Latest Odisha News

BREAKING NEWS

ପିଲା ଜନ୍ମ କରିବ ରୋବୋଟ୍!

ନୂଆଦିଲ୍ଲୀ: ଗର୍ଭବତୀ ହେବ ରୋବର୍ଟ! ଜନ୍ମ କରିବ ପିଲା! ପ୍ରଯୁକ୍ତି ବିଦ୍ୟା ଏବେ ଅସମ୍ଭବକୁ ସମ୍ଭବ କରିବ । ଏଣିକି ରୋବୋଟ୍ ପିଲା ଜନ୍ମ କରିବ । ସବୁଠୁ ବଡ କଥା ହେୁଛି କୌଣସି ଛୋଟ ରୋବୋଟ୍ ନୁହେଁ, ମା ରୋବୋଟ୍ ଟି ଜଣେ ମଣିଷ ପିଲାକୁ ଜନ୍ମ ଦେବ । କିଛି ଏମିତି ପ୍ରଯୁକ୍ତିବିଦ୍ୟା ବିକାଶ କରିବାକୁ ଯାଉଛନ୍ତି ଚୀନ୍ ବୈଜ୍ଞାନିକମାନେ । ଚୀନି ବୈଜ୍ଞାନିକ ବିଶ୍ୱର ପ୍ରଥମ ଗର୍ଭସ ରୋବୋଟ୍ ଉପରେ କାମ କରୁଛନ୍ତି । ଯାହା ଏକ ଜୀବନ୍ତ ଶିଶୁକୁ ଜନ୍ମ ଦେଇପାରିବ ।

ଦି ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା ଗର୍ଭଧାରଣରୁ ପ୍ରସବ ପର୍ଯ୍ୟନ୍ତ ଗର୍ଭଧାରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନୁକରଣ କରିବ। ଏକ ଚୀନ୍ ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘କାଇଓ୍ବା’ ବିଶ୍ୱର ପ୍ରଥମ ଗର୍ଭଧାରଣ କରିପାରୁଥିବା ରୋବୋଟ୍ ତିଆରି କରୁଛି । ଯାହା ଗର୍ଭଧାରଣର ଅନୁକରଣ କରିପାରିବ। ଅର୍ଥାତ୍, ଏହା ମଣିଷ ପରି ଗର୍ଭବତୀ ହୋଇପାରିବ । ଏହି ରୋବୋଟ୍ ଆଗାମୀ ଏକ ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୬ରେ ଲଞ୍ଚ ହେବାର ଆଶା କରିଛି କମ୍ପାନୀ । ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୟୁଆନ୍ ବା ୧୨ ଲକ୍ଷ ଭାରତୀୟ ଟଙ୍କା ହେବ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଇଭିଏଫ୍ ଏବଂ ସରୋଗେସି ଠାରୁ ସମ୍ପୂର୍ଣ୍ଣ ଭିନ୍ନ

ପ୍ରଯୁକ୍ତି ବିଦ୍ୟାରେ ପୂର୍ବରୁ ମହିଳମାନେ ଆଇଭିଏଫ୍ ଏବଂ ସରୋଗେସି ମାଧ୍ୟମରେ ନିଜେ ମା’ ନହୋଇ ମଧ୍ୟ ସନ୍ତାନ ସୁଖ ଲାଭ କରୁଥିଲେ । କିନ୍ତୁ କାଇୱା ଟେକ୍ନୋଲୋଜି ଦ୍ୱାରା ତିଆରି ହେଉଥିବା ଏହି ରୋବୋଟ୍ ପାରମ୍ପରିକ IVF କିମ୍ବା ସରୋଗେସି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ଏକ ବିଶେଷ ପ୍ରକାରର ଇନକ୍ୟୁବେସନ ପଡ୍ ଏବଂ ରୋବୋଟିକ୍ ପେଟ ରହିବ, ଯାହା ମହିଳାଙ୍କ ଗର୍ଭରେ ଥିବା ପରିବେଶ ପରି ପରିବେଶ ପ୍ରଦାନ କରିବ । ଏହି ରୋବୋଟ୍ ଗର୍ଭଧାରଣ ଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପ୍ରତିରୂପିତ କରିବାକୁ ଚେଷ୍ଟା କରିବ। ଯାହା କୃତ୍ରିମ ଗର୍ଭାଶୟ ଭିତରେ ଭ୍ରୁଣଟିକୁ ବଢାଇବ ଏବଂ ଏକ ଟ୍ୟୁବ୍ ମାଧ୍ୟମରେ ଶିଶୁଟି ପାଖରେ ପୁଷ୍ଟିକର ପଦାର୍ଥ ପହଞ୍ଚିବ ବୋଲି ଆଶା କରାଯାଉଛି। ହେଲେ ବୈଜ୍ଞାନିକମାନେ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଏହା ମଧ୍ୟରେ ଡିମ୍ବାଣୁ ସହ ଶୁକ୍ରାଣୁର କିପରି ମିଳନ ହେବ ।

