Latest Odisha News

BREAKING NEWS

ଜଙ୍ଗଲୀ ବାଘୁଣୀ ଅସୁସ୍ଥ; ଲୋପ ପାଇଯିବ କି ସାତକୋଶିଆରୁ ବାଘ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଵଂଶ ବିସ୍ତାର ପାଇଁ ହୋଇଥିବା ଯୋଜନା ଏବେ ଏକ ପ୍ରକାର  ମୁଣ୍ଡବ୍ୟଥାର କାରଣ ପାଲଟିଛି । କାହ୍ନା ଅଭୟାରଣ୍ୟରୁ ଆସିଥିବା ପୁରୁଷ ବାଘର ମୃତ୍ୟୁ ହୋଇସାରିଛି । ଏପଟେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିବା ପରଠାରୁ ଏନକ୍ଲୋଜର ଭିତରେ ରହିଛି । ଯାହାକୁ ନେଇ NTCA ଆପତ୍ତି ଉଠାଇବା ସହ ବାଘୁଣୀକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏବେ ସାତକୋଶିଆ ଅଭୟାରଣ୍ୟ ର ପ୍ରାକୃତିକ ପରିବେଶ ମଧ୍ୟରେ ପୂର୍ବରୁ ଜନ୍ମ ନେଇଥିବା ବାଘୁଣୀକୁ ନେଇ ଚିନ୍ତା ବଢିଛି । କାରଣ ଏହି ବାଘୁଣୀ ଏବେ ଅସୁସ୍ଥ ।

ଏହି ବାଘୁଣୀର ବୟସ ଅଧିକ ହୋଇ ସାରିଥିବା ବେଳେ ଏବେ ଲାଞ୍ଜରେ ଫଙ୍ଗାଲ ଇନ୍‌ଫେକ୍ସନ ହୋଇଛି । ଲୋମ ମଧ୍ୟ ଝଡ଼ିଲାଣି । ତାର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଉଛି ବୋଲି ସାତକୋଶିଆ ଆଞ୍ଚଳିକ ବନ ସଂରକ୍ଷକ ପ୍ରଦୀପ କରାଟ କହିଛନ୍ତି । ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ଅଣା ଯାଇଥିବା ହାତୀ ମହେନ୍ଦ୍ର ଓ ଯଶୋଦାକୁ ଏବେ ଅଭୟାରଣ୍ୟର କୋର ଏରିଆକୁ ପଠାଯାଇଛି ।

ସେଠାରେ ସେମାନେ ଜଙ୍ଗଲୀ ବାଘୁଣୀ ଉପରେ ନଜର ରଖିବେ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଆସିବା ପରେ ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ବ୍ୟବସ୍ଥା କରାଯିବ । ସେପଟେ ବନ୍ଧବଗଡ଼କୁ ବାଘୁଣୀ ଫେରିଯିବା ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ ବୋଲି କହିଛନ୍ତି ଆଞ୍ଚଳିକ ବନ ସଂରକ୍ଷକ । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ହିଁ ବାଘୁଣୀ ଫେରିବା ନେଇ ଜଣା ପଡିବ ।

ତେବେ ବାଘ ଵଂଶ ବିସ୍ତାର ପାଇଁ ଯୋଜନା ଫେଲ ମାରିଲା । କୋଟି କୋଟି ଟଙ୍କା ପାଣିରେ ପଡିବା ବେଳେ ଏବେ ସାତକୋଶିଆରେ ଥିବା ଏକ ମାତ୍ର ଜଙ୍ଗଲୀ ବାଘୁଣୀ ଚିନ୍ତାରେ ବନ ବିଭାଗ । ଏହାର ମୃତ୍ୟୁ ହେଲେ ସାତକୋଶିଆ ଯେ ବାଘ ଶୁନ୍ୟ ହୋଇଯିବ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.