Latest Odisha News

ଭୁବନେଶ୍ୱର ମେୟର ନିର୍ବାଚନ: ବିଜେଡିର କ୍ଲିନ୍ ସୁଇପକୁ ରୋକିବେ କି ବିଜେପିର ତିନି ତୁଙ୍ଗ ନେତା ?

ଭୁବନେଶ୍ୱର: ପଂଚାୟତ ନିର୍ବାଚନର ଫଳାଫଳ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ଯେମିତି ନପଡିବ ସେ ନେଇ ଅଣ୍ଟା ଭିଡିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏବେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଦଳର ନେତା ସୁରଥ ବିଶ୍ୱାଳ ଆଜି ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ବର୍ଷ ବର୍ଷ ଧରି ରାଜଧାନୀ ଛାତିରେ ଯେଉଁ ନେତ୍ରୀ ଲହୁ ଲୁହାଣ ହେଲେ ଖରା ବର୍ଷାରେ ଆନେ୍ଦାଳନ କଲେ ସେ ନେତ୍ରୀଙ୍କୁ ପ୍ରାର୍ଥୀ ନକରି ହଠାତ ସୁନୀତିଙ୍କୁ ଡାର୍କ ହୋର୍ସ ଭାବେ ବିଜେପି ପ୍ରାର୍ଥୀ କରିଛି । ତେଣୁ ଏଭଳି ସ୍ଥିତିରେ ବିଜେପିର ତିନି ହେବିୱେଟ ନେତା ସୁନୀତିଙ୍କ ପାଇଁ ପ୍ରଚାର କରି କେତେ ଭୋଟ୍ ଯୋଗାଡ କରିପାରୁଛନ୍ତି ତାହା ଆଗକୁ ଜଣାପଡିବ । ସେହିପରି କଟକ ଏବଂ ବ୍ରହ୍ମପୁର ମେୟର ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ପୌରାଞ୍ଚଳରେ ରାଜ୍ୟ ବିଜେପିର ଏହି ତିନି ପ୍ରମୁଖ ନେତା ପ୍ରଚାର କରିବେ ବୋଲି ଜଣାପଡିଛି।

ସୁନୀତିଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସୁଲୋଚନା ଦାସ । ସେ ପୂର୍ବରୁ ସାମ୍ବାଦିକତାରେ ସକ୍ରିୟ ଥିଲେ । ଏହାପରେ ସେ କଂଗ୍ରେସ ଏବଂ ପରେ ବିଜେଡିରେ ସାମିଲ ହୋଇ ଏବେ ଦିବ୍ୟାଙ୍ଗ କମିଶନର ପଦରେ ରହିଛନ୍ତି । ଏବେ ସେ ବିଜେଡିର ମେୟର ପ୍ରାର୍ଥୀ ରହିଛନ୍ତି ।

ପଂଚାୟତ ନିର୍ବାଚନ ପରି ପୌର ଏବଂ ମହାନଗର ନିଗମରେ ମଧ୍ୟ ବିଜେଡି ସମସ୍ତ ଆସନ ପୋଛିନେବ ବୋଲି ବିଜେଡି ଦାବି କରିଛି । ସେହିପରି କଂଗ୍ରେସର ମେୟର ପ୍ରାର୍ଥୀ ରହିଛନ୍ତି ମଧୁସ୍ମିତା ଆଚାର୍ଯ୍ୟ ରହିଛନ୍ତି । ସେ ରାଜନୀତିରେ ସକ୍ରିୟ ରହିଥିବାରୁ ସୁନୀତିଙ୍କ ତୁଳନାରେ ଅଧିକ ପ୍ରଭାବୀ ବୋଲି ମତ ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.