Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ପିସିସି ମୁଖ୍ୟ ଭାବେ ୱାଇ ଏସ ଶର୍ମିଲାଙ୍କୁ ନିଯୁକ୍ତି: ଆଗକୁ ଭାଇ-ଭଉଣୀ ଲଢ଼େଇ!

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ କଂଗ୍ରେସ ହାଇକମାଣ୍ଡଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଭାବେ ୱାଇ.ଏସ ଶର୍ମିଲା ରେଡ୍ଡୀଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୧୫ ତାରିଖରେ ପିସିସି ମୁଖ୍ୟ ପଦରୁ ଗିଦୁଗୁ ରୁଦ୍ର ରାଜୁ ଇସ୍ତଫା ଦେବା ପରେ ଉକ୍ତ ପଦରେ ଶର୍ମିଲାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ଶର୍ମିଲାଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିପାରେ ଭାଇ-ଭଉଣୀ ଲଢ଼େଇ ।

ଶର୍ମିଲାଙ୍କ ବଡଭାଇ ଜଗନ ମୋହନ ରେଡ୍ଡୀ ଏବେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଜଗନଙ୍କ ଦଳ ‘YSRCP’ କଂଗ୍ରେସରୁ ପୃଥକ ହୋଇ ଗଠନ ହୋଇଥିବା ଏକ ଦଳ । ଏବେ ରାଜ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ତେଲଗୁ ଦେଶମ ପାର୍ଟି (TDP) ଓ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛନ୍ତି । ଭାଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ଭଉଣୀ ଶର୍ମିଲାଙ୍କୁ ରାଜ୍ୟ କଂଗ୍ରେସର କମାଣ୍ଡ ଦେଇଛି ଦଳ ।

ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେଲେଙ୍ଗାନାରେ ସରକାର ଗଠନ କରିବା ପରେ କଂଗ୍ରେସର ପରବର୍ତ୍ତୀ ନଜର ଏବେ ଆନ୍ଧ୍ର ଉପରେ ରହିଛି । ତେଣୁ ଭବିଷ୍ୟତର ରାଜନୈତିକ ଫାଇଦାକୁ ଦୃଷ୍ଟିରେ ରଖି କଂଗ୍ରେସ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଥିବା କୁହାଯାଉଛି ।

ଗତ ୪ ତାରିଖରେ ଶର୍ମିଲା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ ।ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିପୁଳ ସଫଳତା ମିଳିଥିଲା । ତେଣୁ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇ ଆନ୍ଧ୍ର ଦଖଲ ଲକ୍ଷ୍ୟରେ ରହିଛି କଂଗ୍ରେସ ।

Leave A Reply

Your email address will not be published.