ରୋବୋଟ୍ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ…

କାଇଓ୍ବା ଟେକନୋଲୋଜି ପ୍ରତିଷ୍ଠାତା ଏବଂ ସିଇଓ ଝାଙ୍ଗ କିଫେଙ୍ଗଙ୍କ ନେତୃତ୍ବରେ ଏହି ରୋବୋଟ୍ ବିକଶିତ କରାଯାଉଛି । ଝାଙ୍ଗଙ୍କ ମତରେ ଏହି ରୋବୋଟ୍ ବିଶେଷ ଭାବରେ ସେହି ମହିଳାମାନଙ୍କ ପାଇଁ ତିଆରି କରାଯାଉଛି ଯେଉଁମାନେ ସନ୍ତାନ ଚାହାଁନ୍ତି କିନ୍ତୁ ଗର୍ଭଧାରଣ ପ୍ରକ୍ରିୟାକୁ ଏଡାଇବାକୁ ଚାହାଁନ୍ତି । ଏହି ପ୍ରଯୁକ୍ତିବିଦ୍ୟା ପ୍ରଜନନ ବିଜ୍ଞାନରେ ବିପ୍ଳବ ଆଣିବା ସହ ବନ୍ଧ୍ୟାତ୍ୱ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ମହିଳା ଏବଂ ପୁରୁଷଙ୍କ ପାଇଁ ନୂତନ ବିକଳ୍ପ ପ୍ରଦାନ କରିବ । ଯାହା ବିଶ୍ୱସ୍ତରରେ ପ୍ରାୟ ୧୫ ପ୍ରତିଶତ ଦମ୍ପତିଙ୍କୁ ପ୍ରଭାବିତ କରେ । ଏହି ଧାରଣା ୨୦୧୭ରେ ହୋଇଥିବା ଏକ ପରୀକ୍ଷଣ ଉପରେ ଆଧାରିତ । ଯେଉଁଥିରେ କୃତ୍ରିମ ଆମ୍ନିଓଟିକ୍ ତରଳ ପଦାର୍ଥରେ ପରିପୂର୍ଣ୍ଣ ଏକ ବାୟୋବ୍ୟାଗରେ ପ୍ରିମାଚ୍ୟୁର ମେଷଶାବକ ବଡ ହୋଇଥିଲେ ।

ରୋବୋଟ ମମିକୁ ନେଇ ବିବାଦ

ଏହି ପ୍ରଯୁକ୍ତିବିଦ୍ୟାକୁ ନେଇ କମ୍ପାନୀ ଏକ ବିପ୍ଲବ ଆଶା କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । କିଛି ଲୋକ ଏହି ରୋବୋଟ୍ ସେମାନଙ୍କ ପାଇଁ ଏକ ବରଦାନ ହୋଇପାରେ ଯେଉଁମାନେ ସନ୍ତାନ ଜନ୍ମ କରିପାରନ୍ତି ନାହିଁ ବୋଲି କହୁଥିବା ବେଳେ କିଛି ବ୍ୟବହାରକାରୀ ଏହି ପ୍ରଯୁକ୍ତିବିଦ୍ୟାକୁ ସମାଲୋଚନା କରିଛନ୍ତି । ସେମାନଙ୍କର ଯୁକ୍ତି ହେଉଛି ଯେ ଏହି ପ୍ରଯୁକ୍ତିବିଦ୍ୟା ମା ହେବା ଏବଂ ପରିଚୟ ସହିତ ଜଡିତ ଆଇନଗତ ପ୍ରଶ୍ନ ଉଠାଇଥାଏ । ଯଦି ରୋବୋଟ୍ ଏକ ସନ୍ତାନକୁ ଜନ୍ମ ଦିଏ, ତେବେ ମା’ର ମାତୃତ୍ୱର ଭାବନା ରହିବ ନାହିଁ। କିଛି ବିଶେଷଜ୍ଞ ଏହା ମଧ୍ୟ ଚିନ୍ତିତ ଯେ ରୋବୋଟ୍ ରୁ ଜନ୍ମିତ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ କି ନାହିଁ, ସେମାନଙ୍କର ମାନସିକ ବିକାଶ ମଣିଷ ରୁ ଜନ୍ମିତ ପିଲାମାନଙ୍କ ପରି ହେବ କି ନାହିଁ । ଯାହା ବାସ୍ତବରେ ଶିଶୁର ମାନସିକ ଅବସ୍ଥା ନେଇ ଏକ ବଡ ପ୍ରଶ୍ନ ।

Comments are closed.