Latest Odisha News

ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ ଲୋକସଭା ନିର୍ବାଚନରେ ବିଜେପିକୁ ନାକେଦମ୍ କରିଥିଲା । ରାଜ୍ୟର ପିଆଜ ବେଲ୍ଟର ମୋଟ୍ ୧୩ଟି ସିଟରୁ ବିଜେପି ୧୨ଟି ସିଟ୍ ହାରିଥିଲା । ମାତ୍ର ଗୋଟିଏ ସିଟ୍ ଜିତିଥିଲା । ସେତେବେଳେ ପିଆଜ ଦର କମ୍ ଥିଲା । ହେଲେ ଏବେ ପିଆଜକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ପାଣିପାଗ ବଦଳିଥିବା ସମୀକ୍ଷକ କହୁଛନ୍ତି । ପିଆଜ ଉପରୁ ରପ୍ତାନି ଶୁଳ୍କ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତି ଚାଷୀଙ୍କୁ ଫାଇଦା ଦେଇଛି । ତେଣୁ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ କାହା ଉପରେ ମେହରବାନ୍ ହେବେ ପିଆଜ ଚାଷୀ?

ହରିୟାଣା ଜିତାଇଲା ବାସୁମତି, ଏବେ ପିଆଜ…

ଚଳିତ ବର୍ଷ ସେପ୍ଟେମ୍ବରରେ ପିଆଜ ଓ ବାସୁମତି ଚାଉଳ ଉପରୁ ରପ୍ତାନି କଟକଣା ହଟାଇଥିଲେ କେନ୍ଦ୍ର ସରକାର। ଏହାକୁ ନିର୍ବାଚନ ପୂର୍ବରୁ ହରିୟାଣା ଓ ମହାରାଷ୍ଟ୍ରର ଚାଷୀଙ୍କୁ ମନାଇବା ଉଦ୍ୟମ ଭାବେ ଦେଖାଯାଇଥିଲା । ନିଷ୍ପତ୍ତିର ପ୍ରଭାବ ହରିୟାଣା ନିର୍ବାଚନରେ ବି ଦେଖିବାକୁ ମିଳିଛି। ସବୁ ଆକଳନକୁ ପଛରେ ପକାଇ ବିଜୟ ହାସଲ କରିଥିଲା ବିଜେପି । ମହାରାଷ୍ଟ୍ରରେ ବି ସମାନ ଫଳାଫଳ ରିପିଟ୍ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । କାରଣ ରପ୍ତାନି କଟକଣା ହଟିବା ଯୋଗୁଁ ଦେଶରେ ପିଆଜ ଦର ବଢିଛି, ହେଲେ ବିଦେଶକୁ ପିଆଜ ପଠାଇ ମାଲେମାଲ ହୋଇଛନ୍ତି ମହାରାଷ୍ଟ୍ରର ପିଆଜ ଚାଷୀ।

୨୦୧୯ରେ ବାଜି ମାରିଥିଲା ବିଜେପି

୨୦୧୯ ବିଧାନସଭା ନିର୍ବାଚନରେ ପିଆଜ ବେଲ୍ଟରେ ବାଜି ମାରିଥିଲା ବିଜେପି । ପିଆଜ ଉତ୍ପାଦନକାରୀ ଅଞ୍ଚଳର ମୋଟ୍ ୩୫ଟି ସିଟ ମଧ୍ୟରୁ ୧୩ଟି ଜିତିଥିଲା ଦଳ । ଅବିଭାଜିତ ଶିବସେନାକୁ ୬ଟି, ଏନସିପିକୁ ୭ଟି, କଂଗ୍ରେସକୁ ୫ଟି, ଏଆଇଏମଆଇଏମକୁ ୨ଟି ଓ ଅନ୍ୟ ୨ଟିରେ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ । ତେବେ ୨୦୧୯ରେ ବିଜେପି ସଫଳତାର ଠିକ୍ ଓଲଟା ଫଳ ହୋଇଥିଲା ଚଳିତ ଲୋକସଭା ନିର୍ବାଚନରେ ।

