Latest Odisha News

ନବୀନ ହେବେ କି ବିରୋଧୀ ଦଳ ନେତା ?

ଭୁବନେଶ୍ବର: ୨୪ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଏଥର ବିଜେଡି ନିର୍ବାଚନ ହାରିବା ପରେ ବିରୋଧୀ ଦଳ ନେତା ହେବେ କି ନବୀନ ? ଅନେକ ବର୍ଷ ପରେ ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବେ ବିଜେପି ସରକାର । ବିଜେଡିର ୫୧ଜଣ ବିଧାୟକ ନୂଆ ସରକାରଙ୍କୁ କାଠଗଡାକୁ ଟାଣିବେ। ବିଜେଡି ସହ ସ୍ବର ମିଳାଇପାରନ୍ତି କଂଗ୍ରେସ ବିଧାୟକ । ଅର୍ଥାତ ବିଜେପି ସରକାରଙ୍କୁ ଏଥର ୬୫ଜଣ ବିରୋଧୀ ବିଧାୟକଙ୍କ ସାମନା କରିବାକୁ ପଡିବ । ତେବେ ପ୍ରଶ୍ନ ଉଠୁଛି, ସରକାରୀ ଦଳକୁ ଘେରିବାକୁ ବିରୋଧୀ ଦଳ ନେତା ସିଟରେ ନିଜେ ନବୀନ ବସିବେ ନା ଆଉ କାହାକୁ ସାମନାକୁ ଆଣି ପଛରୁ ଗୋଟି ଚଳାଇବେ?

ନବୀନ ବିରୋଧୀ ଦଳ ନେତା !

ଶାସନରେ ଥିବା ବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ । ଏବେ ବିରୋଧୀ ଦଳ ନେତା ହୋଇ ସରକାରଙ୍କୁ କାଠଗଡାକୁ ଟାଣିବେ କି? ସୁସ୍ଥ ଗଣତନ୍ତ୍ର ବ୍ୟବସ୍ଥାରେ ବିରୋଧୀ ଦଳ ନେତାଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଲୋକଙ୍କ ସମସ୍ୟା ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସବୁବେଳେ ଶାସକ ଦଳକୁ ଚେକ୍ ଦିଅନ୍ତି ବିରୋଧୀ ଦଳ ନେତା। ତେଣୁ ଏହି ପଦବୀ ବେଶ୍ ପାଓ୍ବାରଫୁଲ୍। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ହେବା ପାଇଁ ଦଳର ସବୁ ବିଧାୟକ ଓ ବରିଷ୍ଠ ନେତା ପ୍ରସ୍ତାବ ଦେଇଛନ୍ତି । ଏନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କର ଆଲୋଚନା ବି ହୋଇଥିବା କୁହାଯାଉଛି । ତେବେ ବିଜେପିର ଶପଥ ଗ୍ରହଣ ସମାରୋହ ପରେ ଏନେଇ ନିଷ୍ପତ୍ତି ନେଇପାରନ୍ତି ନବୀନ ।

ବିରୋଧୀଙ୍କ ସ୍ବର ସାଜିବେ ନବୀନ !

ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ ପ୍ରତିଦିନ ଉପସ୍ଥିତ ରହିବା ସହ ଗୃହରେ ଲମ୍ବା ସମୟ ଧରି ଆଲୋଚନାରେ ଭାଗ ନେବାକୁ ପଡିବ। ଦୀର୍ଘ ସମୟ ଧରି ଠିଆ ହୋଇ ବିଭିନ୍ନ ପ୍ରସଙ୍ଗରେ କହିବାକୁ ବି ପଡିପାରେ । ତେଣୁ ଏଥର ନିଜେ ବିରୋଧୀ ଦଳ ନେତା ରହିଲେ ବି ବିଧାନସଭା କାର୍ଯ୍ୟ ପାଇଁ ଉପନେତା ରଖିପାରନ୍ତି। କିମ୍ବା ଦଳର ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ ବି ବିରୋଧୀ ଦଳ ନେତା କରିପାରନ୍ତି। ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁ ବି ବିରୋଧୀ ଦଳ ନେତା ପାଇଁ ଚର୍ଚ୍ଚାରେ ରହିଛି। ସେହିପରି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇପାରନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ବିରୋଧୀ ଦଳ ନେତା ଥିବା ବେଳେ ନରସିଂହ ମିଶ୍ର ବିରୋଧୀ ଦଳ ଉପନେତା ଭାବେ କାମ କରିଥିଲେ ।

