ଭୁବନେଶ୍ବର: ବିଜେଡି ଛାଡିବେ କି ପୂର୍ବତନ ଝାରସୁଗୁଡା ବିଧାୟକା ଦୀପାଳି ଦାସ । ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘରେ ଘନ ଘନ ଆୟକର ଚଢାଉ ଚାଲିଥିବା ବେଳେ ବିଜେଡି ଚୁପ ରହିଛି । ଏହାକୁ ନେଇ ନବଙ୍କ ପରିବାରର ଅନୁଗତ ଓ ଦୀପାଳିଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏଭଳି ସମୟରେ ବିଜେଡି ଦୀପାଳିଙ୍କ ହାତ ଛାଡି ଦେଇଥିବା ଅଭିଯୋଗ କରିବା ସହ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା ଓ କର୍ମୀ । ଏପରିକି ବିଜେଡି ଛାଡିଦେବା ନେଇ ମତପ୍ରକାଶ ପାଇଲାଣି । ଝାରସୁଗୁଡାର ବିଭିନ୍ନ ହ୍ବାଟସ ଅପ୍ ଗ୍ରୁପରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ସତରେ ବିଜେଡି ଛାଡିଦେବେ କି ଦୀପାଳି ଓ ଭାଇ ବିଶାଳ ଦାସ?
ହାତ ଛାଡିଦେଲା ବିଜେଡି !
ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଘର ଓ କମ୍ପାନୀ ସମେତ ବିଭିନ୍ନ ସ୍ଥାନରେ ଗତ ୫ଦିନ ହେଲା ଆୟକର ଚଢାଉ ଚାଲିଛି । ନିର୍ବାଚନ ପୂର୍ବରୁ ଏବେସୁଦ୍ଧା ନବଙ୍କ ପରିବାର ଓ ସହଯୋଗୀଙ୍କ ଘରେ ତିନି ତିନି ଥର ଚଢାଉ କଲାଣି ଆୟକର ବିଭାଗ । ତେବେ ଏହି ପ୍ରସଙ୍ଗରେ ବିଜେଡି ନେତା ମୁହଁ ଖୋଲୁନାହାନ୍ତି । ନା ଦୀପାଳିଙ୍କ ସପକ୍ଷରେ ବାହାରୁଛନ୍ତି ନା ଆୟକରକୁ ଅସ୍ତ୍ର କରି ବିଜେପି ଜାଣିଶୁଣି ଟାର୍ଗେଟ୍ କରୁଥିବା କହୁଛନ୍ତି । ପୂରା ଘଟଣାରେ ବିଜେଡି ନବଙ୍କ ପରିବାରର ହାତ ଛାଡି ଦେଇଥିବା କୁହାଯାଉଛି । ଏହାକୁ ନେଇ ଦୀପାଳି ଦାସଙ୍କ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଆୟକର ଚଢାଉ ପରେ ଝାରସୁଗୁଡା ଜିଲ୍ଲା ପରିଷଦ ବିଜେଡି, ଝାରସୁଗୁଡା ମ୍ୟୁନିସିପାଲିଟି ବିଜେଡି ଓ ଟିମ୍ ଦୀପାଳି ଦାସ ହ୍ବାଟସ ଆପ ଗ୍ରୁପରେ ଏନେଇ ଚର୍ଚ୍ଚା ହୋଇଛି । ଏଥିରେ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ବିଜେପି ସରକାର ହଇରାଣ କରୁଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତାମାନେ ବିରୋଧ କରୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କର୍ମୀ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନବଙ୍କ ପରିବାର
ବିଜେଡି ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଦିନ ଦ୍ବିପହରେ ନବକିଶୋର ଦାସଙ୍କ ହତ୍ୟା କରାଯାଇଥିଲା । ସେତେବେଳେ ହତ୍ୟା ପଛରେ ଅନେକ ହେଭିଓ୍ବେଟଙ୍କ ଲିଙ୍କ ନେଇ ଚର୍ଚ୍ଚା ହୋଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଥିବା ବେଳେ କୌଣସି ଷଡ଼ଯନ୍ତ୍ର ଅଭିଯୋଗ ପ୍ରମାଣିତ ହୋଇନଥିଲା । ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବା ସହ ଦୀପାଳି ଝାରସୁଗୁଡାରୁ ନିର୍ବାଚନ ହାରିଥିଲେ । ନବ ଦାସଙ୍କ ପତ୍ନୀ ମୀନତି ଦାସ, ପୁଅ ବିଶାଳ ଓ ଝିଅ ଦୀପାଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଥିଲେ । ହେଲେ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ କରାଇଛନ୍ତି ରାଜ୍ୟ ସରକାର । ଏପର୍ଯ୍ୟନ୍ତ ମାମଲାରେ ସେଭଳି କୌଣସି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିନି । ତେବେ ବିଜେଡି ଶାସନରେ ନ୍ୟାୟ ନମିଳିବାରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନବଙ୍କ ପରିବାର ଭେଟିଥିବା ନେଇ ଚର୍ଚ୍ଚା ହୋଇଥିଲା।
ଟାର୍ଗେଟ ହେଉଛନ୍ତି ନବଙ୍କ ପରିବାର !
ଝାରସୁଗୁଡା କିର୍ମିରା ବ୍ଲକ ଅନାସ୍ଥା ପ୍ରସ୍ତାବ ଭୋଟକୁ ନେଇ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଛତିଶଗଡ଼ରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଅନାସ୍ଥା ଭୋଟ୍ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖାଯିବାକୁ ନେଇ ସେତେବେଳେ ବର୍ଷିଥିଲେ ଦୀପାଳି । ଏହାପରେ ନବଙ୍କ ଘର ଓ କମ୍ପାନୀ ଉପରେ ବାରମ୍ବାର ଆୟକର ଚଢାଉ କରାଯାଉଛି । ଜାଣିଶୁଣି ବିଜେପି ସରକାର ନବଙ୍କ ପରିବାରକୁ ଟାର୍ଗେଟ୍ କରୁଥିବା ଅଭିଯୋଗ ହେଉଛି । ତେବେ ବିଜେଡି ପୂରା ଘଟଣାରେ ନିରବ ରହିବାକୁ ନେଇ ଅସନ୍ତୋଷ ବଢୁଛି । ଦୁର୍ନୀତି ବିରୋଧରେ ନାରା ଲଗାଇ କ୍ଷମତାକୁ ଆସିଥିବା ବିଜେପି, ଏପର୍ଯ୍ୟନ୍ତ ବିଜେଡିର କୌଣସି ହେଭିଓ୍ବେଟ୍ ନେତାଙ୍କ ଘରେ ରେଡ୍ କିମ୍ବା ସ୍କାନରକୁ ଆଣିନି । ହେଲେ ନବ ଦାସଙ୍କ ପରିବାର ଉପରେ ଘନ ଘନ ଚଢାଉ ଚାଲିଛି । ନା ବିଜେଡିର ସମର୍ଥନ ମିଳୁଛି ନା ବିଜେପିଠୁ ଛାଡ୍ । ତେଣୁ ଦୀପାଳି ଓ ବିଶାଳ ବିଜେଡି ଛାଡିବା ନେଇ କର୍ମୀଙ୍କ ହ୍ବାଟସ ଆପ୍ ଗ୍ରୁପରେ ଜୋରଦାର ଚର୍ଚ୍ଚା ହେଉଛି ।
Comments are closed.