ନୂଆଦିଲ୍ଲୀ: ପର୍ତୁଗାଲର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ବିଶ୍ୱକପ ନକଆଉଟରେ ସବୁଠାରୁ ବୟସ୍କ ଖେଳାଳି (୪୧ ବର୍ଷ) ଭାବେ ସେ ଖେଳିଛନ୍ତି । ରାଉଣ୍ଡ ଅଫ ୩୨ରେ ପର୍ତୁଗାଲ ୨-୧ ଗୋଲରେ କ୍ରୋଏସିଆକୁ ପରାସ୍ତ କରି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛି । ଇତି ମଧ୍ୟରେ ରୋନାଲ୍ଡୋଙ୍କ ଅବସର ଖବର ବେଶ ଚର୍ଚ୍ଚାର କାରଣ ସାଜିଛି । ତାଙ୍କ ଭଉଣୀ କ୍ୟାଟିୟେ ଏଭେରୀ ଏ ନେଇ ସୂଚନା ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ମୋ ପାଖରେ ଯେତିକି ଖବର ଅଛି ରୋନାଲ୍ଡୋଙ୍କ ଏହା ଶେଷ ବିଶ୍ୱକପ ହେବ । ସେ ଅବସର ନେବା କଥା ଚିନ୍ତା କରୁଛନ୍ତି । ସେ ଯେ ପର୍ଯ୍ୟନ୍ତ ଖେଳୁଛନ୍ତି ଆପଣ ତାଙ୍କ ମ୍ୟାଚକୁ ଉପଭୋଗ କରନ୍ତୁ ।
୨୦୦୩ରେ ରୋନାଲ୍ଡୋ ଜାତୀୟ ଦଳ ପକ୍ଷରୁ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା । ସେ ବିଶ୍ୱର ତୃତୀୟ ଖେଳାଳି ଭାବେ ୬ଟି ବିଶ୍ୱକପ ଖେଳିଛନ୍ତି । ସେ ଖେଳିଥିବା ସମସ୍ତ ବିଶ୍ୱକପରେ ପ୍ରଥମ ଖେଳାଳି ଭାବେ ଗୋଲ ସ୍କୋର କରିଛନ୍ତି । ତରବରିଆ ଭାବେ ଅବସର ନେଉଁ ନାହିଁ ବୋଲି ରୋନାଲ୍ଡୋ କହିଛନ୍ତି । ବିଶ୍ୱକପ ଶେଷ ହେବା ପର୍ଯ୍ୟନ୍ତ ମୁଁ ଏ ସମ୍ପର୍କରେ ଚିନ୍ତା କରୁନି । ଅବସର ନେବା ପୂର୍ବରୁ ପରିବାର ଓ ନିକଟତମ ବ୍ୟକ୍ତିଙ୍କ ପରାମର୍ଶ ନେବି ବୋଲି ମଧ୍ୟ ସେ କହିଛନ୍ତି ।