ଥିଲେ ଶାସକ ଏବେ ବିରୋଧୀ

ଶାସକ ଭାବେ ବର୍ଷ ବର୍ଷ ଧରି ଲୋକଙ୍କ ପାଇଁ ବିକାଶମୂଳକ ଯୋଜନା କରିଥିବା ବିଜେଡି ଏଥର ଲୋକଙ୍କ ସମସ୍ୟା ଉଠାଇ ବିଜେପି ସରକାରଙ୍କୁ ଘେରିବ। ଲୋକଙ୍କ ସହ ଆହୁରି ଅଧିକ ଯୋଡି ହୋଇ ରହିବାକୁ ଉଦ୍ୟମ କରିବ। ଶାସକ ଭୂମିକାରେ ଦୀର୍ଘ ଦିନର ଅଭିଜ୍ଞତା ବିଜେଡି ପାଖରେ ରହିଛି। ଏହାକୁ ଆଧାର କରି ଶାସକ ବିଜେପିକୁ ପ୍ରଶ୍ନ କରିବା ସହ ଲୋକଙ୍କ ସ୍ବର ହୋଇପାରିବ ବିଜେଡି । ତେଣୁ ବିରୋଧୀ ଦଳ ନେତା ନହେଲେ ବି ବିରୋଧର ବ୍ଲୁପ୍ରିଣ୍ଟ ନିଜେ ପ୍ରସ୍ତୁତ କରିପାରନ୍ତି ନବୀନ । ବିଧାନସଭା ହେଉ କି ଗୃହ ବାହାରେ, ବିଜେଡିକୁ ସୁଦୃଢ ବିରୋଧୀ ଦଳ ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରିବେ ।

କଂଗ୍ରେସ ବିଧାୟକ ଦଳ ନେତା କିଏ?

କାହାକୁ ବିଧାୟକ ଦଳ ନେତା ଘୋଷଣା କରିବ କଂଗ୍ରେସ? ତାକୁ ନେଇ ବି ସସପେନ୍ସ ଲାଗିରହିଛି । ପିସିସି ସଭାପତି, ରାଜ୍ୟ ପ୍ରଭାରୀଙ୍କ ସହ କିଛି ବିଧାୟକ ଦିଲ୍ଲୀରେ ଏଆଇସିସିର ବହୁ ନେତାଙ୍କ ସହ ଆଲୋଚନା କରିଛନ୍ତି । ବରିଷ୍ଠତା ଭିତ୍ତିରେ କଂଗ୍ରେସ ବିଧାୟକ ଦଳ ନେତା ରେସରେ ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ ଓ ସି ରାଜେନ୍ ଏକ୍କା ରହିଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ୫ଥର ଜିତିଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ୍ ତୃତୀୟ ଥର ଜିତିଛନ୍ତି । ସେହିପରି ରାଜଗାଙ୍ଗପୁର ବିଧାୟକ ସି ରାଜେନ୍ ଏକ୍କା ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦ୍ବିତୀୟ ଥର ଜିତିଛନ୍ତି । ବିଧାନସଭାରେ ଅଭିଜ୍ଞତା ଓ ଦଳୀୟ ଆଭିମୁଖ୍ୟ ଉପସ୍ଥାପନ କରିବା ଦକ୍ଷତା ଭିତ୍ତିରେ କଂଗ୍ରେସ ବିଧାୟକ ଦଳ ନେତା ନେଇ ନିଷ୍ପତ୍ତି ନେଇପାରନ୍ତି ଦଳର ଶୀର୍ଷ ନେତୃତ୍ବ ।

Comments are closed.