Latest Odisha News

BREAKING NEWS

ବର୍ଷକରେ ସର୍ବାଧିକ ଫିଲ୍ମ ଦେଖି ରେକର୍ଡ କଲେ ଯୁବକ

ନ୍ୟୁୟର୍କ: ଦୁନିଆର ଅନେକ ଲୋକ ଅଛନ୍ତି, ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଜିନିଷ କରି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ସେହିପରି ଆମେରିକାର ଜଣେ ବ୍ୟକ୍ତି ବର୍ଷକରେ ସିନେମା ହଲରେ ସର୍ବାଧିକ ଫିଲ୍ମ ଦେଖି ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି ।

ଆମେରିକାର ବାସିନ୍ଦା ଜାକ୍ ସ୍ୱୋପ୍ । ବିଭିନ୍ନ ଫିଲ୍ମ ଦେଖିବା ତାଙ୍କର ସଉକ । ସେ ପ୍ରତ୍ୟେକ ଦିନ କିଛି ନା କିଛି ଫିଲ୍ମ ଦେଖିଥାନ୍ତି । ସେ ଏମିତି ଜଣେ ସିନେପ୍ରେମୀ ଯେ, ଫିଲ୍ମ ଦେଖିବା ପାଇଁ ନିଜର ଖାଇବା ପିଇବା ବି ଭୁଲି ଯାଆନ୍ତି । ଏହାକୁ ନେଇ ସେ ଏବେ ନିଆରା ବିଶ୍ୱର୍ ରେକର୍ଡ଼ ସୃଷ୍ଟି କରିଛନ୍ତି । ୨୦୨୨ ମସିହା ଜୁଲାଇରୁ ୨୦୨୩ ମସିହା ଜୁଲାଇ ମଧ୍ୟରେ ମୋଟ ୭୭୭ଟି ଫିଲ୍ମ ଦେଖି ଗିନିଜ ବୁକ୍ ଅଫ ୱାଲ୍‌ର୍ଡ ରେକର୍ଡ଼ ହାସଲ କରିଛନ୍ତି ।

ପୂର୍ବରୁ ବର୍ଷକୁ ହାରାହାରି ଶହେରୁ ଦେଢ଼ଶହ ସିନେମା ଦେଖୁଥିବା ୩୨ ବର୍ଷୀୟ ଜାକ୍ ଏହି ରେକର୍ଡ କରିବା ପାଇଁ ବିଭିନ୍ନ ବିଷୟବସ୍ତୁର ସିନେମା ଚୟନ କରିଥିଲେ । ତାଙ୍କର ଏହି ଅଭିଯାନ ‘ମିନିଅନ୍‌ସ: ରାଇଜ୍ ଅଫ୍ ଗ୍ରୁ’ ଫିଲ୍ମରୁ ଆରମ୍ଭ ହୋଇ ‘ଇଣ୍ଡିଆନ ଜୋନ୍‌ସ ଆଣ୍ଡ୍ ଦି ଡାଏଲ ଅଫ୍ ଡେଷ୍ଟିନି’ରେ ଶେଷ ହୋଇଥିଲା । ଏହି ରେକର୍ଡ ହାସଲ କରିବାର ନିୟମ ଅନୁସାରେ, ତାଙ୍କୁ ପ୍ରତ୍ୟେକ ଫିଲ୍ମର ପ୍ରଥମରୁ ଶେଷ ଯାଏ ଦେଖିବାକୁ ପଡ଼ିଥିଲା । ଫିଲ୍ମ ମଝିରେ ଫୋନ୍ ଦେଖିବା ଓ କିଛି ଖାଇବା କି ପିଇବା ପାଇଁ ବାରଣ କରାଯାଇଥିଲା । ପ୍ରତି ଫିଲ୍ମର ପ୍ରଦର୍ଶନ ବେଳେ ସଂପୃକ୍ତ ପ୍ରେକ୍ଷାଳୟ କର୍ମଚାରୀ ଜାକ୍‌ଙ୍କର କାର୍ଯ୍ୟକଳାପକୁ ନିରୀକ୍ଷଣ କରି ରିପୋର୍ଟ ଦେଉଥିଲେ । ପ୍ରତ୍ୟହ ସକାଳ ୬ଟା ୪୫ରୁ ଅପରାହ୍ନ ୨ଟା ୪୫ ଯାଏଁ ଦିନକୁ ସର୍ବାଧିକ ତିନିଟି ଫିଲ୍ମ ଦେଖିପାରୁଥିଲେ । ଛୁଟି ଦିନରେ ସେ ଅଧିକ ସଂଖ୍ୟକ ସିନେମା ଦେଖୁଥିଲେ ।

ପୂର୍ବରୁ ଏହି ରେକର୍ଡ ଫ୍ରାନ୍‌ସର ଭିସେଣ୍ଟ୍ କ୍ରୋହ୍ନଙ୍କ ନାମରେ ଥିଲା , ଯିଏ ୨୦୧୮ରେ ୭୧୫ଟି ଫିଲ୍ମ ଦେଖିଥିଲେ । ଏବେ ଏହି ରେକର୍ଡ଼କୁ ଜାକ୍ ଭାଙ୍ଗିଛନ୍ତି ।

Leave A Reply

Your email address will not be published.