Latest Odisha News

BREAKING NEWS

ମନ୍ତ୍ରୀ ସହ ଏଆଇସିସି ମୁଖ୍ୟ ହୋଇପାରିବି: ଗେହଲଟ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଯଦି ରାହୁଲ ଗାନ୍ଧୀଙ୍କୁ ମନାଇବାରେ ବିଫଳ ହୁଅନ୍ତି ତେବେ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହେଉନଥିବା ସୂଚନା ରହିଛି। ଇଂରାଜୀ ଖବର କାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ଏଭଳି ଏକ ଖବର ପ୍ରକାଶ ପାଇଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ଦଳର ଅଧ୍ୟକ୍ଷ ପଦ ଏକ ନିର୍ବାଚିତ ପଦ ଏବଂ ‘ଏକ ବ୍ୟକ୍ତି-ଏକ ପଦ’ ନୀତି ମନୋନୟନ ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି, “ଯେଉଁଠି ମନୋନୟନ ହେଉଛି, ସେଠାରେ ଦୁଇଟି ପଦବି ରହିଛି। କିନ୍ତୁ ଏହା ଏକ ଖୋଲା ନିର୍ବାଚନ। 9 ହଜାର ପିସିସି ସଦସ୍ୟଙ୍କ ମଧ୍ୟରୁ କେହି ବି ପ୍ରାର୍ଥୀ ହୋଇପାରନ୍ତି। ସେହି ବ୍ୟକ୍ତି ଜଣଙ୍କ ସାଂସଦ, ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ହୋଇପାରନ୍ତି। ଯଦି ସେ ମନ୍ତ୍ରୀ ହୁଅନ୍ତି, ତେବେ ସେ କଂଗ୍ରେସ ମୁଖ୍ୟ ମଧ୍ୟ ହୋଇପାରନ୍ତି। ଏହାସହ ସେ 2023ର ବଜେଟ୍ ଉପସ୍ଥାପନ କରିବେ ବୋଲି କହିଛନ୍ତି।

ତେବେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି, ଜୟପୁର ଉଦୟପୁରରେ ହୋଇଥିବା ବୈଠକ ଅନୁଯାୟୀ ଯଦି ସେ ଦଳର ସଭାପତି ହୁଅନ୍ତି, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ତେବେ ଜୟପୁର ଉଦୟପୁର ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ ଗେହଲଟ ନିରବ ରହିଛନ୍ତି।

କୌତୁହଳର ବିଷୟ ହେଲା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଅଶୋକ ଗେହଲଟଙ୍କ ଦଳୀୟ ପ୍ରତିଦ୍ବନ୍ଦୀ ପାଇଲଟ୍ ବୁଧବାର କେରଳର ଭାରତ ଯୋଡ଼ୋ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଇଥିବା ବେଳେ ଗେହଲଟ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଯିଏକି ଦଳର ଅନ୍ତରୀଣ ଅଧ୍ୟକ୍ଷା । ଦୀର୍ଘ ଦିନ ଧରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗେହଲଟ ଏବଂ ପାଇଲଟଙ୍କ ମଧ୍ୟରେ ଟକରାଟକରି ଚାଲିଛି। ଏପରି ସ୍ଥିତିରେ ପାଇଲଟ୍ ଚାହିଁବେ ଯେ ଗେହଲଟ ଏଆଇସିସି ଅଧ୍ୟକ୍ଷ ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର।

Leave A Reply

Your email address will not be published.