Latest Odisha News

BREAKING NEWS

ଭୂତଳ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ କାରବାର; ୮୧୩ ବୋତଲ ଜବତ, ମହିଳା ଗିରଫ

ଭଟଲି: ବୁଧବାର ଭଟଲି ଥାନା ପୋଲିସ ବଡ଼ମାଳ ଗ୍ରାମରେ ଚଢ଼ାଉ କରିଛି । ବଡ଼ମାଳ ଗ୍ରାମର ଜଣଙ୍କ ଘରେ ଚଢ଼ାଉ କରି ପୋଲିସ ଏକ ଭୂତଳ ଚାମ୍ବରରୁ ୮୧୩ ବୋତଲ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି।

ଏହି ବେଆଇନ କାରବାର ଘଟଣାରେ ପୋଲିସ୍‌ ପାର୍ବତୀ ସାହୁ (୪୦) ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ପୋଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛନ୍ତି।

ବଡ଼ମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ ଘର ଭିତରେ ଚଟାଣ ତଳେ ଚାମ୍ବର କରି କଫ୍ ସିରପ ଲୁଚାଇ ରଖିଥିଲେ। ଖବର ପାଇ ପେଲିସ ଚଢାଉ କରି ଭୂମି ତଳୁ ୮୧୩ ବୋତଲ କଫ ସିରପ୍ ଜବତ କରିଥିଲେ। ଏଥିସହ ୩ ଲକ୍ଷ ୩୩ ହଜାରରୁ ଅଧିକ ନଗଦ ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ ଥାର୍ ଗାଡ଼ି ଏବଂ ୪ଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି।

ସୂଚନା ଅନୁଯାୟୀ, ବଡ଼ମାଳ ଗ୍ରାମର ସୂର୍ଯ୍ୟକାନ୍ତ ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ ଦୀର୍ଘ ଦିନ ହେବ ବେଆଇନ କଫ୍‌ ସିରପ୍‌ କାରବାର କରୁଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ବରଗଡ଼ ଏସ୍‌ପି ରବିନ୍ଦ୍ରନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଭଟଲି ଥାନାର ଏକ ବିଶେଷ ପୋଲିସ୍‌ ଟିମ୍‌ ମଙ୍ଗଳବାର ଅଭିଯୁକ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। ପୋଲିସ୍ ପୁରା ଘର ଛାନଭିନ୍‌ କରିବା ପରେ ଘର ପଛପଟେ ନିର୍ମିତ ଏକ ଗୁପ୍ତ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରର ସନ୍ଧାନ ପାଇଥିଲା। ସେହି ଗୁପ୍ତ ଚାମ୍ବର ଭିତରେ ଲୁଚାଯାଇଥିବା ୮୧୩ ବୋତଲ କଫ୍‌ ସିରପ୍‌କୁ ପୋଲିସ ଜବତ କରିଥିଲା।

ଗିରଫ ହୋଇଥିବା ମହିଳା ପାର୍ବତୀ ସାହୁଙ୍କୁ ବୁଧବାର ବରଗଡ଼ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଫେରାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିବା ପାଇଁ ବ୍ୟାପକ ତନାଘନା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.