ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବା କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଛଅ ଗୋଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏହି ଜିଲ୍ଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଅନ୍ୟପଟେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ଏହାସହ ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରେକର୍ଡ କରାଯାଉଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ କମ୍ ରହୁଛି ।
ଆସନ୍ତା ୧୬ ତାରିଖ ପରେ ରାଜ୍ୟରେ ବଢ଼ିପାରେ ଶୀତର ପ୍ରକୋପ । ବୁଧବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟାନ୍ୟ ସ୍ଥାନରେ ପାଗ ପ୍ରାୟ ଶୁଖିଲା ରହିବ । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଏହା ପରେ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
Comments are closed.