Latest Odisha News

BREAKING NEWS

ନବରଙ୍ଗପୁର: ବିଦେଶାଗତ ପକ୍ଷୀଙ୍କ କଳରବରେ ଉତଫୁଲ୍ଲିତ ବଂଶଧାରା କୂଳ ଗ୍ରାମବାସୀ

ନବରଙ୍ଗପୁର: ହଜାର ହଜାର ସଂଖ୍ୟାର ବିଦେଶାଗତ ପକ୍ଷୀଙ୍କ କଳରବ ଏବେ ବଂଶଧାରା ନଦୀକୂଳରେ ଏକ ଅପୂର୍ବ ବାତାବରଣ ସୃଷ୍ଟି କରିଛି । ବିଭିନ୍ନ ପ୍ରଜାତିର ପକ୍ଷୀ ଏବେ ବଂଶଧାରା କୂଳର ଗାଁ’କୁ ଆସିଛନ୍ତି ଅତିଥି ହୋଇ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ଭାଲେରୀ ଗାଁ ଏବେ ପାଲଟିଛି ବିଦେଶାଗତ ପକ୍ଷୀଙ୍କ ଚରାଭୂଇଁ । ଭାଲେରୀ ଗାଆଁର ବଂଶଧାରା ନଦୀ କୂଳ ଏବେ ହଜାର ହଜାର ବିଦେଶାଗତ ଅତିଥିଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯାଇଛି ।

ଭାଲେରୀ ଗାଆଁର ବଂଶଧାରା କୂଳରେ ଏହି ହଜାର ହଜାର ସଂଖ୍ୟାର ପକ୍ଷୀଙ୍କୁ ଦେଖିବାକୁ ଭିଡ଼ ଜମିଛି ପର୍ଯ୍ୟଟକଙ୍କର । ଏବେ ଦୈନିକ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକମାନେ ଭାଲେରୀ ଗାଆଁର ବଂଶଧାରା କୂଳକୁ ଛୁଟିଛନ୍ତି ପକ୍ଷୀମାନଙ୍କର ଏହି ଅପୂର୍ବ ମନୋରମ ଦୃଶ୍ୟ ଦେଖିବାକୁ ।

“ମୌସୁମୀର ପ୍ରାରମ୍ଭରେ ହିଁ ଏହି ପକ୍ଷୀମାନଙ୍କର ଆଗମନ ଆରମ୍ଭ ହୋଇଯାଏ । ତେବେ ଶୀତଋତୁ ଶେଷ ହେବା ପର୍ଯ୍ୟନ୍ତ ଏହି ବିଦେଶାଗତ ପକ୍ଷୀମାନେ ଏଠାରେ ଅଣ୍ଡା ଦେଇ ରହିଥାଆନ୍ତି । ଶାବକ ଅଣ୍ଡାରୁ ନିର୍ଗତ ହୋଇ ଉଡ଼ିବା ଯାଏ ଅପେକ୍ଷା କରିଥାନ୍ତି ଏହି ପକ୍ଷୀମାନେ,” ଏହି କଥା କହିଛନ୍ତି ଭାଲେରୀ ଗାଆଁର ଜଣେ ଗ୍ରାମବାସୀ ।

“ପ୍ରକୃତରେ ଗ୍ରାମବାସୀମାନେ ପକ୍ଷୀ ଶିକାରୀଙ୍କୁ ଜଗି ରହିଥାଆନ୍ତି । ଗାଆଁ ଲୋକମାନେ ଏଠାରେ ପକ୍ଷୀ ମାନଙ୍କର ସୁରକ୍ଷା କରିବାକୁ ସ୍ୱତଃପ୍ରବୃତ ଭାବେ ଆଗେଇ ଆସିଥାଆନ୍ତି ।

ଏଠାରେ ପକ୍ଷୀମାନେ ଅଣ୍ଡା ଦେବାକୁ ସୁରକ୍ଷିତ ମଣୁଥିବାରୁ ପ୍ରତିବର୍ଷ ଏହି ବିଦେଶାଗତ ପକ୍ଷୀମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,” ବୋଲି କହିଛନ୍ତି ଜଣେ ଗ୍ରାମବାସୀ ।

“ଯଦି ରାଜ୍ୟ ସରକାର ଭାଲେରୀକୁ ଏକ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷଣା କରନ୍ତି ତେବେ ଏହି ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା ଆଗାମୀ ଦିନରେ ଯଥେଷ୍ଟ ବୃଦ୍ଧି ହୁଅନ୍ତା” ବୋଲି ଭାଲେରୀ ଗାଁ’ର ପକ୍ଷୀପ୍ରେମୀ ରଘୁନାଥ ଶବର କହିଛନ୍ତି ।

ଗୁଣପୁର ରେଞ୍ଜ ଅଫିସର ଗଣମାଧ୍ୟମକୁ କହିଛନ୍ତି, “ପ୍ରାୟ ୧୫୦୦ରୁ ଅଧିକ କ୍ରେନ୍ ପକ୍ଷୀ ଏଥର ଭାଲେରୀ ଆସିଛନ୍ତି । ଏହି ପକ୍ଷୀମାନଙ୍କର ସୁରକ୍ଷା ନିମନ୍ତେ ଆମେ ଗ୍ରାମବାସୀଙ୍କ ସହିତ ଅନେକ ବାର ବୈଠକ ଆଲୋଚନା କରିଛୁ ।”

Leave A Reply

Your email address will not be published.