ଲୋକସଭାରେ କନ୍ଦାଇଲା ପିଆଜ

ଲୋକସଭା ନିର୍ବାଚନ ବେଳେ ପିଆଜ ଚାଷୀଙ୍କ ରୋଶର ଶିକାର ହୋଇଥିଲା ବିଜେପି। ପିଆଜ ଦର କମ୍ ଓ ରପ୍ତାନି କଟକଣା ବିବାଦକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଧୁଲେ, ଦିଣ୍ଡୋରୀ, ଅହମ୍ମଦନଗର, ପୁନେ, ନାସିକ ଅଞ୍ଚଳର ଚାଷୀ ବ୍ୟାପକ କ୍ଷତି ସହିଥିଲେ । ପରେ ରପ୍ତାନି କଟକଣା ହଟାଯାଇଥିଲେ ବି ନିର୍ବାଚନ ଫଳାଫଳରେ ପିଆଜ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପିଆଜ ବେଲ୍ଟରେ ମହାୟୁତିକୁ ଝଟକା ଲାଗିଥିଲା। ତେବେ ପିଆଜ ଚାଷୀଙ୍କ ଅସନ୍ତୋଷର ଫାଇଦା ନେଇଥିଲା ଇଣ୍ଡିଆ ମେଣ୍ଟ । ମହାରାଷ୍ଟ୍ର ସାରା ଦେଶରେ ସବୁଠୁ ଅଧିକ ପିଆଜ ଉତ୍ପାଦନକାରୀ ରାଜ୍ୟ । ଏସିଆର ସବୁଠୁ ବଡ ହୋଲସେଲ୍ ପିଆଜ ମାର୍କେଟ୍ ଲସଲାଗାଓଁ ମହାରାଷ୍ଟ୍ରରେ ରହିଛି । ଦେଶର ପ୍ରାୟ ୩୪ପ୍ରତିଶତ ପିଆଜ ଉତ୍ପାଦନ କରୁଥିବା ମହାରାଷ୍ଟ୍ରରେ ପିଆଜ ଚାଷୀ ମହାରାଷ୍ଟ୍ର ନିର୍ବାଚନରେ ଗୁରୁତ୍ବ ବହନ କରୁଛନ୍ତି ।

ଖେଳ ବିଗାଡିବ ସୋୟାବିନ, କପା !

ପିଆଜକୁ ନେଇ ଲୋକସଭା ଲସ୍ ପରେ ଡ୍ୟାମେଜ କଣ୍ଟ୍ରୋଲ କରିଛି ବିଜେପି । ହେଲେ ଏଥର କପା ଓ ସୋୟାବିନର ଦର ହ୍ରାସ ମହାୟୁତି ପାଇଁ ଚିନ୍ତାର କାରଣ ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି । ମହାରାଷ୍ଟ୍ରରେ ମହାବିକାଶ ଅଘାଡି କ୍ଷମତାକୁ ଆସିଲେ ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୁଲ୍ୟ ମିଳିବ ବୋଲି ରାହୁଲ କହିଛନ୍ତି । ସୋୟାବିନ ଦର ଏମଏସପିଠାରୁ ତଳକୁ ଖସିଛି । ମରାଠାଓ୍ବାଡା, ବିଦର୍ଭ, ନାସିକ, ଜଲଗାଓଁ ଓ କୋହ୍ଲାପୁରରେ ବହୁ ସଂଖ୍ୟାରେ  ସୋୟାବିନ ଚାଷୀ ରହିଛନ୍ତି । ତେଣୁ ସୋୟାବିନ ଓ କପା ଦରକୁ ନେଇ ବିରୋଧୀ ମହାୟୁତିକୁ ଘେରିଛନ୍ତି । ରାହୁଲଙ୍କ ସହ ଶରଦ ପାଓ୍ବାର ମଧ୍ୟ ପ୍ରସଙ୍ଗକୁ ନେଇ ଟାର୍ଗେଟ୍ କରିଛନ୍ତି। ତେବେ ସୋୟାବିନ ଓ କପାକୁ ଏମଏସପିରୁ ଅଧିକ ଦରରେ କିଣାଯିବ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । ତେବେ ଏଥର ପିଆଜ ସାଙ୍ଗକୁ ସୋୟାବିନ ଓ କପା ଚାଷୀ ମହାରାଷ୍ଟ୍ର ନିର୍ବାଚନରେ କାହାକୁ ବାଛିବେ, ତାଉପରେ ନଜର ରହିଛି ।

Comments are closed.