Latest Odisha News

BREAKING NEWS

‘ମୁନଲାଇଟିଂ’ ପାଇଁ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲା ଓ୍ୱିପ୍ରୋ, ମୁନଲାଇଟିଂ କ’ଣ?

ନୂଆଦିଲ୍ଲୀ: ମୁନଲାଇଟିଂରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଆଇଟି କମ୍ପାନୀ ଓ୍ୱିପ୍ରୋ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ଓ୍ୱିପ୍ରୋର ଅଧ୍ୟକ୍ଷ ରିଶଦ ପ୍ରେମଜୀ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ କମ୍ପାନୀ ୩୦୦ ଜଣଙ୍କୁ ମୁନଲାଇଟିଂ ଏବଂ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ପାଇଁ କାମ କରୁଥିବାର ଜାଣିବାକୁ ପାଇଥିଲା। ସେ କହିଛନ୍ତି ଯେ, କମ୍ପାନୀରେ ଏଭଳି ଲୋକଙ୍କ ପାଇଁ କୌଣସି ସ୍ଥାନ ନାହିଁ।

ଓ୍ୱିପ୍ରୋ ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ପରେ ଆଇଟି କମ୍ପାନୀ ମୁନଲାଇଟିଂକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ଟାଟା କନସଲଟାନ୍ସି ସର୍ଭିସ (ଟିସିଏସ)ର ମୁଖ୍ୟ ପରିଚାଳନା ଅଧିକାରୀ (ସିଏଫଓ) ଏନଜି ସୁବ୍ରମଣ୍ୟମ ଏହାକୁ ଏକ ନୀତିଗତ ପ୍ରସଙ୍ଗ ବୋଲି କହିଥିବା ବେଳେ ଟେକ୍ ମହିନ୍ଦ୍ରାର ସିଇଓ ସିପି ଗୁରନାନୀ କହିଛନ୍ତି ଯେ ଯଦି କର୍ମଚାରୀଙ୍କୁ ଅତିରିକ୍ତ ଟଙ୍କା ରୋଜଗାର କରିବାରେ ଏହା ସାହାଯ୍ୟ କରେ ତେବେ ସେ ଏପରି କରିପାରିବେ।

ମୁନଲାଇଟିଂ କ’ଣ?

ମୁନଲାଇଟିଂର ଅର୍ଥ ହେଉଛି ଜଣେ ପୂର୍ଣ୍ଣକାଳୀନ ଚାକିରି ବ୍ୟତୀତ ଦ୍ୱିତୀୟ ଚାକିରି କରିବା। ତାହା ପୁଣି ପ୍ରଥମ କମ୍ପାନୀର ଅଗୋଚରରେ। ଏହାକୁ ଆଇଟି ଚାକିରିରେ ‘ମୁନଲାଇଟିଂ’ କୁହାଯାଏ। କମ୍ପାନିଗୁଡ଼ିକ ଏହି ପ୍ରଥାକୁ ବିରୋଧ କରି କହିଛନ୍ତି ଯେ ଏକାଧିକ ଚାକିରି କରୁଥିବା କର୍ମଚାରୀମାନେ ଗୁଣାତ୍ମକ କାମ କରିପାରନ୍ତି ନାହିଁ। ତେଣୁ ପ୍ରଥମ କମ୍ପାନୀ ପ୍ରଭାବିତ ହେବ।

କରୋନା ମହାମାରୀ ପରେ ଘରେ ରହି କାମ କରିବାର ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି। ଯାହାର ଫାଇଦା ନେଇ ଅନେକ ଆଇଟି କମ୍ପାନୀର ଚାକିରିଆ ଦ୍ବିତୀୟ ଚାକିରି କରୁଛନ୍ତି। ଏବେ ଆଇଟି ଶିଳ୍ପରେ ‘ମୁନଲାଇଟିଂ’ ଏକ ବିତର୍କର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଅନ୍ୟ ଏକ ପ୍ରମୁଖ ଆଇଟି କମ୍ପାନି ଇନ୍ଫୋସିସ୍ ନିଜ କର୍ମଚାରୀଙ୍କୁ ଚେତାବନୀ ଦେଇ କହିଛି ଯେ, କମ୍ପାନୀକୁ ନ ଜଣାଇ ଦ୍ୱିତୀୟ ଚାକିରି ଗ୍ରହଣ କରିବା ବେଆଇନ୍। ନିକଟରେ ମାନବ ସମ୍ବଳ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଇ-ମେଲରେ ଇନ୍ଫୋସିସ୍ ଉଲ୍ଲେଖ କରିଛି ଯେ ଏହାର ସମସ୍ତ କର୍ମଚାରୀ ବିକଳ୍ପ ଚାକିରି ଗ୍ରହଣ କରିବା ପୂର୍ବରୁ ସେମାନଙ୍କ ନିଯୁକ୍ତି ଚୁକ୍ତିକୁ ପଢ଼ିବା ନିହାତି ଆବଶ୍ୟକ। ଏପରି କହି କମ୍ପାନୀ କର୍ମଚାରୀଙ୍କୁ ଚେତାବନୀ ମଧ୍ୟ ଦେଇଛି କି ଯଦି ସେମାନେ ଓ୍ୱିପ୍ରୋରେ କାମ କରିବା ପରେ ଦ୍ୱିତୀୟ ଚାକିରି କରନ୍ତି ତେବେ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ।

Leave A Reply

Your email address will not be published.