Latest Odisha News

BREAKING NEWS

ରାଜସ୍ଥାନ ବିଜେପିରେ ବିଦ୍ରୋହ ଦେଖି ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ହେବାକୁ ଥିବା ଦେଶର ପାଞ୍ଚୋଟି ରାଜ୍ୟ ମଧ୍ୟରୁ ଚାରୋଟି ରାଜ୍ୟ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଏ ଯାଏ ରାଜସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ ହେଉଛି।

ଅସନ୍ତୋଷ ଓ ବିଦ୍ରୋହ ଭୟରେ କଂଗ୍ରେସ ତାଲିକା ପ୍ରକାଶ କରିବାରେ ବିଳମ୍ବ କରୁଛି କି ବୋଲି ପ୍ରଶ୍ନ ଉଠିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜସ୍ଥାନ ବିଧାନସଭା ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି।

ଆସନ୍ତାକାଲି ଅର୍ଥାତ ୧୮ ତାରିଖରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରାଯାଇ ପ୍ରାର୍ଥୀ ତାଲିକା ଉପରେ ଚୂଡାନ୍ତ ମୋହର ଲାଗିବ ବୋଲି କୁହାଯାଉଛି। ତେଣୁ ଆଗାମୀ ତିନି ଚାରିଦିନ ମଧ୍ୟରେ କଂଗ୍ରେସର ପ୍ରଥମ ତାଲିକା ଆସିବାର ସମ୍ଭବନା ରହିଛି।

ଦଳୀୟ ସୂତ୍ର ଅନୁଯାୟୀ ସ୍କ୍ରିନିଂ କମିଟି ବୈଠକରେ ୬୦ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା ଜଣାପଡୁଛି। ଏହି ସୂଚୀକୁ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ଦିଆଯିବ। ଯେଉଁଠି ନାଁ ଗୁଡିକ ଉପରେ ଚୂଡାନ୍ତ ମୋହର ଲାଗିବ।

ଦଳ ଏଥର ୨୦ ରୁ ଅଧିକ ବିଧାୟକଙ୍କ ଟିକେଟ କଟିପାରେ। ଟିକେଟ କାଟିବା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତିକୁ କିଭଳି ସମ୍ମୁଖୀନ ହେବାକୁ ପଡ଼ିବ ସେଥିପାଇଁ ଦଳ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିବା କୁହାଯାଉଛି।

ଏପରିକି ବିଜେପି ଯେଭଳି ସାଂସଦମାନଙ୍କୁ ବିଧାନସଭା ନିର୍ବାଚନ ଲଢ଼ାଉଛି କଂଗ୍ରେସ ସେଭଳି ନିଜର ପୂର୍ବତନ ସାଂସଦ ମାନଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିବା ଆଲୋଚନା ହେଉଛି।

ଦଳ ପକ୍ଷରୁ କରାଯାଇଥିବା ବିଭିନ୍ନ ସର୍ଭେ ଓ ପିସିସି ପକ୍ଷରୁ ଦିଆଯାଇଥିବା ତାଲିକାକୁ ଦେଖି ସବୁ ଦିଗକୁ ନଜରରେ ରଖି ନିଷ୍ପତ୍ତି ନିଆଯାଉଛି।

ରାଜସ୍ଥାନରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଦଳକୁ ବହୁ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡୁଛି। ସାଂସଦଙ୍କୁ ପ୍ରାର୍ଥୀ କରାଯିବା ପରେ ରାସ୍ତା ଘାଟରେ ଏହାକୁ ନେଇ ବିରୋଧ ହେଉଛି।

ସେପଟେ କଂଗ୍ରେସ ଶାସନରେ ଥିବାବେଳେ ବିଧାୟକଙ୍କ ଟିକେଟ କଟିଲେ ଆହୁରି ବିଦ୍ରୋହର ଆଶଙ୍କା କରାଯାଉଥିବାରୁ ଦଳ ମାପିଚୁପି ନିଷ୍ପତ୍ତି ନେଉଥିବା କୁହାଯାଉଛି।

Leave A Reply

Your email address will not be published.