ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ବର ଖୋଜୁଛନ୍ତି ଯୁବତୀ।ଏହି ପୋଷ୍ଟ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଆମେରିକା ର ଉତ୍ତର କାରୋଲିନାର ଚାର୍ଲୋଟ ନିବାସୀ ୩୬ ବର୍ଷୀୟ ଏରିନ୍ ପାଟରସନ୍ ସୋସିଆଲ୍ ମିଡିଆରେ ଏକ ଗୁଗଲ୍ ଫର୍ମ ସେୟାର କରି ସ୍ୱାମୀ ପାଇଁ ଆବେଦନ ମାଗିଛନ୍ତି।
ସେ ଏହାକୁ ତାଙ୍କ ପ୍ରୋଫାଇଲରେ ପିନ୍ ମଧ୍ୟ କରିଛନ୍ତି। ଏହା ପରେ ତାଙ୍କୁ ୨୪୦ରୁ ଅଧିକ ପୁରୁଷ ଫର୍ମ ପୂରଣ କରି ଆଗ୍ରହ ପ୍ରକାଶ କରିଛନ୍ତି । ପାଟରସନଙ୍କ ଫର୍ମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସେ ଜଣେ ସୁନ୍ଦର, ବୁଦ୍ଧିମାନ, ଦୟାଳୁ, ବିଶ୍ୱସ୍ତ ଏବଂ ଉଦାର ପୁରୁଷଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେ ଏପରି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଖୋଜୁଛନ୍ତି, ଯିଏ କଫି କିମ୍ବା ରାତ୍ରିଭୋଜନ ପାଇଁ ସାକ୍ଷାତ କରିବା ସହ ଭଲ କଥାବାର୍ତ୍ତା କରିବ ଏବଂ ସମ୍ପର୍କ କେତେ ଦୂର ଆଗଉଛି ତାହା ଦେଖିବାକୁ ଆଗ୍ରହୀ ଥିବ। ପାଟରସନ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ଦ୍ୱନ୍ଦ୍ୱ ବିନା ନିଜ ଆଶାଗୁଡ଼ିକୁ ସାମ୍ନାରେ ରଖିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଉଭୟ ପକ୍ଷ ପରସ୍ପରକୁ ବୁଝିପାରିବେ।
ଫର୍ମ ତିଆରି କରିବାର ନିଷ୍ପତ୍ତି ନେଇ ପାଟରସନ କହନ୍ତି, ଡେଟିଂ ଆପ୍ ଗୁଡ଼ିକରେ ଅଧିକ ସମୟ ନଷ୍ଟ ହେଉଥିଲା। କଥାବାର୍ତ୍ତା ଆରମ୍ଭ ହେଉଥିଲା, କିନ୍ତୁ ଗୁରୁତ୍ଵ ଦେଉଥିବା ଲୋକ କମ୍ ମିଳୁଥିଲେ। ଅନେକ ଥର ପୁରଷମାନେ ତାଙ୍କୁ ସାକ୍ଷାତ କରୁଥିଲେ, କିନ୍ତୁ ସମ୍ପର୍କକୁ ନେଇ ସ୍ପଷ୍ଟ ଚିନ୍ତାଧାରା ଦେଖାଉନଥିଲେ। ତେଣୁ ସେ ନିଜେ ଏକ ବିସ୍ତୃତ ଫର୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏହି ଫର୍ମ କେବଳ ନାମ, ବୟସ ଏବଂ ସହର ପର୍ଯ୍ୟନ୍ତ ସୀମିତ ନୁହେଁ। ଏଥିରେ କ୍ୟାରିୟର୍ ଲକ୍ଷ୍ୟ, ବ୍ୟକ୍ତିଗତ ଅଭ୍ୟାସ, ବିବାହ ଏବଂ ପରିବାରକୁ ନେଇ ଚିନ୍ତାଧାରା ତଥା ସମ୍ପର୍କ ସହ ଜଡ଼ିତ ଆଶା ବିଷୟରେ ମଧ୍ୟ ପ୍ରଶ୍ନ ପଚରାଯାଇଛି।
ପାଟରସନ୍ ଜାଣିବାକୁ ଚାହୁଁଛନ୍ତି ଯେ ଆବେଦନ କରୁଥିବା ବ୍ୟକ୍ତି ଦୀର୍ଘକାଳୀନ ଜୀବନକୁ କିପରି ଦେଖନ୍ତି, ପରିବାର ବିଷୟରେ ତାଙ୍କର କ’ଣ ମତ ଅଛି ଏବଂ ସାଥୀଙ୍କଠାରୁ ସେ କ’ଣ ଆଶା ରଖନ୍ତି। ତାଙ୍କ କହିବା ଅନୁସାରେ, ଏପରି ପ୍ରଶ୍ନଗୁଡ଼ିକ ସମୟ ବଞ୍ଚାଇଥାଏ ଏବଂ ଭୁଲ୍ ଆଶାରୁ ମଧ୍ୟ ରକ୍ଷା କରାଯାଇପାରେ।ସୋସିଆଲ ମିଡ଼ିଆରେ ପୋଷ୍ଟ ଭାଇରାଲ ହେବା ପରେ ଅନେକ ୟୁଜର୍ ତାଙ୍କର ସ୍ପଷ୍ଟ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି।

