Latest Odisha News

BREAKING NEWS

ନବରଙ୍ଗପୁରରେ ମହିଳାଙ୍କୁ ମୋହରା କରି ଚାଲିଛି ସବୁଜ ଜହର କାରବାର,୩ ମହିଳା ଅଟକ

ନବରଙ୍ଗପୁର: ଗଞ୍ଜେଇ କାରବାର କରି ଧରାପଡିବା ନବରଙ୍ଗପୁର ଜିଲ୍ଲାରେ ନିତିଦିନିଆ ଘଟଣା ହୋଇଗଲାଣି । ସବୁଜ ଜହର କାରବାରରେ ଏବେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଅର୍ଥ ଉପାର୍ଜନ କରିବାର ଏକ ସହଜ ଉପାୟ ପାଲଟିଛି ଗଞ୍ଜେଇ ବେପାର । ଗରିବ ଶ୍ରେଣୀର ମହିଳାଙ୍କୁ ଅର୍ଥ ଲୋଭ ଦେଖେଇ ସେମାନଙ୍କୁ ମୋହରା କରି ତାଙ୍କରି ହାତରେ ଏହି ଅପରାଧ କରାଉଛନ୍ତି ଗଞ୍ଜେଇ ମାଫିଆ ।

ସୂଚନା ଅନୁସାରେ ବ୍ରହ୍ମପୁରରୁ ନବରଙ୍ଗପୁର ଇନ୍ଦ୍ରାବତୀକୁ ଯାଉଥିବା RB କୋଚ୍ ନାମକ ଏକ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର  ପାଇଥିଲା ନବରଙ୍ଗପୁର ଟାଉନ ପୋଲିସ । ବସଟି ସକାଳେ ପହଁଞ୍ଚିବା ପରେ ଯାଞ୍ଚ କରିଥିଲା ପୋଲିସ । ୩ ମହିଳା ଯାତ୍ରୀ ନିଜ ନିଜ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି । ଏହି ମହିଳାମାନେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରୁ ବସରେ ଚଢିଥିଲେ । ଏମାନଙ୍କ ଘର କୋଟପାଡ଼ ଅଞ୍ଚଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଏହି ତିନି ମହିଳା ଜଣେ ବେପାରୀଙ୍କ ଠାରୁ ଗଞ୍ଜେଇ କିଣି  ନବରଙ୍ଗପୁର ଉମରକୋଟ ଅଞ୍ଚଳକୁ ବିକ୍ରି କରିବାକୁ ନେଉଥିଲେ । ପୋଲିସ ଏହି ୩ ମହିଳାଙ୍କ ସମେତ ବସର ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପରକୁ ମଧ୍ୟ ଅଟକ ରଖିଛି ।

ଓଜନ କରାଯିବା ପରେ ଗଞ୍ଜେଇର ସଠିକ ଓଜନ ଏବଂ ଦାମ ଜଣାପଡିବ । ୨୫ କେଜି ଗଞ୍ଜେଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଗଞ୍ଜେଇ କାରବାରରେ ମହିଳାଙ୍କ ସମ୍ପୃକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.