ଭୁବନେଶ୍ୱର:ରାଜଧାନୀରେ ସୋମବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲିଙ୍ଗରାଜ ଥାନାର ସାମନ୍ତରାପୁର ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଅଧିକ ଚିକିତ୍ସା ପାଇଁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, କିଛି ଦୁର୍ବୃତ୍ତ ହଠାତ୍ ଯୁବକଙ୍କୁ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପ୍ରାଣ ବଞ୍ଚାଇ ସେ ଦୌଡ଼ିକି ଗଲାବେଳେ ଆକ୍ରମଣକାରୀମାନେ ତାଙ୍କୁ କାବୁ କରି ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।
ପ୍ରାଥମିକ ତଦନ୍ତରୁ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।