Latest Odisha News

BREAKING NEWS

ଗୋପାଳପୁରରେ ଲଢ଼ିବେ ବିକ୍ରମ, ପ୍ରଦୀପ, ବାଜି ମାରିନେବେ ବିଭୁତି !

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ସାରା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଉଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ଶାସକ ବିଜେଡିର କଡା ନଜର ଥିବା କୁହାଯାଉଛି।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ ହେବା ପରେ ଲଗାତର ମୁଖ୍ୟମନ୍ତ୍ରୀ ଓ ଶାସନ ବ୍ୟବସ୍ଥାକୁ ଟାର୍ଗେଟ କରି ଆସୁଛନ୍ତି। ଶାସକ ଦଳର ଶୀର୍ଷ ନେତୃତ୍ୱକୁ କଡା ଚ୍ୟାଲେଞ୍ଜ ମଧ୍ୟ ଦେଉଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଏହି ଆସନ ଶାସକ ବିଜେଡି ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଛି।

ଏକଦା ଗଂଜାମ ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ଭାବେ ଜଣାଶୁଣା ପ୍ରଦୀପ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବୋଲି କୁହାଯାଉଥିଲା। ଏପରିକି ସେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଦଳରୁ ବହିସ୍କୃତ ହେବା ପରେ ସେ ଦଳ ବିରୋଧରେ ବର୍ଷୁଛନ୍ତି।

୨୦୦୯ ନିର୍ବାଚନରୁ ଲଗାତର ଭାବେ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ପ୍ରାର୍ଥୀ ହେବା ସହ ଜିତି ଆସୁଥିଲେ। ୨୦୦୯ ରେ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରାଙ୍କୁ ସେ ୧୮ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ଜେନା ୧୩ ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

୨୦୧୪ ରେ ଚିତ୍ର ବଦଳିଥିଲା। ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ବିଭୁତି ଜେନାଙ୍କୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିଲେ। କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଭଗବାନ ଗନ୍ତାୟତଙ୍କୁ ପ୍ରାର୍ଥୀ କରିଥିଲା। ସେ ତିନି ନମ୍ବର ସ୍ଥାନରେ ରହିଥିଲେ।

୨୦୧୯ ରେ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଥିବାବେଳେ ପ୍ରଦୀପ ପାଣିଗ୍ରାହୀ ଅଳ୍ପ କିଛି ଭୋଟ ବ୍ୟବଧାନରେ ଜିତିଥିଲେ। ମାତ୍ର ୨୬୭୩ ଖଣ୍ଡ ଭୋଟରେ ସେ ବିଜେପି ପ୍ରାର୍ଥୀ ବିଭୁତି ଜେନାଙ୍କ ଠାରୁ ଜିତିଥିଲେ। କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିବା ସହ ତୃତୀୟ ସ୍ଥାନରେ ରହିଥିଲା।

ଏବେ କିନ୍ତୁ ଗୋପାଳପୁରର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିଛି। ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ ହେବା ପରେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ଜୋର ଧରିଛି। ପ୍ରଦୀପଙ୍କ ବିଦାୟ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗୋପବନ୍ଧୁ ଦାସ ଗୋପାଳପୁର ଦାୟିତ୍ୱ ସମ୍ଭାଳିଥିଲେ।

ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଗୋପବନ୍ଧୁଙ୍କ ତତ୍ତ୍ବାବଧାନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା। ଏବେ କିନ୍ତୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଶାସକ ଦଳ ଗୋପାଳପୁର ଦାୟିତ୍ୱ ଦେଇଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

ବିଜେଡିରୁ ଆଉଟ ହେବା ପରେ ମଧ୍ୟ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ ନିଜ ସଙ୍ଗଠନକୁ ବଢାଉଛନ୍ତି। ତେଣୁ ତାଙ୍କୁ ଚେକ ଦେବାକୁ ବିକ୍ରମଙ୍କୁ ଗୋପାଳପୁର ଦାୟିତ୍ୱ ଦିଆଯାଇଥିବା ଆଲୋଚନା ହେଉଛି।

ଗୋପାଳପୁର, ବ୍ରହ୍ମପୁରର ପଡୋଶୀ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ବିକ୍ରମ ପଣ୍ଡାଙ୍କର ଭଲ ସାଙ୍ଗଠନିକ ଦକ୍ଷତା ରହିଛି। ତେଣୁ ସେ ହିଁ ପ୍ରଦୀପଙ୍କୁ କଡା ଟକ୍କର ଦେବେ ବୋଲି କୁହାଯାଉଛି। ଏପରିକି ତାଙ୍କୁ ଦଳ ଗୋପାଳପୁରରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଜୋର ଧରିଛି।

କିଛିଦିନ ପୂର୍ବେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ଗୋପାଳପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। ତେଣୁ ତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି।

ସେପଟେ ପ୍ରଦୀପ ପାଣିଗ୍ରାହୀ ସ୍ୱାଧୀନ ଭାବେ ଲଢ଼ିବେ କିମ୍ବା ବିଜେପିକୁ ଯାଇ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି। କିନ୍ତୁ ଦଳରୁ ଲଗାତର ପ୍ରାର୍ଥୀ ହେଉଥିବା ବିଭୁତି ଜେନା ଏଥର ବି ପ୍ରାର୍ଥୀ ହେବାକୁ ଆଶାୟୀ ରହିଛନ୍ତି।

ପୂର୍ବ ନିର୍ବାଚନରେ ମାତ୍ର ଅଳ୍ପ କିଛି ଭୋଟରେ ହାରିଥିବାରୁ ସେ ଏଥର ବିଜୟ ନେଇ ଆଶାବାଦୀ। ତେଣୁ ଦଳୀୟ ଟିକେଟ ଲବିରେ ସେ ପ୍ରଥମେ ଥିବା କୁହାଯାଉଛି। ଅନ୍ୟ କିଛି ଯୁବ ନେତା ମଧ୍ୟ ବିଜେପି ଟିକେଟ ଲବିରେ ରହିଛନ୍ତି।

ସେପଟେ କଂଗ୍ରେସର ପୂର୍ବ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଧର୍ମରାଜ ରେଡ୍ଡୀ ବିଜେଡିରେ ସାମିଲ ହୋଇଥିବାରୁ ଏଥର ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.