Latest Odisha News

BREAKING NEWS

କେନ୍ଦ୍ରାପଡା କୁରୁକ୍ଷେତ୍ର ପୁଣି ଦେଖିବ କି ନେତା ବନାମ ଅଭିନେତା ଲଢ଼େଇ?

ଭୁବନେଶ୍ୱର: କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଓହ୍ଲାଇବେ କାହାର ସେନାପତି ? ମେଂଟ ହେଲେ କାହାର କଟିବ ପତା ? କାହାକୁ ମିଳିବ ଟିକେଟ୍ ? ବିଜେଡି ନା ବିଜେପି, କାହା ଖାତାକୁ ଯିବ କେନ୍ଦ୍ରାପଡା ଲୋକସଭା ଆସନ ? ୧୯ ଦେଖିଥିଲା ରାଜନେତା, ଅଭିନେତା ଲଢେଇ । ଏଥର ରିପିଟ୍ ହେବେ ପ୍ରାର୍ଥୀ ନା ମଇଦାନକୁ ଓହ୍ଲାଇବେ ନୂଆ ଚେହେରା ? କଣ କହୁଛି କେନ୍ଦ୍ରାପଡା ସମୀକରଣ ?

ବିଜେଡି ନା ବିଜେପି, କେନ୍ଦ୍ରାପଡାରୁ କାହାର ପ୍ରାର୍ଥୀ ? ମେଂଟ ଚର୍ଚ୍ଚା ସାଙ୍ଗକୁ ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡା ରାଜନୀତି ଆହୁରି ଉଷ୍ଣ ହୋଇଛିା ୨୦୧୯ରେ କେନ୍ଦ୍ରାପଡାରେ ଦେଖିବାକୁ ମିଳିଥିଲା ରାଜ୍ୟର ସବୁଠୁ ହାଇଭୋଲଟେଜ୍ ଲଢେଇ । ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ୬ଲକ୍ଷ ୨୮ହଜାର ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପାଇଥିଲେ ୪ଲକ୍ଷ ୪୭ହଜାର ୪୫୬ ଭୋଟ୍ । ହେଲେ ୫ବର୍ଷ ଭିତରେ ବଦଳିଛି ରାଜନୈତିକ ସମୀକରଣ । ସାଂସଦ ଅନୁଭବ ମହାନ୍ତି ପାରିବାରିକ ବିବାଦରେ ଛନ୍ଦି ହେବା ପରଠୁ ବିଜେଡି ତାଙ୍କଠୁ ଦୂରତା ବଢାଇଛି । ତେଣୁ ଅନୁଭବ ପୁଣି ରିପିଟ୍ ହେବା ସମ୍ଭାବନା କମ୍ । କେନ୍ଦ୍ରାପଡା ରାଜନୀତିର ପ୍ରମୁଖ ବିଜେପି ଚେହେରା ବୈଜୟନ୍ତ ପଣ୍ଡା । ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ନିର୍ବାଚନ କ୍ଷେତ୍ରରେ ସେତେ ଆକ୍ଟିଭ୍ ନାହାନ୍ତି । ୟୁପି ଲୋକସଭା ନିର୍ବାଚନ ପାଇଁ ସେ ପ୍ରଭାରୀ ନିଯୁକ୍ତ ହୋଇଥିବାରୁ ତାଙ୍କ ଜାଗାରେ ନୂଆ ଚେହେରା ଖୋଜିପାର ବିଜେପିା

କୁହାଯାଉଛି, କେନ୍ଦ୍ରାପଡା ସିଟ୍ ନେବାକୁ ଆଗ୍ରହୀ ବିଜେଡି । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି ଦଳ । ପ୍ରଥମରେ କେନ୍ଦ୍ରାପଡା ବିଜେଡିର ଗଡ । ବିଜେଡି ଗଠନ ପରଠୁ କେନ୍ଦ୍ରାପଡାରେ କେବଳ ଶଙ୍ଖନାଦ ହିଁ ହୋଇଛି । ତେଣୁ ମେଂଟ ହେଲେ ବି ନିଜ ଷ୍ଟ୍ରଙ୍ଗହୋଲଡ ଛାଡିବାକୁ ଚାହୁଁନି ବିଜେଡି । ଦ୍ୱିତୀୟରେ ବିଜେଡି ଛାଡି ବିଜେପିକୁ ଯାଇଥିବା ବୈଜୟନ୍ତଙ୍କୁ ନିର୍ବାଚନ ମଇଦାନରୁ ଆଉଟ୍ କରିବାକୁ ଚାହୁଁଛି ଦଳ । ସେପଟେ ନିବେଶରୁ ନିର୍ବାଚନୀ ଲାଭ ଆଶାରେ ବିଜେଡି ।

