Latest Odisha News

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି।

BjdElectrycity

ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ ମହାରାଷ୍ଟ୍ରରେ ଖୁବ କମ ଦିନ ମଧ୍ୟରେ କିଛି ନା କିଛି ଘଟିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

୧୫ ରୁ ୨୦ ଦିନରେ ସିନ୍ଦେ ବିଜେପି ସରକାର ଭାଙ୍ଗିଯିବ ବୋଲି ସେ ଖୋଲାଖୋଲି କହିଛନ୍ତି। ମହାରାଷ୍ଟ୍ରରେ ସିନ୍ଦେ ବିଜେପି ସରକାରର ଡେଥ ୱାରେଣ୍ଟ ଜାରି ହୋଇସାରିଛି । କେବଳ ତାରିଖ ଘୋଷଣା ହେବା ବାକି ଅଛି।

ସିନ୍ଦେ ସରକାର ଫେବ୍ରୁଆରୀରେ ଭାଙ୍ଗିଯିବ ବୋଲି ସେ କହିଥିଲେ କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟରେ ବିଳମ୍ବ ହେବା ଯୋଗୁ ସରକାରଙ୍କ ଲାଇଫଲାଇନ ବଢ଼ିଯାଇଥିବା ସଞ୍ଜୟ ରାଉତ କହିଛନ୍ତି। ସଂଜୟଙ୍କ ବୟାନ ପରେ ଏହି ଚର୍ଚ୍ଚା ଏବେ ବ୍ୟାପକ ହେଉଛି।

ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜର ସମର୍ଥିତ ପ୍ରାୟ ୪୦ ଜଣ ବିଧାୟକଙ୍କୁ ନେଇ ବିଜେପିରେ ମିଶିବା କେବେଠୁ ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରରେ ଶିବସେନା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କରିବେ। ସେଥିରେ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହୋଇପାରେ ବୋଲି କୁହାଯାଉଛି।

ତେଣୁ ଏହା ପୂର୍ବରୁ ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିବା ସହ ଅଜିତ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଏହି ଚର୍ଚ୍ଚାରେ ନିଆଁରେ ଘିଅ ଢାଳିବା ଭଳି ଅଜିତ ମଧ୍ୟ ୨୦୨୪ ପୂର୍ବରୁ ଶହେ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଏଭଳି କିଛି ହେବାକୁ ଯାଉଛି କି ବୋଲି ଆଲୋଚନା ହେଉଛି।

ସେପଟେ ସିନ୍ଦେ ଗୋଷ୍ଠୀ ମଧ୍ୟ ଅଜିତ ପାୱାର ଗାଷ୍ଠୀ ବିଜେପିରେ ଲୀନ ହେଲେ ସରକାରରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ କିନ୍ତୁ ଏନସିପିରେ ବିଦ୍ରୋହ ସମ୍ଭାବନା ବଢୁଥିବାରୁ ଦଳର ମୁଖିଆ ଶରଦ ପାୱାର ଏନସିପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କଲେ ଦଳ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି।

ପୁତୁରା ଅଜିତ ପାୱାର ବହୁ ବିଧାୟକଙ୍କ ସହ ବିଜେପିକୁ ଯିବା ନେଇ ଚର୍ଚ୍ଚା ବଢୁଥିବା ବେଳେ ଶରଦ ପାୱାର ଏଭଳି ଚେତାବନୀ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ମହାରାଷ୍ଟ୍ର ରାଜନୀତି କେଉଁ ମୋଡ଼ ନେବ ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.