ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ଭଳି ପରିସ୍ଥିତି ଏବଂ ଲକଡାଉନ୍ ଲଗାଯିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଛି। ବିଶେଷ କରି LPG ବା ରନ୍ଧନ ଗ୍ୟାସ୍ର ଅଭାବ ଏବଂ ଅର୍ଥନୈତିକ କଟକଣାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଛି। କିନ୍ତୁ ଏବେ କେନ୍ଦ୍ର ସରକାର ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ଲକଡାଉନ୍ ଲଗାଇବାର କୌଣସି ଯୋଜନା ନାହିଁ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଛନ୍ତି ଯେ, କୋଭିଡ୍ ଭଳି କୌଣସି ଲକଡାଉନ୍ ଲାଗିବ ନାହିଁ। କିଛି ନେତା ଏବଂ ଗୋଷ୍ଠୀ ଇନ୍ଧନ ଅଭାବକୁ ନେଇ ଯେଉଁ ଭୟ ସୃଷ୍ଟି କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସରକାର ଜନସାଧାରଣଙ୍କ ଯାତାୟାତ କିମ୍ବା ଆର୍ଥିକ କାର୍ଯ୍ୟକଳାପ ଉପରେ କୌଣସି କଟକଣା ଲଗାଇବାକୁ ବିଚାର କରୁନାହାନ୍ତି।
ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଗୁଜବକୁ ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ଭାରତରେ ଲକଡାଉନ୍ ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ସମୟରେ ଆମକୁ ଶାନ୍ତ ଏବଂ ଦାୟିତ୍ୱବାନ ରହିବାକୁ ହେବ।
ତେବେ ଏହି ଗୁଜବ ପଛର ପ୍ରକୃତ କାରଣ କ’ଣ ? ବାସ୍ତବରେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଏହାର ପ୍ରଭାବରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ଲୋବାଲ୍ ଏନର୍ଜି ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ Excise Duty ବା ଅବକାରୀ ଶୁଳ୍କରେ ଭାରି କାଟ୍ କରିଛନ୍ତି। ପେଟ୍ରୋଲରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩ ଟଙ୍କାକୁ ହ୍ରାସ ପାଇଛି। ସେହିପରି ଡିଜେଲ ଉପରୁ ଏହି ଶୁଳ୍କକୁ ସମ୍ପୂର୍ଣ୍ଣ ଶୂନ କରିଦିଆଯାଇଛି।
ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ‘ହର୍ମୁଜ୍ ଷ୍ଟ୍ରେଟ୍’ ଅବରୋଧ ହୋଇଛି, ଯେଉଁଠାରୁ ବିଶ୍ୱର ୨୦ ପ୍ରତିଶତ ତେଲ ଯୋଗାଣ ହୋଇଥାଏ। ଭାରତ ମଧ୍ୟ ଏହି ଅଞ୍ଚଳରୁ ପ୍ରାୟ ୧୨ ରୁ ୧୫ ପ୍ରତିଶତ ତେଲ କିଣିଥାଏ। କିନ୍ତୁ ସରକାର ଏହି ସ୍ଥିତିକୁ ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।