Latest Odisha News

BREAKING NEWS

ବାଜି ବଦଳାଇବେ ସ୍ବାଧୀନ !

ଭୁବନେଶ୍ବର : ମିଳିଲାନି ଦଳୀୟ ଟିକେଟ୍ । ନିରାଶ ହେବା ପରେ ବଡ ନିଷ୍ପତ୍ତି । ସ୍ବାଧୀନ ଭାବେ ଲଢିବାକୁ ନେତାଙ୍କ ସଜବାଜ । ଅସନ୍ତୁଷ୍ଟ ହେବେ କି ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ବାଧା ? ଭୋଟ୍ ଭାଗ କରିବେ କି ସ୍ବାଧୀନ ? ବିଗିଡିଯିବ କି ଦଳର ବିଜୟ ଅଙ୍କକଷା ? ସ୍ବାଧୀନ ବଦଳାଇବେ କି ସମୀକରଣ ? ଜିତୁ ଜିତୁ ହାରିଯିବେ କି ଦଳୀୟ ପ୍ରାର୍ଥୀ ?

‘ଦଳ ବଡ଼ ନୁହେଁ ବରୀବାସୀ ବଡ’
ବରୀରୁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଇନି ବିଜେପି। ନିକଟରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଟିକେଟ୍ ପାଇଁ ଆଶାବାଦୀ ଥିଲେ । ହେଲେ ତାଙ୍କୁ ନିରାଶ କରିଛି ବିଜେପି । ତାଙ୍କ ବଦଳରେ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଉମେଶ ଚନ୍ଦ୍ର ଜେନାଙ୍କୁ ଟିକେଟ ଦେଇଛି ଦଳ । ବରୀବାସୀଙ୍କ ସେବା କରିବାକୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ଦେବାଶିଷ । ସେ ବିଜେଡି ଟିକେଟରୁ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ପ୍ରତାପଙ୍କ ବାଟରେ ‘ଖାରବେଳ’ କଣ୍ଟା !
ବାଲେଶ୍ବର ଲୋକସଭା ଆସନରେ ସ୍ବାଧୀନ ଭାବେ ଲଢିବେ ବିଜେପି ନେତା ଖାରବେଳ ସ୍ବାଇଁ । ବାଲେଶ୍ବରରୁ ପ୍ରାର୍ଥୀ ହେବା ପାଇଁ ଖାରବେଳ ଆଶାୟୀ ଥିଲେ । ହେଲେ ବିଜେପି ତାଙ୍କ ବଦଳରେ ପ୍ରତାପ ଷଡ଼ଙ୍ଗୀଙ୍କୁ ରିପିଟ୍ କରିଥିଲା। ଗତଥର କନ୍ଧମାଳରୁ ପ୍ରାର୍ଥୀ ହୋଇ ହାରିଥିଲେ ଖାରବେଳ । ଏଥର ବାଲେଶ୍ବର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ସେ ଦାବି କରିଥିଲେ । ହେଲେ ଦଳ ନିଷ୍ପତ୍ତି ନବଦଳାଇବାରୁ ସ୍ବାଧୀନ ଲଢିବାକୁ କହିଛନ୍ତି ଖାରବେଳ । ବାଲେଶ୍ବରରୁ ୩ଥର ସାଂସଦ ହୋଇଥିବା ଖାରବେଳ ପ୍ରତାପ ଷଡଙ୍ଗୀଙ୍କ ଭୋଟ୍ ଭାଗ କରିପାରନ୍ତି ।

କନ୍ଦାଇଦେବେ କି କାଳୁ !
ଖୋର୍ଦ୍ଧାରେ ବିଜେପି ଟିକେଟ୍ ନପାଇବା ପରେ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ କହିଛନ୍ତି କାଳୁ ଖଣ୍ଡାୟତରାୟ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସିଧା ସଳଖ ଟାର୍ଗେଟ୍ କରିବା ସହ ତାଙ୍କୁ ହରାଇବାକୁ ପ୍ରଚାର କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଗତଥର ୭୪ହଜାରର ଅଧିକ ଭୋଟ୍ ପାଇଥିବା କାଳୁ ଖଣ୍ଡାୟତରାୟ ଏଥର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାସ୍ତାର କଣ୍ଟା ହୋଇପାରନ୍ତି ।

