Latest Odisha News

BREAKING NEWS

ରେଳ ଡ଼ବାରେ ମହିଳାଙ୍କ ଶିଶୁକନ୍ୟା ପ୍ରସବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଜଣେ ମହିଳା ଯାତ୍ରୀ ରେଳ ଡ଼ବା ମଧ୍ୟରେ ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି । ସୋମବାର ସନ୍ଧ୍ୟାବେଳେ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସରେ ଏହି ମହିଳା ଯାତ୍ରୀ ଜଣକ ଯାଉଥିଲେ ।

ବିହାରର ୩୭ ବର୍ଷୀୟା ଅର୍ଶୁଦ୍ଦା ଓଘା ନାମ୍ନୀ ଏହି ମହିଳା ଯାତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କ ସହ ବିହାର କିଶନଗଞ୍ଜ ଯିବାକୁ ସିକନ୍ଦରାବାଦ ଷ୍ଟେସନରୁ ଟ୍ରେନରେ ଚଢିଥିଲେ ।

ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଅଲଚିକି ଜନଜାତି ଭାଷା ଲାଗି ରେଳରୋକୋ ଆନ୍ଦୋଳନ ହୋଇଥିବା ଯୋଗୁଁ ଟ୍ରେନଟି ଜଳେଶ୍ୱର ଷ୍ଟେସନରେ ଚଳାଚଳ କରିନପାରି ପଡ଼ି ରହିଥିଲା ।

ଗର୍ଭବତୀ ମହିଳାଙ୍କ ସ୍ୱାମୀ ସେକ୍ ସିରାଜୁଦ୍ଦିନ୍ ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ମଣ୍ଡଳଙ୍କୁ ଏନେଇ ସାହାଯ୍ୟ ମାଗିଥିଲେ । ଷ୍ଟେସନ ମ୍ୟାନେଜର ଶ୍ରୀ ମଣ୍ଡଳ ଏହି ଘଟଣା ସମ୍ପର୍କରେ ଅବଗତ ହୋଇ ସ୍ଥାନୀୟ ଜଣେ ନର୍ସଙ୍କୁ ସହାୟତା ଲାଗି ଡ଼କାଇଥିଲେ ।

ମହିଳା ଜଣକ ଗର୍ଭବତୀ ଥିବାରୁ ଟ୍ରେନଟି ସନ୍ଧ୍ୟା ୬.୩୦ରେ ଜଳେଶ୍ୱର ଷ୍ଟେସନରେ ରହିଥିବା ସମୟରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ମହିଳା ଜଣକ ଟ୍ରେନର ବଗି ନଂ ଏସ-୫ରେ ସନ୍ଧ୍ୟା ୭.୩୫ରେ ସ୍ଥାନୀୟ କାମିନୀ ପାତ୍ର ନାମ୍ନୀ ଜଣେ ନର୍ସଙ୍କ ସହାୟତାରେ ଏକ ଶିଶୁକନ୍ୟାକୁ ପ୍ରସବ କରିଥିଲେ ।

“ଚିକିତ୍ସା ପରେ ଏବେ ମାଆ ଓ ନବଜାତ ଶିଶୁକନ୍ୟା ଉଭୟଙ୍କର ସ୍ୱାସ୍ଥ୍ୟ ବେଶ୍ ସୁସ୍ଥ ରହିଛନ୍ତି ଏବଂ ଉତ୍ତମ ଚିକିତ୍ସା ଲାଭ ପରେ ମାଆ ଓ ଶିଶୁକନ୍ୟା ଟ୍ରେନରେ ଅଛନ୍ତି”, ବୋଲି କହିଛନ୍ତି ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଶ୍ରୀ ମଣ୍ଡଳ ।

Leave A Reply

Your email address will not be published.