କେନ୍ଦ୍ରାପଡା ମହାକାଳପଡାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରୁଛି ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ । ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ୍ ବି ପ୍ରତିଷ୍ଠା ହେବ । ପଡୋଶୀ ଜଗତସିଂହପୁରରେ ଜେଏସଡବ୍ଲୁ ଷ୍ଟିଲ୍ ପ୍ଲାଂଟ ଓ ପାରାଦୀପ ପାଖ ହୋଇଥିବାରୁ କେନ୍ଦ୍ରାପଡାରେ ଶିଳ୍ପର ବଡ ହବ୍ ହେବାକୁ ଯାଉଛି ।

ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ଶିଳ୍ପ ପ୍ରକଳ୍ପକୁ ନେଇ କେନ୍ଦ୍ରାପଡାରେ ବିଜେଡି ପାଇଁ ଜବରଦସ୍ତ କ୍ରେଜ୍ ରହିଛି । ଏହାକୁ ଭୋଟରେ ପରିଣତ କରିବାର ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେଡି । ସେପଟେ ସଂଖ୍ୟାଲଘୁ ବହୁଳ କେନ୍ଦ୍ରାପଡାରେ ବିଶେଷ ପକେଟ୍ ଭୋଟ୍ ନଥିବାରୁ ବିଜେପି ବି ଲବି କରିନପାରେ ।

ପ୍ରଶ୍ନ ଉଠୁଛି, ଯଦି ଅନୁଭବ ନୁହେଁ କେନ୍ଦ୍ରାପଡାରେ ବିଜେଡିରୁ କିଏ ? ନାଁ ଘୋଷଣା ହୋଇନଥିଲେ ବି ଚର୍ଚ୍ଚା ହେଉଛି ଅନୁଭବଙ୍କ ସ୍ଥାନ ନେଇପାରନ୍ତି ଅଂଶୁମାନ ମହାନ୍ତି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନଙ୍କର କେବଳ ରାଜନଗର ନୁହେଁ ପୂରା ଜିଲ୍ଲାରେ ରହିଛି ପତିଆରା ।

ବିଜୁବାବୁଙ୍କ ସହ ବାପାଙ୍କର ଘନିଷ୍ଠତା ଥିଲା । ନଳିନୀଙ୍କ ପତିଆରା, ଅଂଶୁମାନଙ୍କ ପୁରୁଣା କଂଗ୍ରେସ ସଂଗଠନ ଓ ବିଜେଡିର ସଂଗଠନ ମିଶି କେନ୍ଦ୍ରାପଡା ଲଢେଇକୁ ଏକତରଫା କରିପାରିବାର ସାମର୍ଥ୍ୟ ରହିଛି । ତେଣୁ ଅଂଶୁମାନଙ୍କ ଉପରେ ବେଟ୍ ଲଗାଇପାରେ ବିଜେଡି ।

ସେହିପରି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ବି ଲୋକସଭା ପାଇଁ ହୋଇପାରନ୍ତି ଅନ୍ୟତମ ପସନ୍ଦ । ସଂସଦରେ ଅଭିଜ୍ଞତା ସାଙ୍ଗକୁ ରାଜନୈତିକ ପାରଦର୍ଶିତା ହୋଇପାରେ ପ୍ରତାପଙ୍କ ୟୁଏସପି । ଭେଟେରାନ୍ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କୁ କେନ୍ଦ୍ରାପଡା ପାଇଁ କାମ କରିବାକୁ କହିଛନ୍ତି ନବୀନ । କେନ୍ଦ୍ରାପଡା ଲୋକସଭା ଅଧୀନରେ ଥିବା ସମସ୍ତ ୭ବିଧାନସଭା ଆସନରେ ବିଜେଡିର ଷ୍ଟ୍ରଙ୍ଗ ହୋଲଡ ରହିଛି । ମେଂଟ ହେଲେ ଗୋଟିଏରୁ ଦୁଇଟି ସିଟ୍ ମାଗିପାରେ ବିଜେପି ।

Leave A Reply

Your email address will not be published.