Latest Odisha News

‘କର୍ଣ୍ଣାଟକ ରାଜନୀତି’, ବିରୋଧୀ ଦଳ ନେତା ବାଛିପାରୁନି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ଏଯାଏ ବିରୋଧୀ ଦଳ ନେତା ଚୟନ କରି ପାରି ନାହିଁ। କଂଗ୍ରେସ ନୂଆ ସରକାର ଗଠନ କରିବା ସହ ସବୁ ମନ୍ତ୍ରୀ ଶପଥ ନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ବିଜେପି କିନ୍ତୁ ବିଧାନସଭାରେ ନିଜ ନେତା ଚୟନ କରି ନ ପାରିବାକୁ ନେଇ ରାଜନୀତି ଜୋର ଧରିଛି।

ସେପଟେ ଖୁବ ଶୀଘ୍ର ବିରୋଧୀ ଦଳ ନେତା ଚୟନ ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ବିଜେପିର ବିଜୟୀ ବିଧାୟକ ମାନଙ୍କ ସହ ଆଲୋଚନା କରିଛନ୍ତି।

କାହାକୁ ବିରୋଧୀ ଦଳ ନେତା ପଦରେ ବସାଯିବ ସେ ନେଇ ମତାମତ ନିଆଯାଇଛି। ବିରୋଧୀ ଦଳ ନେତା ପଦ ପାଇଁ ବହୁ ନାଁକୁ ନେଇ ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ବାସନାଗଉଡା ପାଟିଲ ୟାତନାଲ, ସୁନୀଲ କୁମାର, ସି ଏନ ଅସ୍ଵଥ ନାରାୟଣ, ଆର ଅଶୋକା, ଅରବିନ୍ଦ ବେଲାଡ଼ ଆଦି ନାଁ କୁ ନେଇ ଚର୍ଚ୍ଚା ହେଉଛି।

ଏସବୁ ନେତାମାନେ ବିରୋଧୀ ଦଳ ନେତା ପଦରେ ବିଜେପିକୁ ସଠିକ ଦିଶା ଦେଇପାରିବେ ବୋଲି କୁହାଯାଉଛି। କିନ୍ତୁ ଦଳର ବଡ଼ ପରାଜୟ ପରେ କାହାକୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ତାକୁ ନେଇ ଵିଚାର ବିମର୍ଶ ଜୋର ଧରିଛି। କାହାକୁ ଏହି ପ୍ରମୁଖ ପଦ ଦେଲେ ଦଳ ପୁଣିଥରେ କର୍ଣ୍ଣାଟକରେ ଶକ୍ତ ହୋଇପାରିବ ତାକୁ ନେଇ ଆଲୋଚନା ହେଉଛି।

ନିର୍ବାଚନରେ ଦଳର ବହୁ ବରିଷ୍ଠ ଓ ଅନୁଭବୀ ନେତା ପରାଜୟ ବରଣ କରିଛନ୍ତି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ବୋମ୍ମାଇଙ୍କୁ ଦେବା ସପକ୍ଷରେ ବହୁ ନେତା ରହିଛନ୍ତି। କଂଗ୍ରେସକୁ କିଭଳି କାଉଣ୍ଟର କରିହେବ ଓ ବିଧାନସଭାରେ କିଭଳି ଦଳ ଭଲ ପ୍ରଦର୍ଶନ କରିବ ତାହା ବୋମ୍ମାଇଙ୍କୁ ଜଣା ବୋଲି କୁହାଯାଇଛି।

ସେପଟେ ୟତନାଲ ଓ ସୁନୀଲ କୁମାରଙ୍କ ନାଁକୁ ନେଇ ଚର୍ଚା ହେଉଥିଲେ ମଧ୍ୟ ବିଧାନସଭାର ପ୍ରୋସିଡିଙ୍ଗସ ସମ୍ବନ୍ଧୀୟ ଅଭିଜ୍ଞତା ଅଭାବ ଥିବାରୁ ସେମାନଙ୍କୁ ଦାୟିତ୍ୱ ଦେବାକୁ ନେଇ ଦଳ ନିଷ୍ପତ୍ତି ନେଇପାରୁନି। ରାଜନୈତିକ ଭାଷଣ ଦେବା ଓ ବିଧାନସଭାରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସମ୍ମୁଖୀନ ହେବେ ଅଲଗା। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଦଳ ନିଷ୍ପତ୍ତି ନେବ।

ସେପଟେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବିଜେପି ରାଜ୍ୟରେ ପୁଣିଥରେ ଅଧିକ ସିଟ ଜିତିବାକୁ ହେଲେ କଂଗ୍ରେସ ନେତାଙ୍କ ସହ ଟକ୍ଜର ଦେବା ଭଳି ମୁଖିଆ ଆବଶ୍ୟକ ବୋଲି କୁହାଯାଉଛି। ସେସବୁକୁ ଦେଖି ଦଳ କାହାକୁ ବିରୋଧୀ ଦଳ ନେତା ପଦରେ ବସାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେଣୁ ଖୁବ ଶୀଘ୍ର ଦଳର କୋର କମିଟି ବୈଠକ କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ସେପଟେ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ବସାଇବାକୁ ନେଇ କଂଗ୍ରେସର ବିଳମ୍ବକୁ ସେତେବେଳେ ସମାଲୋଚନା କରାଯାଇଥିବା ବେଳେ ବିଜେପି ଏ ଯାଏ ବିରୋଧୀ ଦଳ ନେତା ଚୟନ କରି ନ ପାରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କିନ୍ତୁ ଦଳର ବଡ଼ ପରାଜୟ ପରେ କିଭଳି ସେସବୁକୁ ଭରଣା କରାଯିବ ତାକୁ ନେଇ ସବୁ ଦିଗକୁ ବିଚାର କରି ବିଜେପି ପଦକ୍ଷେପ ନେଉଥିବା କୁହାଯାଉଛି।

Leave A Reply

Your email address will not be published.