Latest Odisha News

BREAKING NEWS

ଓଡିଶାରେ ଏଆଇଏଫଏଫ ସଭାପତି ଓ ସମ୍ପାଦକ , ଫାଓ ପକ୍ଷରୁ ସମ୍ବର୍ଦ୍ଧନା

କଟକ: ଓଡିଶା ଗସ୍ତରେ ଆସିଛନ୍ତି  ସର୍ବ ଭାରତୀୟ ଫୁଟବଲ ମହାସଂଘର ନବ ନିର୍ବାଚିତ ସଭାପତି ଓ ସମ୍ପାଦକ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ରେ କିପରି ଫୁଟବଲ କ୍ରୀଡ଼ାର ବିକାଶ ହେବ ସେନେଇ ଆଲୋଚନା କରିଥିଲେ  । ଏହା ପରେ କଳିଙ୍ଗ ଷ୍ଟାଡିୟମ ବୁଲିବା ସହ  କ୍ରୀଡା ସଚିବ ଆର. ଭିନୀଲ କ୍ରୀଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ମହିଳା ବିଶ୍ବକପ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ  । ପରେ ଓଡିଶା ଫୁଟବଲ ସଂଘର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ AIFF ର ସଭାପତି କଲ୍ୟାଣ ଚୌବେ ଓ ସମ୍ପାଦକ ସାଜି ପ୍ରଭାକରନ  ।

ତେବେ ଓଡିଶା ଫୁଟବଲ ସଂଘର (ଫାଓ) ରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଇଥିଲା ।

ଏହି  କାର୍ଯ୍ୟକ୍ରମରେ ଯୋଗ ଦେଇ AIFF ସଭାପତି କଲ୍ୟାଣ ଚୌବେ କହିଛନ୍ତି, “ଓଡିଶା ଫୁଟବଲ ଟିମର ବିକାଶ ହେବ । ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ ହେବ ଯାହା ଦ୍ବାରା ଉଭୟ ଦଳ ଜାତୀୟ ସ୍ତରରେ ଆହୁରି ଭଲ ପଦର୍ଶନ କରି ପାରିବେ । ବର୍ତ୍ତମାନ ସମୟରେ ମହିଳା ଦଳରୁ ଅନେକ ପ୍ରତିଭା ଜାତୀୟ ଦଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ସହ ଜୁନିୟର ଦଳ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରୁଛନ୍ତି ।” ଆବଶ୍ୟକ ପଡ଼ିଲେ ଆହୁରି ଦକ୍ଷତାପୂର୍ଣ୍ଣ ପ୍ରଶିକ୍ଷଣ ଓଡିଶା ସଂଘକୁ ପ୍ରଦାନ କରାଯିବ ବୋଲି କହିଛନ୍ତି AIFF ସଭାପତି କଲ୍ୟାଣ ଚୌବେ  ।

ଅନ୍ୟପଟେ ନୂତନ ସଭାପତି ଓ ସମ୍ପାଦକଙ୍କ ଓଡିଶା ଗସ୍ତ ଓଡିଶା ଫୁଟବଲ ଟିମ କୁ ଆହୁରି ମଜଭୁତ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ । ଓଡିଶା ଫୁଟବଲ ଟିମ ଏକ ଉଚ୍ଚକୋଟିର ପ୍ରାଧ୍ୟନ୍ୟ ପାଇବ । ଏମାନଙ୍କ ନେତୃତ୍ବରେ ଓଡିଶା ଫୁଟବଲ ସଫଳତାର ଶିଖର ଛୁଇଁବ ବୋଲି କହିଛନ୍ତି ଫାଓ ସଭାପତି ଦେବାଶିଷ ସାମନ୍ତରାୟ ।

 

Leave A Reply

Your email address will not be published.