Latest Odisha News

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି।

ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ ଦଳ ଲଢ଼େଇ କରିବ ବୋଲି କହିଛନ୍ତି ମନମୋହନ। ରାଜ୍ୟର ଜନତା ପରିବର୍ତ୍ତନ ଚାହୁଁଛନ୍ତି। ବିଜେପି ପରିବର୍ତ୍ତନ ଆଣିବ। ଓଡିଶାକୁ ଅମିତ ଶାହଙ୍କ ସମେତ ପ୍ରଧାନମନ୍ତ୍ରୀ ବି ଓଡ଼ିଶା ଆସିବେ ବୋଲି କୁହାଯାଇଛି।

ଓଡିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ସିରିୟସ ଅଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ପ୍ଲାନ ରହିଥିବା କୁହାଯାଇଛି। ରାଜ୍ୟରେ ୨୦୨୪ ରେ ଡବଲ ଇଞ୍ଜିନ ସରକାର ସତ୍ତାକୁ ଆସିବ ବୋଲି ମନମୋହନ କହିଛନ୍ତି। ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ଅଧିକ ଦିନ ନ ଥିବାବେଳେ ବିଜେପି ରାଜ୍ୟ ସଭାପତିଙ୍କ ଏହି କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟରେ ଶାସନକୁ ଆସିବା ପାଇଁ ସତରେ କଣ ଯୋଜନା କରୁଛି ବିଜେପି। ନା କେବଳ ଏହା ଏକ ରାଜନୈତିକ ହାୱା ପାଇଁ ଉଦ୍ୟମ ବୋଲି ଆଲୋଚନା ଆରମ୍ଭ ହୋଇଛି। ୨୦୧୯ ରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେଲା। କିନ୍ତୁ ତା ପରେ ଦଳ ଯେତିକି ଆଗକୁ ବଢିବା କଥା ସେତିକି ନ ବଢି ଆହୁରି ଦୁର୍ବଳ ହୋଇଥିବା ଦେଖାଯାଇଛି।

୨୦୧୯ ରେ ମିଶନ ୧୨୦ ନାରା ଦେଇ ଦଳ ୨୩ ଟି ବିଧାନସଭା ସିଟ ଜିତିବାକୁ ସକ୍ଷମ ହୋଇଥିବା ବେଳେ ୮ ଟି ସଂସଦୀୟ କ୍ଷେତ୍ର ଦଖଲ କରିଥିଲା। କିନ୍ତୁ ଏହା ପରେ ଦଳ ବହୁ ଉପନିର୍ବାଚନ, ପୌର, ପଂଚାୟତ ନିର୍ବାଚନରେ ସେତେ ସଫଳ ହୋଇ ନ ଥିଲା।

ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଦଳ ୨୦୧୯ ପୂର୍ବରୁ ଯେଉଁଭଳି ଆକ୍ରମଣାତ୍ମକ ହେଉଥିଲା ଏବେ ସେଭଳି ଦେଖାଯାଉନି। ଏପରିକି ବିରୋଧୀ ଦଳ ନେତା ଜୟ ନାରାୟଣ ନବ ଦାସ ହତ୍ୟା ପ୍ରସଙ୍ଗଠୁ ଆରମ୍ଭ କରି ଫାଇଭ ଟି ପ୍ରସଙ୍ଗରେ ଯେଭଳି ଆକ୍ରମଣାତ୍ମକ ହୋଇଥିଲେ ଏବେ ସେସବୁ ଦେଖାଯାଉନି।

ଏପରିକି ରାଜ୍ୟରେ ବିଜେପି ଦ୍ଵିତୀୟ ଦଳ ହେଲେ ମଧ୍ୟ ଯେଉଁ ଢଙ୍ଗରେ ତୃଣମୂଳ ସ୍ତରରେ ସଂଗଠନକୁ ଦୃଢ଼ କରିବା କଥା ତାହା କରିପାରୁନି ବୋଲି ଚର୍ଚ୍ଚା ହେଉଛି। ତାହେଲେ ଦଳ କିଭଳି କ୍ଷମତାକୁ ଆସିବ ବୋଲି କୁହାଯାଉଛି। ଏପରିକି କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା ଥିବା କଥା ବିଜେପି କହୁଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ନବୀନଙ୍କ ସମ୍ପର୍କ ଭଲ ବୋଲି ଚର୍ଚା ହୁଏ।

ଏପରିକି ବିଭିନ୍ନ ଜାତୀୟ ପ୍ରସଙ୍ଗରେ ବିଜେଡି କେନ୍ଦ୍ରୀୟ ବିଜେପିକୁ ସହାୟତା ଦିଏ। ଏଥିସହିତ ବର୍ତ୍ତମାନର ଦେଶବ୍ୟାପୀ ଚର୍ଚ୍ଚିତ ପ୍ରସଙ୍ଗ ରାହୁଲ ଗାନ୍ଧୀ ପ୍ରସଙ୍ଗକୁ ନେଇ ବିଜେପି ଓ ବିରୋଧୀ ଦୁଇ ଭାଗ ହୋଇଥିଲେ ମଧ୍ୟ ବିଜେଡି ଏ ପ୍ରସଙ୍ଗରେ ମୁହଁ ଖୋଲିନାହିଁ। ତେଣୁ ଓଡ଼ିଶାରେ ବିଜେଡି ବିରୋଧରେ କେନ୍ଦ୍ରୀୟ ବିଜେପି କେତେ ଆକ୍ରମଣାତ୍ମକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ବିଜେଡି ରାଜ୍ୟରେ ଶକ୍ତିଶାଳୀ ଥିବା ଦେଖାଯାଏ। ଏପରିକି ବିଭିନ୍ନ ନିର୍ବାଚନ ଫଳାଫଳରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡିଠୁ କେତେ ପଛରେ ରହିଥାନ୍ତି।

ତେଣୁ କେଉଁ ଆଧାରରେ ବିଜେଡିକୁ ବିଜେପି ରାଜ୍ୟରେ ମାତ ଦେବ ତାକୁ ନେଇ ପ୍ରଶ୍ନ ଉଠିଛି। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ରହିଛି। ତେଣୁ ଏହି ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ବହୁ ଗୁରୁତ୍ୱ ରଖୁଛି। ଯଦି ବିଜେପି ଝାରସୁଗୁଡ଼ାରେ ସମ୍ମାନଜନକ ଭୋଟ ନ ପାଏ ତାହେଲେ ସାଧାରଣ ନିର୍ବାଚନରେ ବିଜେଡିକୁ ମାତ ଦେଇ ଶାସନକୁ ଆସିବାର ସ୍ୱପ୍ନ କେତେଦୂର ପୂରଣ ହୋଇପାରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.