Latest Odisha News

BREAKING NEWS

ଆଗ୍ରେସିଭ ରାଜ୍ୟ ବିଜେପି, କେନ୍ଦ୍ରର ସହଯୋଗ ମିଳିବ ତ?

ଭୁବନେଶ୍ୱର: ଆକ୍ରମଣତ୍ମକ ମୁଦ୍ରାରେ ରାଜ୍ୟ ବିଜେପି। ନୂଆ ଆଗ୍ରେସିଭ ଟିମକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ଶାସନକୁ ଆସିବାକୁ ଯୋଜନା କରୁଛି ଦଳ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶାସକ ଦଳ ଉପରେ ଲଗାତର ବର୍ଷି ଚାଲିଛନ୍ତି। ବହୁ ସମ୍ବେଦନଶୀଳ ପ୍ରସଙ୍ଗରେ ଶାସକ ଦଳର ମଙ୍ଗୁଆଳଙ୍କୁ ଟାର୍ଗେଟ କରି ଚାଲିଛନ୍ତି ଜୟ। ଏବେ ସେଥିରେ ଯୋଡି ହୋଇଛନ୍ତି ରାଜ୍ୟ ବିଜେପିର ନୂଆ ମୁଖିଆ ମନମୋହନ ସାମଲ। ଦାୟିତ୍ୱ ନେଉ ନେଉ ଆକ୍ରମଣତ୍ମକ ହୋଇଛନ୍ତି ମନମୋହନ।

ଆଗାମୀ ଦିନରେ ଶାସନକୁ ଆସିବାର କଥା କହିଛନ୍ତି ମନମୋହନ। ଏପରିକି ମନମୋହନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପି ନେତାମାନେ ହୁଙ୍କାର ଦେଇଛନ୍ତି। କାର୍ଯ୍ୟକ୍ରମରେ ମନମୋହନଙ୍କ ସମେତ ଜୟ ନାରାୟଣ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ପ୍ରମୁଖ ବିଜେଡି ଉପରେ ବର୍ଷିଥିବା ଦେଖାଯାଇଛି।

ତାହେଲେ ସତରେ କଣ ଆଗାମୀ ଦିନରେ ରାଜ୍ୟରେ ବିଜେଡିକୁ ମାତ ଦେବାରେ ବିଜେପି ସକ୍ଷମ ହେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା କଣ ସତ ହୁଙ୍କାର ନା କେବଳ ରାଜନୈତିକ ବାତାବରଣ ତିଆରି ପାଇଁ ଉଦ୍ୟମ ବୋଲି ଆଲୋଚନା ହେଉଛି। ଏପଟେ ଓଡ଼ିଶାରେ ବିଜେଡିକୁ ରାଜ୍ୟ ବିଜେପି ଟାର୍ଗେଟ କରି ଶାସନକୁ ଆସିବାର ସ୍ୱପ୍ନ ଦେଖୁଥିବା ବେଳେ ସେପଟେ କେନ୍ଦ୍ରୀୟ ବିଜେପି କଣ ଚାହୁଁଛି ତାକୁ ନେଇ ପ୍ରଶ୍ନ ଉଠିଛି।

ବିଜେଡି ଜାତୀୟ ଦଳ ଗୁଡିକ ଠାରୁ ସମଦୁରତା କଥା କହିଲେ ମଧ୍ୟ ବହୁ କ୍ଷେତ୍ରରେ କେନ୍ଦ୍ରରେ ବିଜେପିକୁ ସହଯୋଗ କରିବା ଦେଖାଯାଏ। ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭାକୁ ପଠାଇବା ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ବିଜେପିର ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ।

ବିଜେଡି ଓ ଆନ୍ଧ୍ରର ୱାଇଏସଆର କଂଗ୍ରେସ ବିଜେପିଠୁ ଦୂରରେ ଥିଲେ ମଧ୍ୟ ବିଜେପିକୁ ସହଯୋଗ କରୁଥିବା ଚର୍ଚ୍ଚା ହୁଏ। ଏବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ମଧ୍ୟ ବିଜେଡି ଓ ୱାଇଏସଆର କଂଗ୍ରେସ ନିଜକୁ ଦୂରେଇ ରଖିଥିବା ଦେଖାଯାଇଛି। ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ବିରୋଧୀ ଦଳଗୁଡିକ ମିଳିତ ଭାବେ ବିଜେପିକୁ ଆକ୍ରମଣ କରୁଥିବା ବେଳେ ଏ ଉଭୟ ଦଳ ନିଜକୁ ସେସବୁରୁ ଦୁରେଇ ରଖିଥାନ୍ତି।

ତେଣୁ ଏଭଳି ସ୍ଥିତିରେ ବିଜେଡି ବିରୋଧରେ ରାଜ୍ୟ ବିଜେପି ଯେତେ ହୁଙ୍କାର ଦେଲେ ମଧ୍ୟ କେନ୍ଦ୍ର ବିଜେପି କଣ ଆନ୍ତରିକତାର ସହ ଏ କଥା ଚାହିଁବ କି ବୋଲି ଆଲୋଚନା ହେଉଛି। ସେପଟେ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗରେ ସବୁ ବିରୋଧୀ ଏକ ହୋଇଥିଲେ ମଧ୍ୟ ବିଜେଡି ସମ୍ପୂର୍ଣ ନିରବ ରହିଛି। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ବିଜେପି କଣ ରାଜ୍ୟର ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ଚାହିଁବ କି ବୋଲି କୁହାଯାଉଛି।

ଆଗକୁ ସାଧାରଣ ନିର୍ବାଚନ। ରାଜ୍ୟରେ ବିଜେଡିର ବେଶ ଭଲ ଦବଦବା ରହିଥିବା ଦେଖାଯାଏ। ଦେଶର ରାଜନୈତିକ ଚିତ୍ର ବଦଳୁଛି। ତେଣୁୂ ଆଗକୁ ଆବଶ୍ୟକ ପଡ଼ିଲେ ବିଜେଡିର ସହଯୋଗକୁ କେନ୍ଦ୍ରୀୟ ବିଜେପି ଅପେକ୍ଷା ରଖିବ ନା ରାଜ୍ୟ ବିଜେଡିକୁ ଅସନ୍ତୁଷ୍ଟ କରିବ ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି।

Leave A Reply

Your email address will not be published.