Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’, ରାହୁଲ କରୁଛନ୍ତି, ମୋଦି ଆରମ୍ଭ କରିବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଏବେ ଜମୁଛି। କଂଗ୍ରେସ ଓ ବିଜେପି ଭିନ୍ନ ଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି।

ରାହୁଲ ଗାନ୍ଧୀ କୋଲାରରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବା ସହ ଅନ୍ୟ ପ୍ରମୁଖ ଅଞ୍ଚଳରେ ଜୋରଦାର ପ୍ରଚାର କରୁଛନ୍ତି। ରାହୁଲ ଉତ୍ତର କର୍ଣ୍ଣାଟକରେ ବ୍ୟାପକ ପ୍ରଚାର କରିଛନ୍ତି। ଏଥିସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସମସ୍ୟା ବୁଝୁଛନ୍ତି। କର୍ଣ୍ଣାଟକରେ ଆଖୁ ଚାଷୀଙ୍କ ସମେତ ଯୁବ ବର୍ଗଙ୍କୁ ଭେଟିଛନ୍ତି ରାହୁଲ।

ଏପରିକି ନନ୍ଦିନୀ କ୍ଷୀରକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଥିବାବେଳେ ରାହୁଲ ନନ୍ଦିନୀ କ୍ଷୀର ଷ୍ଟଲ ଯାଇ କ୍ଷୀରଜାତୀୟ ସାମଗ୍ରୀ ଖାଇଥିବା ଦେଖିବାକୁ ମିଳିଥିଲା। ବିଜେପି ଛାଡି କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କୁ ମଧ୍ୟ ଭେଟିଛନ୍ତି ରାହୁଲ ।

କଂଗ୍ରେସ କର୍ଣ୍ଣାଟକରେ ସବୁ ପ୍ରକାର ରଣନୀତିକୁ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି। ଲିଙ୍ଗାୟତ ସମ୍ପ୍ରଦାୟ ଭୋଟ ଭାଗ କରି କଂଗ୍ରେସ ଖାତାକୁ ଆଣିବା ସହ ଭୋକାଲିଗା ଓ ଦଳିତ ସମ୍ପ୍ରଦାୟର ଭୋଟକୁ ଦଳ ସପକ୍ଷକୁ ଆଣିବାକୁ ସବୁ ଉଦ୍ୟମ ହେଉଛି।

ସେଥିପାଇଁ କର୍ଣ୍ଣାଟକର ପ୍ରତିଷ୍ଠିତ ଲିଙ୍ଗାୟତ ଚେହେରା ଜଗଦୀଶ ସେଟ୍ଟାର ଓ ଲକ୍ଷ୍ମଣ ସାବାଡିଙ୍କୁ ଦଳ ଆଗକୁ ଆଣିଥିବା ବେଳେ ଖୋଦ କର୍ଣ୍ଣାଟକ ପିସିସି ସଭାପତି ଡି କେ ଶିବକୁମାର ଭୋକାଲିଗା ସମ୍ପ୍ରଦାୟର ପ୍ରମୁଖ ଚେହେରା। ସେପଟେ କଂଗ୍ରେସ ଜାତୀୟ ସଭାପତି ତଥା କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ହେଉଛନ୍ତି ଦଳିତ ଚେହେରା।

ତେଣୁ ସବୁ ଜାତି ଓ ବର୍ଗଙ୍କୁ ନେଇ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବ୍ୟାପକ ସଫଳତା ପାଇବାକୁ ଯୋଜନା କରିଛି। ସେପଟେ ବିଜେପିର ଲୋକପ୍ରିୟ ଚେହେରା ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କର୍ଣ୍ଣାଟକ ବିଜେପି ପୁରା ଭରଷା କରିଛି। ନିର୍ବାଚନରେ ବହୁ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବିଜେପି ମୋଦିଙ୍କୁ ଭରଷା କରିଛି।

ମୋଦି ଏପ୍ରିଲ 30 ତାରିଖରେ ଚନ୍ନାପାଟନାରେ ବଡ଼ ରାଲି କରିବେ। କର୍ଣ୍ଣାଟକ ରାମନଗର ଜିଲ୍ଲାର ଏହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ ସଭା କରିବା ନେଇ ସୂଚନା ମିଳିଛି। ବିଜେପି ଦୃଢ଼ ନ ଥିବା ସ୍ଥାନରେ ଏଥର ଦଳ ଅଧିକ ସିଟ ଜିତିବାକୁ ଲକ୍ଷ ରଖିଛି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସର ନେତା ଏଚ ଡି କୁମାରସ୍ୱାମୀ ଚନ୍ନାପାଟନା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। ଯେଉଁଠି ମୋଦି ଆସନ୍ତା ୩୦ ତାରିଖରେ ପ୍ରଚାର କରିବେ ବୋଲି କୁହାଯାଉଛି। ଏଥିସହିତ ମୋଦି କର୍ଣ୍ଣାଟକରେ ୧୫ ରୁ ଅଧିକ ରାଲି କରିବେ । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟୀୟ ସଭାପତି ଜେ ପି ନଡ୍ଡା କର୍ଣ୍ଣାଟକରେ ରୋଡଶୋ କରିଛନ୍ତି । ଆଗକୁ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପ୍ରଚାର କରିବେ।

ଗୋଟିଏ ପଟେ ବିଜେପି ବରିଷ୍ଠ ନେତାମାନଙ୍କ ଟିକେଟ କାଟିଥିବା ବେଳେ ବହୁ ନୂଆ ନେତାଙ୍କୁ ପ୍ରାର୍ଥୀ କରିଛି। ତେଣୁ ପୁରୁଖା ନେତାଙ୍କ ଅସନ୍ତୋଷର ପ୍ରଭାବ ବିଜେପି ଉପରେ ପଡିବ ବୋଲି କୁହାଯାଉଥିବା ବେଳେ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟରକୁ ପ୍ରତିହତ କରିବାକୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଯାହା ଦଳକୁ ଫାଇଦା ଦେବ ବୋଲି ବିଜେପି ନେତାମାନେ ଆଶା ରଖିଛନ୍ତି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ମୋଦି ଟିକେଟ ନ ପାଇ ଦଳରେ ଥିବା ବରିଷ୍ଠ ନେତାଙ୍କ ସହ କଥା ହୋଇଛନ୍ତି। ଏପରିକି ଅନ୍ୟ ନେତାଙ୍କ ଅସନ୍ତୋଷ କିଭଳି ଦୂର ହେବ ସେ ନେଇ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରୟାସ ଜାରି ରହିଛି।

ସେପଟେ କଂଗ୍ରେସ ମଧ୍ୟ ବିଜେପିର ଘର କଳିର ଭରପୁର ଫାଇଦା ନେବାକୁ ସବୁ ଯୋଜନା କରିଛି। ତେଣୁ ଏ ସସବୁକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ତା ଉପରେ ନଜର।

Leave A Reply

Your email address will not be published.