ସମୀର ବିଗାଡିବେ ସମୀକରଣ !
ନିମାପଡାରୁ ଟିକେଟ୍ ନପାଇବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦାଶ । ତାଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସମୀର ଦାବି କରିଆସୁଛନ୍ତି । ତେବେ ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିସାରିଛନ୍ତି । ଦେବଗଡରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିବା ବେଳେ ନିରାଶ ହୋଇଛନ୍ତି ସମୀର । ଟିକେଟ୍ ପରିବର୍ତ୍ତନ ନହେଲେ ସମୀର ସ୍ବାଧୀନ ଭାବେ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଖଣ୍ଡପଡା ବିଜେଡି ଖଣ୍ଡ ଖଣ୍ଡ !
ଟିକେଟ୍ ଘୋଷଣା ହେଉ ହେଉ ଖଣ୍ଡପଡାରେ ବିଜେଡି ଛାଡିଛନ୍ତି ଦୁଇ ଟାଣୁଆ ନେତା । ପ୍ରଥମେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଦଳ ଛାଡିଥିବା ବେଳେ ପରେ ଅନ୍ୟତମ ଆଶାୟୀ ଗୟାଧର ପରିଡା ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରୁ ବିଦା ହେବା ପରେ ଉଭୟ ଏଥର ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା ପରେ ସେମାନେ ଦଳ ଛାଡିଛନ୍ତି । ଅନୁଭବ ପଟ୍ଟନାୟକ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନାମାଙ୍କନ ଭରିଛନ୍ତି। ଏବେ ସାବିତ୍ରୀଙ୍କୁ ଅଡୁଆରେ ପକାଇପାରେ ଭୋଟ୍ ବିଭାଜନ ।

ପ୍ରେମାନନ୍ଦ ବିଗାଡିବେ ତେଲକୋଇ ଗଣିତ !
ଅଣଦେଖା ଅଭିଯୋଗ କରି ବିଜେଡି ଛାଡିଲେ, ବିଜେପିରେ ମିଶିବା ପରେ ବି ମିଳିଲାନି ଟିକେଟ୍ । ତେଲକୋଇରୁ ସ୍ବାଧୀନ ଭାବେ ଲଢିବାକୁ ସଜବାଜ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ । ବିଜେପି ତାଙ୍କ ଜାଗାରେ ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ତ ବିଜେଡିରୁ ଟିକେଟ୍ ପାଇଛନ୍ତି ମାଧବ ସର୍ଦ୍ଦାର । ପ୍ରେମାନନ୍ଦ ସ୍ବାଧୀନ ଭାବେ ନିର୍ବାଚନ ଲଢିଲେ ଉଭୟ ବିଜେଡି ଓ ବିଜେପିର ଅଙ୍କ ଗୋଳମାଳ ହୋଇପାରେ ।

ସୌମ୍ୟଙ୍କ ପାଇଁ ବଦଳିବ ଘସିପୁରା ସମୀକରଣ !
ଘସିପୁରାରୁ ଲଢିବେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେପି ଟିକେଟରୁ ସୌମ୍ୟ ଲଢିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ଗୁରୁବାର ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏଥିସହ ସୌମ୍ୟ ବିଜେପିରୁ ଲଢିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିଛି । ତେବେ ସୌମ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ । ଏବେ ଘସିପୁରା ସମୀକରଣ ଏପଟ ସେପଟ ହୋଇପାରେ ।

ଟିକେଟ୍ ନମିଳିବା ପରେ ଖୋଲା ପ୍ରତିବାଦ । ଦଳୀୟ ଟିକେଟକୁ ଖୋଲା ଚ୍ୟାଲେଞ୍ଜ କରି ସ୍ବାଧୀନ ଭାବେ ଲଢିବାକୁ ନେତାଙ୍କ ପ୍ରସ୍ତୁତି । ଭୁବନେଶ୍ବର ଏକାମ୍ରରୁ ବିଜେଡିର ଅଶୋକ ପଣ୍ଡାଙ୍କୁ ବିରୋଧ କରି ବିରଞ୍ଚି ନାରାୟଣ ମହାସୁପକାର ହୁଅନ୍ତୁ କି ଜୟଦେବରେ ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କ ବିରୋଧରେ ସତ୍ୟପ୍ରିୟ ବେହେରା, ସ୍ବାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇ ଗୋଳମାଳ କରିପାରନ୍ତି ରାଜନୈତିକ ଗଣିତ। ରାଜ୍ୟ ବିଭିନ୍ନ ଅଞ୍ଚଳରେ ଏବେ ଦଳଙ୍କ ମୁଣ୍ଡବିନ୍ଧା ପାଲଟିଛନ୍ତି ସ୍ବାଧୀନ ପ୍ରାର୍ଥୀ ।

Leave A Reply

Your email address will not be published.