ କୁମାରଙ୍କୁ ସଭାପତି ପଦରୁ ହଟାଇ କେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡିଙ୍କୁ ତେଲେଙ୍ଗାନା ସଭାପତି କରାଯାଇଛି। ଯାହାକୁ ନେଇ ଦଳରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି।

ସେପଟେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ତେଲେଙ୍ଗାନାର ବହୁ ନେତା କଂଗ୍ରେସରେ ସାମିଲ ହୋଇଥିବା ବେଳେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ସେଠାରେ ନିର୍ବାଚନ ବିଗୁଲ ବଜାଇ ସାରିଲେଣି।

ଏପରିକି ଶାସକ ବିଆରଏସ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ସହ ଲଢ଼ିବାକୁ ନିଜକୁ ପ୍ରସ୍ତୁତ କରୁଛି। ତେଣୁ ତେଲେଙ୍ଗାନାକୁ ମୋଦିଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ନିଜ ହାତରୁ ଗଲା ପରେ ତେଲେଙ୍ଗାନା ଉପରେ ବିଜେପି ନଜର ରଖିଛି।

ସେପଟେ ରାଜସ୍ଥାନ ମଧ୍ୟ ଗସ୍ତ କରିବେ ମୋଦି। ସେଠାରେ ନିର୍ବାଚନ ଆସନ୍ନ ଥିବାବେଳେ କଂଗ୍ରେସର ଗେହଲଟ ସରକାର ଲୋକଙ୍କ ପାଇଁ ବହୁ ମାଗଣା ଯୋଜନା ଓ ମହଂଗାଇ ରାହତ କ୍ୟାମ୍ପ ଦ୍ୱାରା ଲୋକପ୍ରିୟ ହେଉଥିବା କୁହାଯାଉଛି।

ଏପରିକି ଗେହଲଟ ପାଇଲଟ ଲଢେଇରେ ମଧ୍ୟ ଅନ୍ତ ଘଟିଥିବା ଦେଖାଯାଇଛି। ଉଭୟଙ୍କ ଲଢ଼େଇରୁ ବିଜେପି ଫାଇଦା ପାଇବାକୁ ଯୋଜନା କରିଥିବା ବେଳେ କଂଗ୍ରେସ ଆଗୁଆ ଏହାର ସମାଧାନ କରିଛି।

ତେଣୁ ମୋଦି ରାଜସ୍ଥାନରେ କେଉଁ ରଣନୀତି ପ୍ରୟୋଗ କରୁଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେଣୁ ନିର୍ବାଚନ ପୂର୍ବରୁ ମୋଦିଙ୍କ ଦୁଇଦିନିଆ ଗସ୍ତ ସହ ବିଜେପିର ସାଙ୍ଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଦେଶର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି।

Leave A Reply

Your email address will not be published.