Latest Odisha News

BREAKING NEWS

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ୟେଦିୟୁରପ୍ପା, ଘୋଷଣା ବେଳେ ଭାବୁକ ହେଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଚର୍ଚ୍ଚା ଉପରେ ଯବନିକା ପଡ଼ିଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି. ଏସ୍. ୟେଦିୟୁରପ୍ପା । ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି । ଅପରାହ୍ଣ ୪ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ । ଇସ୍ତଫା ଘୋଷଣା ବେଳେ ବେଶ ଭାବୁକ ହୋଇଥିଲେ ୟେଦିୟୁରପ୍ପା ।

କର୍ଣ୍ଣାଟକରେ ଆଜି ବିଜେପି ସରକାରକୁ ଦୁଇ ବର୍ଷ ପୂରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି ୟେଦିୟୁରପ୍ପା । ଆଜି ତାଙ୍କ ନେତୃତ୍ୱାଧୀନ ସରକାରକୁ ଦୁଇ ବର୍ଷ ପୂରିଛି । ଗତ କିଛି ଦିନ ହେବ ୟେଦିୟୁରପ୍ପାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ବି ଭେଟିଥିଲେ ।

ଇସ୍ତଫା ଘୋଷଣା ବେଳେ ୟେଦିୟୁରପ୍ପା କହିଛନ୍ତି, କର୍ଣ୍ଣାଟକବାସୀଙ୍କୁ ସେବା ଫେରାଇବା ବାକି ରହିଗଲା । ଅଧିକାରୀ ଓ ବିଧାୟକଙ୍କୁ ପଚାରିଛନ୍ତି ଆମ ଉପରୁ ଲୋକଙ୍କର ଆସ୍ଥା ହଟିଯାଇଛି । ଆହୁରି କଠିନ ପରିଶ୍ରମ ଓ ସ୍ୱଚ୍ଛତାର ସହ କାମ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ୟେଦିୟୁରପ୍ପା ।

୭୮ ବର୍ଷୀୟ ୟେଦିୟୁରପ୍ପା ଦୁଇ ଦଶନ୍ଧି ଧରି କର୍ଣ୍ଣାଟକ ରାଜନୀତିରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ଟାଣୁଆ ସଂଗଠକ ଓ ନେତା । ଆସନ୍ତା ୨୦୨୩ ବିଧାନସଭା ନିର୍ବାଚନ ରହିଛି । ତାପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକ ଛାଡ଼ିଛନ୍ତି ୟେଦିୟୁରପ୍ପା ।

ତାଙ୍କ ପରେ କାହାକୁ ଦଳ ମୁଖ୍ୟମନ୍ତ୍ରୀ କରିବ ତାଉପରେ ନଜର ରହିଛି । ଆଜି କିମ୍ବା ଆସନ୍ତାକାଲି ଭିତରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ।

Leave A Reply

Your email address will not be published.