ନୂଆଦିଲ୍ଲୀ: ବିଗତ କିଛି ଦଶନ୍ଧି ହେବ ସାରା ବିଶ୍ୱର ଅଶୋଧିତ ତୈଳ ବଜାର କେବଳ ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକର ନିଷ୍ପତ୍ତି, ଯୁଦ୍ଧ ଏବଂ ଭୂ-ରାଜନୈତିକ ସ୍ଥିତି ଉପରେ ନିର୍ଭର କରି ଆସୁଥିଲା। ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ବଜାରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଚାଲିଥିବା ଇରାନ ସଙ୍କଟ ମଧ୍ୟରେ ବିଶ୍ୱ ଶକ୍ତି ସନ୍ତୁଳନରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। କୌଣସି ଯୁଦ୍ଧ ମଇଦାନକୁ ନଓହ୍ଲାଇ ଏବଂ ନିଜର ସାମରିକ ଶକ୍ତି ପ୍ରଦର୍ଶନ ନକରି ଚୀନ୍ ଏବେ ବିଶ୍ୱ ତୈଳ ବଜାରର ନୂଆ ‘ସୁପରପାୱାର’ ବା ବାଦଶାହ ଭାବେ ଉଭା ହୋଇଛି, ଯାହା ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞଙ୍କୁ ଚକିତ କରିଦେଇଛି।
ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ନୂତନ ଚୁକ୍ତି ଆଧାରରେ ହୋର୍ମୁଜ ପ୍ରଣାଳୀ ଦେଇ ତୈଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଥିବା ବେଳେ ବିଶେଷଜ୍ଞମାନଙ୍କ ମତରେ ବଜାରର ପରବର୍ତ୍ତୀ ଗତିପଥ ଏବେ ଚୀନ୍ ନିର୍ଦ୍ଧାରଣ କରୁଛି। ଚୀନ୍ କେବଳ ବିଶ୍ୱର ସବୁଠାରୁ ବଡ଼ ତୈଳ କ୍ରେତା ନୁହେଁ, ବରଂ ଶକ୍ତି ବ୍ୟବହାରକୁ ନିୟନ୍ତ୍ରଣ କରୁଥିବା ଏକ ଅଦୃଶ୍ୟ ଚାଳିକା ଶକ୍ତି ସାଜିଛି। ବିଗତ କିଛି ବର୍ଷ ଧରି ଋଷ ଏବଂ ଇରାନ ଉପରେ ଲାଗିଥିବା କଟକଣାର ସୁଯୋଗ ନେଇ ଚୀନ୍ ସେମାନଙ୍କଠାରୁ ଅତ୍ୟନ୍ତ ଶସ୍ତା ଦରରେ ତୈଳ କିଣି ନିଜର ରଣନୈତିକ ଭଣ୍ଡାରକୁ ସମୃଦ୍ଧ କରିଚାଲିଥିଲା। ବର୍ତ୍ତମାନ ଚୀନ୍ ପାଖରେ ୧ ଅରବ (୧ ବିଲିୟନ) ବ୍ୟାରେଲରୁ ଅଧିକ କ୍ରୁଡ୍ ଅଏଲ୍ ମହଜୁଦ ରହିଛି।
ତୈଳ ସଙ୍କଟ ସମୟରେ ଚୀନ୍ କୌଣସି ପ୍ରତିଯୋଗିତା ନକରି ଏକ ନିଆରା ରଣନୀତି ଆପଣାଇଥିଲା। ବିଶ୍ୱ ବଜାରରେ ଯେତେବେଳେ ଯୋଗାଣ କମିବା ଯୋଗୁଁ ହାହାକାର ପଡ଼ିଥିଲା, ସେତେବେଳେ ଚୀନ୍ ନିଜର ଘରୋଇ ଚାହିଦା ଏବଂ କିଣିବା କମାଇ ଦେଇଥିଲା ଓ ଆବଶ୍ୟକ ସ୍ଥଳେ ନିଜର ଗଚ୍ଛିତ ଭଣ୍ଡାରରୁ ବ୍ୟବହାର କଲା। ଏହି ନୀତି ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବାରୁ ରକ୍ଷା ପାଇଗଲା। ଚୀନର ଏହି ‘ଅଦୃଶ୍ୟ ଚାପ’ ବଜାରକୁ ବଡ଼ ଆଶ୍ୱସ୍ତି ଦେଇଛି, ଯାହାର ସିଧାସଳଖ ଫାଇଦା ଭାରତ ସମେତ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡ଼ିକୁ ମଧ୍ୟ ମିଳିଛି।
ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ରିପୋର୍ଟ ମୁତାବକ, ଚୀନରେ ବ୍ୟାପକ ଭାବେ ବଢ଼ୁଥିବା ଇଲେକ୍ଟ୍ରିକ୍ ଯାନ ବ୍ୟବହାର ଯୋଗୁଁ ଗତବର୍ଷ ଦୈନିକ ପ୍ରାୟ ୧୦ ଲକ୍ଷ ବ୍ୟାରେଲ୍ ତୈଳ ଚାହିଦା ହ୍ରାସ ପାଇଛି। ଏହା ସହିତ ନିଜର ରିଫାଇନାରୀଗୁଡ଼ିକର କାର୍ଯ୍ୟଦକ୍ଷତା ସୀମିତ ରଖି ଚୀନ୍ ନିଜକୁ ଏକ ନିରାପଦ ସ୍ଥିତିରେ ରଖିଛି। ତେବେ ବଜାର ସମୀକ୍ଷକଙ୍କ ଅନୁମାନ ଅନୁଯାୟୀ, ଆଗାମୀ ଦିନରେ ସ୍ଥିତି ସୁଧୁରିବା ମାତ୍ରେ ଚୀନ୍ ପୁଣି ଥରେ ନିଜର ପୁରୁଣା ପ୍ରଭାବ ଦେଖାଇ ବିଶ୍ୱର ସବୁଠାରୁ ବଡ଼ ସକ୍ରିୟ କ୍ରେତା ଭାବେ ବଜାରକୁ ନିଜ ଇସାରାରେ ଚଲାଇବ।
