Latest Odisha News

BREAKING NEWS

ମନ୍ତ୍ରୀ ପଦ କାଢ଼ିନେଲେ ଟିକେଟ ଦେବେ ତ ?

ଭୁବନେଶ୍ୱର: କାହିଁକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯାଇଥିଲା। କିନ୍ତୁ ଏହି ମାପଦଣ୍ଡରେ ରୋହିତ ପାସ କରି ପାରି ନ ଥିଲେ। ତେଣୁ ତାଙ୍କୁ ବିଦାୟ ଦିଆଯାଇଥିବା କୁହାଯାଇଛି।

BjdElectrycity

କିନ୍ତୁ ହଠାତ ରୋହିତଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହାର ପ୍ରକୃତ କାରଣ ବିଭାଗୀୟ ଖରାପ ପ୍ରଦର୍ଶନ ନା ଆଉ କିଛି ବୋଲି ଆଲୋଚନା ହେଉଛି।

କିଛିଦିନ ତଳେ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତି ନିର୍ବାଚନ ନ ଲଢ଼ିବା ନେଇ ବୟାନ ଦେଇଥିଲେ। ଯାହାକି ବିଭିନ୍ନ ଗଣମାଧ୍ୟମର ଶୀର୍ଷମଣ୍ଡନ କରିଥିଲା ଓ ଯାହାକୁ ନେଇ ବିବାଦ ମଧ୍ୟ ତୀଵ୍ର ହୋଇଥିଲା।

ଆଗକୁ ନିର୍ବାଚନ ଥିବାରୁ ରୋହିତଙ୍କ ଏହି ବୟାନ ଦଳକୁ ଅଡୁଆରେ ପକାଇଥିବା ଚର୍ଚ୍ଚା ହେଉଥିଲା। ଏପରିକି ବିଜେଡିର ଅନେକ ନେତା ୬୦ ଓ ତାଠୁ ଅଧିକ ବୟସର ରହିଛନ୍ତି। ତେଣୁ ଏହାକୁ ନେଇ ଦଳୀୟ ନେତୃତ୍ୱ ଅସନ୍ତୁଷ୍ଟ ଥିବା କୁହାଯାଏ।

ସେପଟେ ରୋହିତ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ସମ୍ବଲପୁରରେ ବିଜେଡିର ସଂଗଠନ ସେତେଟା ସୁଦୃଢ଼ ନ ଥିବା କୁହାଯାଉଛି। ଏପରିକି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମ୍ବଲପୁର ବିଧାୟକ ଥିବା ସହ ସେଠାରେ ନିଜର ଶକ୍ତିକୁ ଆହୁରି ବଢ଼ାଉଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇପାରନ୍ତି। ଯେଉଁଥିପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରୁଛି। କିନ୍ତୁ ଏ ସବୁ ଭିତରେ ରୋହିତଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା। ଯାହାକି ରୋହିତଙ୍କୁ ମହଙ୍ଗା ପଡିଲା ବୋଲି କୁହାଯାଉଛି।

ଆଉ ଏକ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ କଥା ଯାହାକୁ ନେଇ ଚର୍ଚ୍ଚା ହେଉଛି ତାହା ହେଉଛି ପ୍ରସନ୍ନ ଆଚାର୍ଯ୍ୟ ଫ୍ୟାକ୍ଟର। ପଶ୍ଚିମ ଓଡିଶାର ବିଜେଡିର ପ୍ରମୁଖ ଚେହେରା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡିରେ ଗୁରୁତ୍ୱ ଦିଆଯାଏ। ପ୍ରସନ୍ନ ଆଚାର୍ଯ୍ୟ ୨୦୦୯ ମସିହାରେ ରେଢ଼ାଖୋଲରୁ ବିଜେଡି ବିଧାୟକ ଭାବେ ଜିତିଥିଲେ।

କିନ୍ତୁ ୨୦୧୪ ରେ ସେଠାରୁ ରୋହିତଙ୍କୁ ଦଳ ପ୍ରାର୍ଥୀ କରିଥିଲା ଓ ପରେ ୨୦୧୯ ରେ ମଧ୍ୟ ସେ ସେଠାରୁ ଲଢ଼ି ଜିତିଥିଲେ। କିନ୍ତୁ ଏବେ ରୋହିତଙ୍କ ମନ୍ତ୍ରୀପଦ ଯାଇଥିବା ବେଳେ ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ସେଠାରୁ ଆଉ ପ୍ରାର୍ଥୀ ନ କରିପାରେ ବୋଲି ଆଲୋଚନା ଆରମ୍ଭ ହୋଇଛି। ପ୍ରସନ୍ନ ଆଚାର୍ଯ୍ୟ ପୁଣିଥରେ ରେଢ଼ାଖୋଲରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଖାଲି ସେତିକି ନୁହେଁ ପଶ୍ଚିମ ଓଡିଶା ରାଜନୀତିର ସମୀକରଣ ମଧ୍ୟ ବଦଳୁଥିବା ଦେଖାଯାଇଛି। କିଛି ଦିନ ତଳେ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରାଯାଇ ନ ଥିଲା। ଯାହାକୁ ନେଇ ପଶ୍ଚିମ ଓଡିଶାର ଦଳୀୟ ନେତାମାନେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଏବେ ରୋହିତଙ୍କ ମନ୍ତ୍ରୀପଦ ଯିବା ପରେ ପଶ୍ଚିମ ଓଡ଼ିଶାରେ ବିଜେଡିର ସମୀକରଣ ବଦଳୁଛି କି ବୋଲି ପ୍ରଶ୍ନ ଉଠିଛି। ମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ବର୍ଷକରେ ପଦ ହରାଇଛନ୍ତି ରୋହିତ ପୂଜାରୀ। ଏପରିକି ଗତ ମେ ମାସ ୨୨ ତାରିଖରେ ନବୀନ ନିଜ ମନ୍ତ୍ରିମଣ୍ଡଳରେ ୩ ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦେଇଥିଲେ।

ସେତେବେଳେ ପୂର୍ବତନ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା କିନ୍ତୁ ରୋହିତ ମନ୍ତ୍ରୀ ଭାବେ ରହିଥିଲେ।

ତେଣୁ ଏ ସବୁ ଘଟଣାକୁ ଅଧିକ ଦିନ ହୋଇ ନ ଥିବାବେଳେ ହଠାତ କଣ ହେଲା ଓ ରୋହିତଙ୍କୁ କେବଳ କଣ ବିଭାଗୀୟ ଖରାପ ପ୍ରଦର୍ଶନ ପାଇଁ ମନ୍ତ୍ରୀ ପଦରୁ ହଟାଗଲା ବୋଲି ଚର୍ଚ୍ଚା ଜୋର ଧରିଛି।

ସେପଟେ ବଦଳୁଥିବା ସମୀକରଣକୁ ଦେଖିଲେ ପଶ୍ଚିମ ଓଡ଼ିଶାର ବିଜେଡି ରାଜନୀତି ଆଗକୁ କେଉଁ ରୂପ ନେବ ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.