କୋଲକାତା/ଭୁବନେଶ୍ବର: ୨୦୨୪ରେ ସମସ୍ତଙ୍କୁ ଚମକାଇଥିଲା ଓଡିଶା
୨୪ ବର୍ଷର ଟ୍ରେଣ୍ଡ ଭାଙ୍ଗି, ନିଜର ଧ୍ବଜା ଉଡାଇଥିଲା ବିଜେପି
ପଶ୍ଚିମବଙ୍ଗରେ ହେବ କି ସମାନ ଖେଳ?
ବିଜେପିକୁ ସୁହାଉଛି ପ୍ରାରମ୍ଭିକ ଟ୍ରେଣ୍ଡ!
ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ପ୍ରାରମ୍ଭିକ ଗଣତିରେ ଆଗରେ ରହିଛି ବିଜେପି । ବର୍ତ୍ତମାନ ପଶ୍ଚିମବଙ୍ଗର ମୋଟ ୨୯୩ ଆସନ ମଧ୍ୟରୁ ବିଜେପି ୧୪୭ ଆସନରେ ଆଗୁଆ ରହିଛି, ଯେତେବେଳେ କି ଟିଏମସି ୮୩ ଆସନରେ ଆଗରେ ଅଛି । ଆଉ ବାମ ଦଳ ଖାତା ଖୋଲି ସେଇ ଗୋଟିଏ ଆସନରେ ଅଟକିଛି । ଯଦି ଏହି ଟ୍ରେଣ୍ଡ ଲାଗି ରୁହେ, ତେବେ ଦିଦିଙ୍କ ପାଇଁ ଚିନ୍ତା ବଢାଇପାରେ! ବିଜେପି ଏଥର ପଶ୍ଚିମବଙ୍ଗ ପାଇଁ ବଡ ଦାବି କରୁଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡ ବିଜେପିକୁ ସୁଆଉଛି । ଯାହା ଏବେ ଆଶଙ୍କା ସୃଷ୍ଟି କରିଛି କ’ଣ ସତରେ ଏଥର ଦିଦିଙ୍କ ହାତରୁ ଖସିଯିବ ଶାସନ ଭାର? ତଥାପି ଶେଷ ମୂହୂର୍ତ୍ତରେ କିଛି ବି ବଦଳିପାରେ ।
ତେଣୁ ସମସ୍ତଙ୍କ ନଜର ଏବେ ବଙ୍ଗ ଉପରେ ରହିଛି । ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ମଧ୍ୟରୁ, ବଙ୍ଗ ହେଉଛି ଏପରି ଏକ ରାଜ୍ୟ ଯାହା ସାରା ଦେଶରେ ଧ୍ୟାନ କୈନ୍ଦ୍ରିକ ହୋଇ ରହିଛି। ଯଦି ମମତା ବାନାର୍ଜୀ ତାଙ୍କର ପାରମ୍ପରିକ ରାଜନୈତିକ ଭୂମି ବଜାୟ ରଖିବାରେ ସଫଳ ହୁଅନ୍ତି, ତେବେ ଏହା ପୁଣି ପ୍ରମାଣିତ କରିବ ଯେ ଆଞ୍ଚଳିକ ଦଳଗୁଡ଼ିକ ବିରୁଦ୍ଧରେ ଲଢ଼ିବା ବିଜେପି ପାଇଁ ରାସ୍ତା କଠିନ ଏବଂ ଆଞ୍ଚଳିକ ଦଳ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ଏବେ ବି ସଂଘର୍ଷ କରୁଛି ବିଜେପି। ଅପରପକ୍ଷେ
ଯଦି ମମତା ବାନାର୍ଜୀ ପରାଜୟ ବରଣ କରନ୍ତି, ତେବେ କେନ୍ଦ୍ରୀୟ କ୍ଷମତା ଉପରେ ନିଜର ଦଖଲ ବଜାୟ ରଖିବା ପାଇଁ ହିନ୍ଦୀ ଭାଷାଭାଷୀ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡ଼ିକ ଉପରେ ବିଜେପିର ନିର୍ଭରଶୀଳତା କମିବ । ଆଉ ଏହି ମିଥ୍ ବି ଦୂର ହେବ ଯେ ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟ ମଧ୍ୟରେ ଅପରାଜେୟ ।
ଯେମିତି ୨୦୨୪ ନିର୍ବାଚନରେ ରାଜ୍ୟ ଓଡିଶାରେ ସମସ୍ତଙ୍କୁ ଚମକାଇ ଦେଇଥିଲା ବିଜେପି । ୨୪ ବର୍ଷର ନବୀନ ସରକାରଙ୍କ ଠାରୁ ଆଖି ପିଛୁଳାକେ ଶାସନ ଭାର ଛଡାଇ ନେଇଥିଲା । ଆଉ ଯଦି ବିଜେପିର ସମାନ ରଣନୀତି ବଙ୍ଗରେ କାମ ଦିଏ, ତେବେ ନବୀନଙ୍କ ଭଳି ସମାନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ଦିଦି । ଖାଲି ଯେ ଓଡିଶା ତାହା ନୁହେଁ, ୨୦୨୫ରେ ଦିଲ୍ଲୀରେ ସମାନ ଢଙ୍ଗରେ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ କ୍ଷମତା ଛଡ଼ାଇ ନେଇ, ବିଜେପି ପୁଣି ଥରେ ସଫଳତାର ସହିତ ଆଞ୍ଚଳିକ ଦଳଗୁଡ଼ିକୁ ତାଙ୍କ ମାଟିରେ ମାଟି କାମୁଡାଇଥିଲା । ଆଉ ଯଦି ସମାନ ଲହରି ୨୦୨୬ରେ ବଙ୍ଗ ଆଡେ ବି ବହେ, ତେବେ ଦିଦିଙ୍କ ଗଣିତ ଭୁଲ୍ ହୋଇପାରେ ।
ତଥାପି ଏବେ କିଛି ବି କହିହେବ ନାହିଁ । କେତେବେଳେ ବି ପଟ ଓଲଟିପାରେ । ତଥାପି, ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ରହିଛି । ଦେଖାଯାଉ କ’ଣ ହେଉଛି…ସଫଳ ହେଉଛନ୍ତି ଦିଦି ନା ଚମକାଇ ଦେଉଛି ବିଜେପି?