Latest Odisha News

BREAKING NEWS

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି।

ଏଭଳି ସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜେଡିୟୁ ନେତାମାନେ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରିବା ଆରମ୍ଭ କରିଛନ୍ତି। ନୀତିଶ କୁମାରଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ବୈଠକରେ ଏଭଳି ଦେଖିବାକୁ ମିଳିଛି।

ବୈଠକରେ ଜେଡିୟୁର ୫୩୪ ବ୍ଳକ ସଭାପତି ଯୋଗ ଦେଇଥିଲେ। ବୈଠକ ଆରମ୍ଭ ପୂର୍ବରୁ ସବୁ ବ୍ଳକ ସଭାପତିଙ୍କ ମୁହଁରୁ ଗୋଟିଏ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଦେଶ କା ପ୍ରଧାନମନ୍ତ୍ରୀ କେସା ହୋ ନୀତିଶ କୁମାର ଜେସା ହୋ ସ୍ଲୋଗାନ ଶୁଣିବାକୁ ମିଳିଥିଲା।

ବୈଠକରେ ଦଳକୁ ସୁଦୃଢ଼ କରିବା ସହ ସମସ୍ତ ୪୦ ଲୋକସଭା ସିଟରେ କିଭଳି ଜିତିହେବ ସେ ନେଇ ଜୋରଦାର ପ୍ରସ୍ତୁତି କରିବାକୁ କୁହାଯାଇଥିବା ବ୍ଳକ ସଭାପତି ମାନେ କହିଛନ୍ତି।

ବୈଠକ ପରେ ବ୍ଳକ ସଭାପତି ନିରଞ୍ଜନ କୁଶବାହାଙ୍କ କହିବା କଥା ବିହାରରେ ନୀତିଶ ଯେଉଁ ପ୍ରକାର ବିକାଶ କରିଛନ୍ତି ଏବେ ତାଙ୍କୁ ଦଳୀୟ କର୍ମୀ ଓ ନେତା ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଖିବକୁ ଚାହୁଁଛନ୍ତି। ଏପରିକି ଗତ ରବିବାର ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ମଧ୍ୟ ନୀତିଶ ଦେଶର ପ୍ରତିନିଧିତ୍ୱ କରନ୍ତୁ ବୋଲି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।

ସେପଟେ କିନ୍ତୁ ନିହେଁ କୌଣସି ବ୍ୟକ୍ତିଗତ ଅଭିଳାଷ କିମ୍ବା ପଦ ପାଇଁ ଇଚ୍ଛା ନ ଥିବା ପୂର୍ବରୁ ନୀତିଶ କହିସାରିଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ ମୋଦି ଏହାର ଉତ୍ତର ମଧ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦ ପାଇଁ ସର୍ବୋଚ୍ଚ ନେତା ତେଣୁ ଆଉ କୌଣସି ନେତା ଏହି ପ୍ରତିଯୋଗିତାରେ ନାହାଁନ୍ତି।

ଯେତେବେଳେ ଖୋଦ ନୀତିଶ ମନା କରୁଛନ୍ତି ସେତେବେଳେ ଲଲନ ସିଂ କାହିଁକି ଏ କଥା କହୁଛନ୍ତି ବୋଲି ସୁଶୀଲ ପ୍ରଶ୍ନ କରିଛନ୍ତି। ସେପଟେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ନୀତିଶଙ୍କ ସମ୍ପର୍କିତ ଟିପ୍ପଣୀ ମଧ୍ୟ ଚର୍ଚ୍ଚାରେ ରହିଛି।

ଜେଡିୟୁ ଆସନ୍ତା ଲୋକସଭା ନିର୍ବାଚନରେ ପାଞ୍ଚୋଟି ସିଟ ମଧ୍ୟ ଜିତିପାରିବ ନାହିଁ। ଏପରିକି ଇଣ୍ଡିଆ ମେଣ୍ଟରେ ମଧ୍ୟ ଧୀରେ ଧୀରେ ନୀତିଶଙ୍କ ଗୁରୁତ୍ୱ ହ୍ରାସ ପାଇବ ବୋଲି ସେ କହିଛନ୍ତି।

ବାରମ୍ବାର ସହଯୋଗୀ ବଦଳାଉଥିବାରୁ ବିହାରର ସାଧାରଣ ଲୋକେ ନୀତିଶଙ୍କୁ ସମାଲୋଚନା କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ସଠିକ ଢଙ୍ଗରେ ଲଢ଼ିବା ପାଇଁ ଇଣ୍ଡିଆ ମେଣ୍ଟ ଗାଣିତିକ ହିସାବ ଆରମ୍ଭ କରିଥିବା ବେଳେ ନୀତିଶଙ୍କୁ ନେଇ ଏଭଳି ରାଜନୀତି ରାଜନୈତିକ ବାତାବରଣକୁ ଉଷ୍ମ କରିଛି।

Leave A Reply

Your email address will not be published.